Jump to content

ପୃଷ୍ଠା:Aama Madhusudan.pdf/୩୫୫

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ଚିରକାଳର ବର୍ତ୍ତମାନ : ଗରିମାମୟ
ମଧୁସୂଦନ

ମଧୁବାବୁ !'ଅତୀତ' ହୋଇଥିଲେ ମଧ୍ୟ ଚିରକାଳ ‘ବର୍ଭମାନ' । ଏହି ଦେଶର ସ୍ବତନ୍ତ୍ରତାର ରବି ୧୫୬୮ ସାଲରେ ଅସ୍ତମିତ ହେବା ପରେ ୧୯୩୬ରେ ସ୍ଥାପିତ ହେଲା ସ୍ୱତନ୍ତ୍ର ଓଡ଼ିଶା । ଏହାର ପ୍ରମୁଖ ବିନ୍ଧାଣୀ ଭାବେ ମଧୁସୂଦନ ଦାସ ଚିରକାଳ ଲାଗି ଚିହ୍ନିତ ହୋଇ ରହିବେ ଏକ ଅନିର୍ବାପିତ ଦୀପଶିଖା ଭାବେ । ଜଣେ କୁଶଳୀ ସ୍ଥପତି ରୂପରେ ତାଙ୍କର ଅନବଦ୍ୟ କୃତି ଉତ୍କୀର୍ଣ୍ଣ ହୋଇ ରହିଛି ଏହି ରାଜ୍ୟର ପ୍ରତିଟି ରେଣୁରେ । ତାଙ୍କ ତିରୋଧନରେ, ଶିଳାଲେଖର କାଳଜୟୀ ଖୋଦନ ପରି ଉତ୍କଳଦୀପିକା ଲେଖିଥିଲେ-“ମଧୁସୂଦନ ଓଡ଼ିଶାର ପ୍ରତ୍ୟେକ ଧୂଳିକଣା ଆଉ ପ୍ରତ୍ୟେକ ବାୟୁର ହିଲ୍ଲୋଳକୁ ତାଙ୍କ ଶରୀରର ଅଂଶବୋଲି ଭାବୁଥିଲେ ।" କେତେ ତାତ୍ପର୍ଯ୍ୟପୂର୍ଣ୍ଣ ଥିଲା ଏହି ଅଭିବ୍ୟକ୍ତି । ବାସ୍ତବରେ ସ୍ବତନ୍ତ୍ର ଉତ୍କଳ ଗଠନ ହେଉଛି ଏକ ବିସ୍ମୟାତୀତ ବିସ୍ମୟ । ୧୯୩୬ ସାଲରେ ସମଗ୍ର ଦେଶରେ ବିଭିନ୍ନ ଭାଷାଭାଷୀଙ୍କ ସଂଖ୍ୟା ହିସାବକୁ ନେଲେ ଓଡ଼ିଆଙ୍କ ସଂଖ୍ୟା ଥିଲା ନବମ ସ୍ଥାନରେ । ମାତ୍ର ମଧୁସୂଦନଙ୍କ ନେତୃତ୍ବରେ ଓଡ଼ିଶା ହେଲା ଦେଶର ପ୍ରଥମ ଭାଷାଭିତ୍ତିକ ରାଜ୍ୟ । ତେଣୁ ଧନ୍ୟ ସେ ମଧୁସୂଦନ; ଯାହାଙ୍କ କୌଶଳ, ଚାତୁର୍ଯ୍ୟ ଓ ଅପରିମେୟ ବୁଦ୍ଧିମତ୍ତା ଯୋଗୁଁ ଏହା ସମ୍ଭବ ହେଲା । ଅନ୍ୟଥା ଓଡ଼ିଆ ଜାତି ଭୂପୃଷ୍ଠରୁ ତାହାର ସତ୍ତା ହରାଇ ବସିଥାନ୍ତା ।
ମଧୁସୂଦନ ବିଭାଜିତ ଆଉ ବିଚ୍ଛିନ୍ନ ଓଡ଼ିଆଭାଷୀ ଅଞ୍ଚଳର ମିଶ୍ରଣଲାଗି ୧୯୦୩ ସାଲରେ ଯେଉଁ ଉତ୍କଳ ସମ୍ମିଳନୀ ପ୍ରତିଷ୍ଠା କରିଥିଲେ, ତହିଁରେ ଦେଶ ମିଶ୍ରଣ ମୁଖ୍ୟ ପ୍ରସଙ୍ଗ ଥିଲେ ମଧ୍ୟ ଅର୍ଥନୈତିକ ଭିତ୍ତିରେ କେତେକ କାର୍ଯ୍ୟକ୍ରମ ସେ ଗ୍ରହଣ କରିଥିଲେ । କୃଷକର ଜମିରେ ମୃତ୍ତିକା ପରୀକ୍ଷା ଭିତ୍ତିରେ ନିର୍ଦ୍ଧାରିତ ସାର ପ୍ରୟୋଗ, ଉନ୍ନତ କୃଷିପ୍ରଣାଳୀର ବିନିଯୋଗ ମଧ୍ୟରେ ଲାଭକାରୀ ଫସଲର ଉତ୍ପାଦନ, ଉନ୍ନତ କୃଷି ଯନ୍ତ୍ରପାତିର ପ୍ରୟୋଗ, ଅତ୍ୟାଧୁନିକ ଫ୍ଲାଇ ସଟଲ୍ ଲୁମ୍ ମାଧ୍ୟମରେ ତ୍ୱରିତ ରୀତିରେ ବୟନ ପ୍ରଣାଳୀ, ବସ୍ତ୍ରଶିଳ୍ପରେ ନୂତନ ନକ୍ସା ସହିତ ରାସାୟନିକ ରଂଗର ପ୍ରୟୋଗ, ଗ୍ରାମ୍ୟଶିଳ୍ପରେ ଯାନ୍ତ୍ରିକ ପ୍ରକ୍ରିୟାର ଅନ୍ତର୍ଭୁକ୍ତି, କୃଷିଜାତ ସାମଗ୍ରୀର ସୁଲଭ ମୂଲ୍ୟରେ ବିପଣନ ଓ

୩୫୬ ଆମ ମଧୁସୂଦନ