ପୃଷ୍ଠା:Aama Madhusudan.pdf/୩୪୭

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ସେ ଥିଲେ ଓଡ଼ିଆ ଜାତିର ତ୍ରାଣକର୍ତ୍ତା । ଦୀର୍ଘ ସାଢେ଼ ତିନିଶହ ବର୍ଷର ଅନ୍ତରାଳରେ ହେଲେ ସ୍ୱତନ୍ତ୍ର ପ୍ରଦେଶର ପ୍ରତିଷ୍ଠାତା । ତାଙ୍କ ଜୀବନର ଯାତ୍ରାପଥ ଥିଲା ବାଧା ନିପୀଡ଼ିତ । ଏ ସମସ୍ତ ସତ୍ତ୍ୱେ ସେ ରହିଛନ୍ତି ଅପରାଜେୟ । ତାଙ୍କର ଅପରାଜିତ ପ୍ରାଣସତ୍ତା କଙ୍କାଳ ସାର ଓଡ଼ିଆ ଜାତିର ମର୍ମରେ ଜୀଜୀବିଷା ଆଉ ଜୈତ୍ର ପ୍ରାଣର ଜିଗୀଷା ସୃଷ୍ଟି କରିଥିଲା । ସେ ମୃତପ୍ରାୟ ଜାତିର ପ୍ରାଣରେ ସଂଜୀବନୀ ସିଞ୍ଚି ଜାତିକୁ ଜୀବନ୍ୟାସ ପ୍ରଦାନ କରିଥିଲେ । ଏବେ ତାଙ୍କ ବିଜୟର ବାହୁଡାଯାତ୍ରା ।
ନିମାଇଁ ହରିଚନ୍ଦନଙ୍କର ଗୀତି ମୂର୍ଚ୍ଛନା ନୀରବିତ ହେଲାଣି । ଯାତ୍ରା ପହଞ୍ଚିଛି ତୁଳସୀପୁରରେ । ଶୀର୍ଣ୍ଣ ଦେବଦାରୁ ବୃକ୍ଷଗୁଡିକରେ ଅସ୍ତଗାମୀ ସୂର୍ଯ୍ୟଙ୍କର ରକ୍ତିମ ଆଭା । ଘରବାହୁଡ଼ା ପକ୍ଷୀମାନଙ୍କ କାକଳିରେ ପରିସର ମୁଖରିତ । ଓଡ଼ିଆ ଜାତିର ଦ୍ୱିତୀୟ ବାରବାଟୀ ମଧୁସ୍ମୃତିରୁ ଆରମ୍ଭ ହୋଇଥିବା ଯାତ୍ରା ଆସି ପହଞ୍ଚିଛି, ଐତିହାସିକ ଜୀର୍ଣ୍ଣ ବାରବାଟୀର ପରିଖା ଧାରରେ, ଯାହା ବହୁ ଶହ ବର୍ଷ ଧରି ଓଡ଼ିଶା ସାମ୍ରାଜ୍ୟକୁ ସୁରକ୍ଷା ପ୍ରଦାନ କରି ଆସିଥିଲା । ଏହି ପରିଖା ଧାରର ନିର୍ଦ୍ଧାରିତ ରାସ୍ତା ଥିଲା ମଧୁସୂଦନଙ୍କ ପ୍ରଭାତୀ ଭ୍ରମଣର ଯାତ୍ରାପଥ । ଏହି ପଥରେ ଚାଲିଥିଲା ମଧୁସୂଦନଙ୍କ ବିଜୟ ବାହୁଡ଼ାର ଯାତ୍ରା । କ୍ରମେ ତ୍ୱରିତ ଗତିରେ ସେହି ଶୋଭାଯାତ୍ରା ଯାଇ ପହଞ୍ଚିଲା, ମହାନଦୀ ତୀରସ୍ଥ ଗୋରା କବରରେ । ସନ୍ଧ୍ୟା ପୂର୍ବରୁ ହିଁ ସମସ୍ତ କର୍ମ ସଂପାଦନ କରିବାର ବିଧିବ୍ୟବସ୍ଥା । ପତ୍ର ଗହଳିରେ ଶୀର୍ଣ୍ଣ ସୂର୍ଯ୍ୟାଲୋକ କ୍ରମଶଃ ଅପସାରିତ ହେବାକୁ ଲାଗିଲା । ଏକ ଉଦାସ ଭାବବିହ୍ୱଳିତ ବିଷଣ୍ଣତାର ଛାୟା ସମସ୍ତ ପରିବେଶକୁ ଆକ୍ରାନ୍ତ କରିଥାଏ । ସେହି ସମୟର ବର୍ଣ୍ଣନା 'ସମାଜ' ପୃଷ୍ଠାରେ ଏହିଭଳି ରୂପାୟିତ ହୋଇଛି -
ହଜାର ହଜାର ଜନତା କବର ଭୂମିରେ ଜମା ହୋଇଥାନ୍ତି । ରାଜ ଦ୍ୱାରେ ଶ୍ମଶାନେ ଚ ଯଃ ତିଷ୍ଠତି ସଃ ବାନ୍ଧବ । ହିନ୍ଦୁ, ମୁସଲମାନ, ଶିଖ, ଖ୍ରୀଷ୍ଟିଆନ, ଦେଶୀ, ବିଦେଶୀ, କଳା, ଗୋରା ସମସ୍ତେ ଯେ ତାଙ୍କର ବନ୍ଧୁ ଥିଲେ ଏହାର ପ୍ରମାଣ ସେହି କବର ଭୂମିରେ ମିଳିଗଲା । ହାଇକୋର୍ଟ ଜଜ୍‍ ମିଷ୍ଟର ଜେମ୍‍ସ, ଜିଲ୍ଲା ଜଜ୍‍ ମିଷ୍ଟର ମେଡ଼ମ୍‍, ପଞ୍ଜାବର ମିଷ୍ଟର ବେରିଲିଙ୍କଠାରୁ ଆରମ୍ଭ କରି କଟକର ସମସ୍ତ ବିଶିଷ୍ଟ ସରକାରୀ ଲୋକ, ଶ୍ରୀଯୁକ୍ତ ଜାନକୀନାଥ ବୋଷଙ୍କଠାରୁ ଆରମ୍ଭ କରି କଟକର ସମସ୍ତ ଓକିଲ, ଅଧ୍ୟାପକ ପରିଜାଙ୍କଠାରୁ ଆରମ୍ଭ କରି କଲେଜର ପ୍ରାୟ ସମସ୍ତ ଅଧ୍ୟାପକ, ବହୁ ସ୍କୁଲ୍‍ କଲେଜର ଛାତ୍ର, କଂଗ୍ରେସ ଏବଂ କଂଗ୍ରେସର ସକଳ କର୍ମୀ, ଖ୍ରୀଷ୍ଟ ସମାଜର ସମସ୍ତ ଲୋକ, ରାଜା, ଜମିଦାର, ଜନସାଧାରଣ, ଖବରକାଗଜର ବହୁ ପ୍ରତିନିଧି, ସ୍କୁଲ୍‍ର ଶିକ୍ଷକ ସମାଜ ସମସ୍ତେ ଉପସ୍ଥିତ ଥିଲେ । ପ୍ରସ୍ତୁତିର ସମୟ ଶେଷ ପର୍ଯ୍ୟାୟରେ ଆସି ପହଞ୍ଚିଲା । ଆସନ୍ନ ପ୍ରାୟ ସନ୍ଧ୍ୟାରେ ଗୋଧୂଳିର ଅର୍ଦ୍ଧ ଆଲୋକିତ ରକ୍ତିମ ଛାୟାର ଉଦ୍‍ଭାସ ସମସ୍ତ ପରିବେଶକୁ ସ୍ତବ୍ଧତାର ବିସ୍ମୟରେ ଭରି ଦେଇଥାଏ । ବୃକ୍ଷ ଶାଖାର ନିଶ୍ଚଳ ସମୟ ଯେପରି ସ୍ଥାଣୁତାର ପରିଧି ମଧ୍ୟରେ ସ୍ଥିର ହୋଇ ଶୋଇଯାଇଥାଏ । ଠିକ୍‍ ଏହି ସମୟରେ ପୁରୀ ଶ୍ରୀକ୍ଷେତ୍ରରୁ ଆସି ପହଞ୍ଚିଲେ ଲୋକନାଥ ମିଶ୍ର, ଜଗବନ୍ଧୁ ସିଂହ, ଜଗନ୍ନାଥ ମିଶ୍ର ପ୍ରମୁଖ । ସାଥିରେ ଆଣିଥିଲେ ଶ୍ରୀ ଜଗନ୍ନାଥଙ୍କୁ ଲାଗି ହୋଇଥିବା ଗଜରା ଆଉ କର୍ପୂର ମାଳ । ଏହି ସବୁ ପୁଣ୍ୟ ପ୍ରସାଦ ଗୁଣରେ ଆଧାରିତ ମାଳାସବୁକୁ ମଧୁସୂଦନଙ୍କର ପବିତ୍ର ଶରୀରରେ ଆଚ୍ଛାଦିତ କରିଦିଆଗଲା । ହଁ, ମଧୁସୂଦନ ଥିଲେ

୩୪୮ ଆମ ମଧୁସୂଦନ