ସ୍ରଷ୍ଟାଙ୍କ ଚରଣରେ ଅର୍ପଣ କରି ଧ୍ୟାନମଗ୍ନ ରହିଛନ୍ତି । ସେହି ଧ୍ୟାନ ହିଁ ତାଙ୍କର ଶେଷଧ୍ୟାନ
ହେଲା ।"(ଉତ୍କଳଦୀପିକା)
ମଧୁସୂଦନଙ୍କର ସେହି ମହାଯାତ୍ରା ଚିରକାଳ ଲାଗି ରହିଛି ଅନତିକ୍ରମ୍ୟ । ଜନଶ୍ରୁତି କହେ, ଏହାକୁ ଅତିକ୍ରମ କରିବା ଭଳି ଶୋଭାଯାତ୍ରା, ଏ ପର୍ଯ୍ୟନ୍ତ କଟକ କିମ୍ବା ଓଡ଼ିଶାରେ ସଂଘଟିତ ହୋଇନାହିଁ । ଅଶ୍ରୁପାତର ଅଥଳ ବନ୍ୟା ଓ ହୃଦୟ ଉଦ୍ବେଳନର ଅକୁହା କୁହାଟରେ ସତେ ଯେପରି ଏହା ଦଗ୍ଧ କରିଦେଇଥିଲା ସାରା ଓଡ଼ିଶା ଆଉ କଟକ ସହରକୁ । ଯେପରି ସାରା
ଭୂଖଣ୍ଡ ଆପ୍ଳୁତ ହୋଇଯାଇଥିଲା ଉତ୍ତାଳ ଜୁଆରରେ । କଟକ, କେଉଁଝର, ମୟୂରଭଞ୍ଜ,
ସୋନପୁର କିମ୍ବା ମଣିଆବନ୍ଧ ଶିଳ୍ପୀକୁଳର ଶୋକ କିଭଳି ବେଦନା ବିଧୂରିତ ତାହା ଥିଲା
ଅକଳନୀୟ ।
ବୁଦ୍ଧିଜୀବୀଙ୍କ ମହଲରେ ସେ ପରିଚିତ ଥିଲେ ନବ ଓଡ଼ିଶାର ନିର୍ମାତା ରୂପରେ; ଅଥଚ କଟକର ପ୍ରତିଟି ଦରିଦ୍ର, ନିରନ୍ନ କାରିଗରଙ୍କ ମେଳରେ ସେ ଥିଲେ ନିତିଦିନିଆ ସାଥୀ, ନିୟାମକ ଆଉ ଜୀବନପ୍ରଦାୟକ ସଂସ୍ଥାପକ ।
କଟକର ଲୋକସଂଖ୍ୟା ସେତେବେଳେ ପ୍ରାୟ ପଚିଶି ହଜାରରୁ କମ୍ ଥିବାବେଳେ ଏହି ଶୋଭାଯାତ୍ରାରେ ସହଯାତ୍ରୀ ଥିଲେ ପ୍ରାୟ ଷୋହଳ ହଜାରରୁ ଊର୍ଦ୍ଧ୍ୱ ବ୍ୟକ୍ତି । ବିଭିନ୍ନ ସ୍ଥାନରେ ଉପସ୍ଥିତ ରହି ତାଙ୍କ ପ୍ରତି ସମ୍ମାନ ପ୍ରଦର୍ଶନ କରିଚାଲିଥିଲେ । ଏଥିରୁ କେବଳ ବାଦ୍ ଯାଇଥିଲେ ଶିଶୁ, କିଛି ବୃଦ୍ଧ ଆଉ କଛି ପର୍ଦାନସୀନା ମହିଳା । ପ୍ରାୟ ପାଞ୍ଚ ହଜାର ପରିବାର ମଧ୍ୟରୁ କେତକ ମୁଷ୍ଟିମେୟ ସମ୍ଭ୍ରାନ୍ତ ପରିବାରକୁ ଛାଡ଼ିଦେଲେ ନିଃସ୍ୱବର୍ଗର ପ୍ରତ୍ୟେକ ପରିବାର ଏହି ଶୋଭାଯାତ୍ରାରେ ଅଂଶ
ଗ୍ରହଣ କରିଥିଲେ । ଅନ୍ୟ ଅର୍ଥରେ କଟକର ସମସ୍ତ ପରିବାରଙ୍କ ମଧ୍ୟରୁ ଶତକଡ଼ା ନବେ ଭାଗ
ପରିବାର ଏହି ଶୋଭାଯାତ୍ରାରେ ଅଂଶଗ୍ରହଣ କରିଥିଲେ ।
ଏହି ଶୋଭାଯାତ୍ରାରେ ପ୍ରତିଟି ଶ୍ରମଜୀବୀ, କାରିଗର , ନିରନ୍ନ ଭିକାରୀ, ମାନସିକ ଭାରସାମ୍ୟ ହରାଇଥିବା ପାଗଳ, ଗୀତଗାଇ ଭିକ୍ଷା ଆହରଣ କରୁଥିବା ଅନ୍ଧ ଭିକାରି, କୁଷ୍ଠରୋଗୀ, ଅନାଥାଶ୍ରମର ଅନ୍ତେବାସୀ, ଚମାର ଆଉ ମୋଚି, କୁଶଳୀ ଶିଙ୍ଗ କାରିଗର ଆଉ ଜାତି ଭେଦର ପ୍ରାଚୀରକୁ କାଟିଦେଇ ବ୍ରାହ୍ମଣଠାରୁ ଶୂଦ୍ର ପର୍ଯ୍ୟନ୍ତ, ତାରକସି ଶିଳ୍ପୀ ,ତନ୍ତୀ, ତୈଳିକ ଓ ଦଳିତ ଆଦି ସମସ୍ତେ ଯୋଗ ଦେଇଥିଲେ ।
ଆହାଃ ! ମଧୁସୂଦନ ବ୍ୟକ୍ତିଗତ ଭାବରେ ଏହି ସମସ୍ତ ପରିବାର ସହିତ ଅଚ୍ଛେଦ୍ୟ ଭାବେ ନିବଦ୍ଧିତ ରହିଥିଲେ ଆଉ ପ୍ରତିଟି ପରିବାରର ପ୍ରତିପୋଷଣର ମାର୍ଗଦର୍ଶକ ଭାବରେ ଦଣ୍ଡାୟମାନ ରହି ସେମାନଙ୍କୁ ନିତିଦିନିଆ ରୋଜଗାରର ପନ୍ଥା ଯୋଗାଇ ଚାଲିଥିଲେ ।
ଏହି ମହାଯାତ୍ରାର ବେଳାରେ ବିଳପିତ ହୃଦୟର ଆବେଗରେ ଜଣେ ଓଡ଼ିଆ ଦୀର୍ଘଶ୍ୱାସ ଛାଡ଼ି କହି ଉଠିଥିଲା-"ଆହାଃ ! ଓଡ଼ିଆ ଜାତିର କେଡେ଼ ବଡ଼ ଥାଟ ଆଜି ଚାଲିଗଲା !!"
ଆଉ ଯାହା ରହିଲା, ତାହା କେବଳ ପ୍ରତାରଣାର ଖାଁ ଖାଁ ବିରାଟ ଶୂନ୍ୟତା ।
ପୃଷ୍ଠା:Aama Madhusudan.pdf/୩୪୬
ଏହି ପୃଷ୍ଠାଟି ବୈଧ ହୋଇସାରିଛି
ଆମ ମଧୁସୂଦନ ୩୪୭