ପୃଷ୍ଠା:Aama Madhusudan.pdf/୩୪୩

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ଉପରେ । ହଁ, ସେହି ବକ୍ଷର ଅନ୍ତରାଳରେ ଯାହା ଗୁଞ୍ଜରଣରେ ଧ୍ୱନିତ ହେଉଥିଲା ଏହି ପଦ୍ୟାଂଶରେ, ""ସ୍ୱାର୍ଥମେଧ ଯଜ୍ଞେ ଚାରିଆଡେ଼ ନାଚ ଛାତିକୁ ମିଶାଇ ଛାତି ।"
ତଳମହଲାର ବୈଠକଖାନା, ଯହିଁରେ ଶ୍ୱେତ ମାର୍ବଲର ଫଳକ ସବୁ ବିଛା ଯାଇଥିଲା, ତାହାର ମଧ୍ୟଭାଗରେ ପଲଙ୍କଟିଏ ରଖି ମଧୁସୂଦନଙ୍କ ପୁଣ୍ୟ ପିଣ୍ଡକୁ ଶୁଆଇ ଦିଆଗଲା । ପୁଷ୍ପ ଓ କର୍ପୂର ମାଳାରେ ଶରୀର ବିମଣ୍ଡିତ ହେଲା । ପ୍ରତ୍ୟୂଷରୁ ହଜାର ହଜାର ଲୋକ ତାଙ୍କର ଶେଷ ଦର୍ଶନପାଇଁ ଆସିଲେ । ପ୍ରଶାନ୍ତି ଲହରୀ ସର୍ବତ୍ର ପରିବ୍ୟାପ୍ତ ହେଉଥିଲା । ସକାଳ ସୂର୍ଯ୍ୟର ଝଲସା କିରଣ ଶରୀରକୁ ସ୍ୱର୍ଗୀୟ ଆଭାରେ ଭରିଦେଇଥାଏ । ସ୍ମିତହାସ୍ୟ ଯେପରି ଲାଖି ରହିଥାଏ ଓଠରେ । ପର୍ଦାନସୀନ ମହିଳାମାନେ, ପ୍ରଭାତର ଶିଶିରସିକ୍ତ ଅର୍ଦ୍ଧ ପ୍ରସ୍ଫୁଟିତ ଫୁଲପରି ଶିଶୁ ପୁତ୍ର ଆଉ କନ୍ୟାମାନଙ୍କୁ ଆଣି ତାଙ୍କର ଚରଣ ତଳେ ଲୋଟାଇ ଦେଇ ଦୀର୍ଘ ଜୀବନ କାମନା କରୁଥିଲେ । ଏହି ଦୃଶ୍ୟଥିଲା ଅତ୍ୟନ୍ତ ମନୋଜ୍ଞ ଓ ପ୍ରାଣବନ୍ତ । ସକାଳ ନଅଟାରୁ ଭିଡ଼ କ୍ରମଶଃ ବଢ଼ିବାକୁ ଲାଗିଲା । ବିଗତ ରାତ୍ରି ମଧ୍ୟରେ ମଧୁସୂଦନଙ୍କର ତିରୋଧାନ ସଂବାଦ ପୁରୀ, କେନ୍ଦ୍ରାପଡ଼ା, ଯାଜପୁର ଆଉ ବାଣପୁର ପର୍ଯ୍ୟନ୍ତ ପ୍ରଚାରିତ ହୋଇଯାଇଥିଲା । ଏହି ସମସ୍ତ ଅଂଚଳର ଶୋକାକୁଳ ଜନତା କ୍ରମେ ପହଞ୍ଚିବାକୁ ଲାଗିଲେ । ଏହା ସହିତ ଏହି ସମଗ୍ର ଅଞ୍ଚଳରୁ ସଂକୀର୍ତ୍ତନ ଦଳ ମଧ୍ୟ ଆସି ପହଞ୍ଚିଲା ।
ଦିନ ଗୋଟାଏ ପର୍ଯ୍ୟନ୍ତ ତାଙ୍କର ଅନ୍ତିମ ଦର୍ଶନ ଚାଲିଲା । ଶୀତର ଜଡ଼ତା ମଧ୍ୟରେ ଉଷ୍ମ ସୂର୍ଯ୍ୟାଲୋକ ଏକ ସ୍ୱସ୍ତିପ୍ରଦ ବାତାବରଣ ସୃଷ୍ଟିକରି ଶୋକାକୁଳ ପରିବେଶକୁ ସ୍ନିଗ୍ଧତା ପ୍ରଦାନ କରୁଥିଲା । ତାଙ୍କୁ ବାହାର ପୋର୍ଟିକକୁ ଅଣାଯାଇ ଏକ ପ୍ରଶସ୍ତ ପଲଙ୍କରେ ପୁଷ୍ପାଭରଣରେ ବିମଣ୍ଡିତ କରି ଦିଆଗଲା । ଏହା ପରେ ବିଭିନ୍ନ ସାମାଜିକ ଗୋଷ୍ଠୀମାନଙ୍କୁ ଘେନି ସଂଘବଦ୍ଧ ଫଟୋ ଉତ୍ତୋଳନ କରାଗଲା ।
ଅପରାହ୍‍ଣ ତିନିଟା ସମୟ । ଢଳି ଯାଇଥିବା ସୂର୍ଯ୍ୟଙ୍କ କିରଣରେ ବୃକ୍ଷରାଜିର ଛାୟାସବୁ ଲମ୍ବି ଯାଇଥିଲେ । ଶୀତଳ ପବନ ଉଚ୍ଚାଟ ହୋଇ ବହିବାକୁ ଲାଗିଲା । ବ୍ରଜସୁନ୍ଦର ଦାସଙ୍କ ସଂକ୍ଷିପ୍ତ ଘୋଷଣା ପରେ ଅନ୍ତିମ ଶୋଭାଯାତ୍ରା ଆରମ୍ଭ ହେଲା । କମନୀୟ ପୁଷ୍ପର ଆଚ୍ଛାଦନରେ ସୁସଜ୍ଜିତ ପଲଙ୍କକୁ ନେଇ ଆରମ୍ଭ ହେଲା ଯାତ୍ରା । ସୂର୍ଯ୍ୟାଲୋକର ପ୍ରଖର ଦୀପ୍ତିରେ ତାଙ୍କ ମୁଖମଣ୍ଡଳ ଅପୂର୍ବ କାନ୍ତିରେ ଝଲସି ଉଠୁଥାଏ । ପ୍ରଥମେ ବ୍ରଜସୁନ୍ଦର ଦାସ, ବିଚିତ୍ରାନନ୍ଦ ଦାସ, ପ୍ରାଣକୃଷ୍ଣ ପରିଜା ଆଉ କଲେଜ ଛାତ୍ରଗଣ ଶବାଧାରକୁ ଧରି ଯାତ୍ରା ଆରମ୍ଭ କଲେ । ଆଗରେ ସୁବିଶାଳ ସଂକୀର୍ତ୍ତନ ଦଳ ନାମ ସଂକୀର୍ତ୍ତନ ଗାନ କରି ସମସ୍ତ ପରିବେଶକୁ ପବିତ୍ରତାର ବାତାବରଣରେ ଋଦ୍ଧିମନ୍ତ କରୁଥିଲେ, ଯହିଁରେ ଶୋକଚ୍ଛ୍ୱାସର କାରୁଣ୍ୟ ଅତ୍ୟନ୍ତ ଭାବପ୍ରବଣତାର ସହ ଉକୁଟି ଥିଲା । ଅଶ୍ରୁପ୍ଳାବିତ ନୟନରେ ଚାପା କ୍ରନ୍ଦନର ଗୁଞ୍ଜରଣ ଅତୀବ ହୃଦୟ ବିଦାରକ ହୋଇଥିଲା । ମଝିରେ ମଝିରେ ଶୋଭାଯାତ୍ରାକୁ ସ୍ଥଗିତ ରଖି ବିଭିନ୍ନ ସ୍ଥାନର ଚିତ୍ର ଉତ୍ତୋଳନ କରାଯାଉଥିଲା । ରାସ୍ତାର ଦୁଇପାଖରେ କୋଠା ଛାତରୁ ମହିଳାଗଣ ପୁଷ୍ପବୃଷ୍ଟି ସହ ଗଂଗାଜଳ ଆଉ ଅତର ସିଞ୍ଚନ କରି ଚାଲିଥିଲେ । ସଂକୀର୍ତ୍ତନ ଦଳ ପଶ୍ଚାତରେ ଛାତ୍ରଗଣ ମଧୁସୂଦନଙ୍କ ରଚିତ ଦେଶାତ୍ମବୋଧକ ସଂଗୀତ ଐକ୍ୟତାନିକ ସ୍ୱରରେ ଗାନ କରୁଥିଲେ ।

୩୪୪ ଆମ ମଧୁସୂଦନ