ପୃଷ୍ଠା:Aama Madhusudan.pdf/୩୪୯

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ଶିଶୁ ସମସ୍ତେ ନିଜ ନିଜର ଅସ୍ମିତାକୁ ପାସୋରି ଚାଲି ଥାଆନ୍ତି । ଧର୍ମ ବିଶ୍ୱାସରେ ତୁମ୍ଭେ ଖ୍ରୀଷ୍ଟାନ୍‍ ଥିଲ ବୋଲି, ଖ୍ରୀଷ୍ଟାନ ବିଧିରେ ତୁମର କବର ହେଲା । କିନ୍ତୁ ହିନ୍ଦୁ ମତରେ ତୁମେ ଜାତି ଭାଇଙ୍କର କାନ୍ଧରେ ଗଲ । ହିନ୍ଦୁ ମତରେ ହରିବୋଲ ହୁଳହୁଳିରେ ଗଗନ ଉଚ୍ଛୁଳିଲା, ମୁସଲମାନ ମତରେ ତୁମ ଶବ ବିମାନକୁ ବାଟରେ ଯେ ହାବୁଡ଼ିଲା, ସେ ବିମାନ ବାଉଁଶରେ କାନ୍ଧ ଲଗାଇଲା, ବ୍ରାହ୍ମମତରେ ଶବଯାତ୍ରାବେଳେ ସହଯାତ୍ରୀମାନେ ଉପାସନା କରୁଥାଆନ୍ତି ଓ ବୌଦ୍ଧ ମତରେ ତୁମର ସମାଧି ହେଲା ଓ ତୁମେ ନିର୍ବାଣ ଲାଭ କଲ ।
ଯାଅ ମହାତ୍ମା ! ପରାତ୍ପର ତୁମର ସଦ୍‍ଗତି କରନ୍ତୁ । ତୁମ ଆତ୍ମା ମଙ୍ଗଳମୟଙ୍କର ଅମୃତମୟ କ୍ରୋଡ଼ରେ ଅମୃତ ସେବନ କରି ଶାନ୍ତି ଲାଭ କରୁ । ତୁମେ ଓଡ଼ିଆ ଜାତିକୁ ଯେଉଁ ପ୍ରେରଣା, ଯେଉଁ ଉତ୍ସାହ, ଯେଉଁ ବଳ, ଯେଉଁ ସାହସ, ଯେଉଁ ଆଦର୍ଶ, ଯେଉଁ ଉଦ୍ୟମ ଓ ଉଦାହରଣ ଦେଇଯାଇଅଛ ଓଡ଼ିଆ ଜାତି ତାହାରି ବଳରେ ସମଗ୍ର ଜଗତରେ ଆନ୍ତର୍ଜାତିକ ପ୍ରତିଷ୍ଠା ଲାଭ କରୁ ।
ସେତେବେଳେ 'ସମାଜ' ପତ୍ରିକାରେ 'ଶହେ ବର୍ଷର ଶୃଙ୍ଗ ଭାଙ୍ଗିଲା' ଶିରୋନାମାରେ ମଧୁସୂଦନଙ୍କ ପ୍ରତି ଯେଉଁ ଭାବ ଉଚ୍ଛ୍ୱାସଭରା ବିହ୍ୱଳିତ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଥିଲା, ତାହାର କିଛି ସ୍ମରଣୀୟ ଅଂଶ ନିମ୍ନରେ ପ୍ରଦତ୍ତ ହେଲା ।
'ସମାଜ'ର ଶ୍ରଦ୍ଧାଞ୍ଜଳି-
"ଶହେ ବର୍ଷର ଶୃଙ୍ଗ ଭାଙ୍ଗିଲା"
ଯେ କାଲି କଟକରେ ଥିଲେ ସେ ଆଜି ନାହାନ୍ତି । ଦୁଃଖ ବିପଦରେ ଯାହାଙ୍କ ପରାମର୍ଶ ନେବାପାଇଁ କାଲି ହୁଏତ କେତେ ଲୋକ ବିଚାରୁ ଥିବେ, ସେ ଦେଖିବେ ଆଜି ସେ ନାହାନ୍ତି । ସେ ପ୍ରାୟ ଶହେ ବର୍ଷର ଲୋକ । ହେତୁ ପାଇଲା ଦିନୁ ୬୦/୬୫ ବର୍ଷର ଅଭିଜ୍ଞତା ଯେ ବୁକୁରେ ଧରି ବସିଥିଲେ କେତେ ଦୁଃଖ, କେତେ ବିଘ୍ନ, କେତେ କୌଶଳ ଭିତରେ ସେ ନିଜର ଜୀବନ ଗଢ଼ି ଆସିଥିଲେ, କାର୍ଯ୍ୟ କରି ଆସିଥିଲେ । ତାଙ୍କ ମସ୍ତିଷ୍କରେ, ତାଙ୍କ ଅନ୍ତରରେ, ତାଙ୍କ ଅନୁଭୂତିରେ, ତାଙ୍କ ସ୍ମୃତିରେ କେତେ ସଂପଦ ନଥିଲା ! ରକ୍ତ, ମାଂସ ଦେହ ଶୁଖିଶୁଖି କଳାକାଠ ପଡ଼ିଯାଇଥିଲା, ପ୍ରତ୍ୟେକ ଅଂଗ କ୍ଷୀଣ ହୋଇ ଯାଇଥିଲା; କିନ୍ତୁ ଦୃଷ୍ଟି ଓ ଶ୍ରୁତି ତିଳେମାତ୍ର କ୍ଷୁଣ୍ଣ ହୋଇ ନଥିଲା । ସେ ଗୁରୁ ଗମ୍ଭୀର କଣ୍ଠ ବରାବର ଶେଷ ମୁହୂର୍ତ୍ତ ପର୍ଯ୍ୟନ୍ତ ବୀଣାପରି ବାଜୁଥିଲା । ଯାହା ବୁକୁରେ ଯାହା ମନରେ ଏତେ କଥା, ଏତେ ସ୍ମୃତି ସଂଚିତ ହୋଇ ରହିଥିଲା, ତାଙ୍କରି ନିଃଶ୍ୱାସ ଟିକକ ବନ୍ଦ ହେବା ମାତ୍ରେ ସେ ସବୁ କୁଆଡେ଼ ଉଭେଇଗଲା । ସେ ପବନ ଟିକ ରହିଥିଲେ ସବୁ ରହିଥାନ୍ତା ।
ମଧୁସୂଦନଙ୍କର ପବିତ୍ର ଶରୀରର ଅନ୍ତିମ ସମାଧି ପ୍ରଦାନ ପରେ ସେହି ଚରମ ଦୁଃଖର ମୁହ୍ୟମାନତା ଥିଲା ଅତୀବ ସ୍ତବ୍ଧାୟିତ ଆଉ ନିରାଲମ୍ବ । ନିର୍ବାକ୍‍ ଜନତା କବର ଭୂଇଁରୁ ଫେରୁଥାନ୍ତି ଓଡ଼ିଶାର ଶ୍ରେଷ୍ଠ ସମ୍ପଦକୁ ଭୂମିର ଗହ୍ୱରରେ ସଂପାଦି ଦେଇ । ହେଲେ କାଳକାଳ ଲାଗି ସେହି ତେଜୋଦୀପ୍ତ ଶରୀରର ସମାଧି ହୋଇଛି ଅନୁପ୍ରେରଣାର ଉତ୍ସ । ସେହି ଦୁର୍ବାର ଅବସାଦର ନିବିଡ଼ ଗହ୍ୱରରୁ ଯେଉଁ ଜ୍ୟୋତିର୍ମୟ ଆଶାର ଆଲୋକ, ପ୍ରତିଶ୍ରୁତିର ଦୃଢ଼ ନିର୍ଭରତା ଆଉ ଜାଗରଣର

୩୫୦ ଆମ ମଧୁସୂଦନ