ପୃଷ୍ଠା:Aama Madhusudan.pdf/୪

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ଏହି ସମସ୍ତ ଦୃଷ୍ଟିକୋଣ ତଥା ମଧୁସୂଦନଙ୍କ ଜୀବନର କିଛି ଅନାଲୋଚିତ ଦିଗ ଉନ୍ମୀଳନ କରି ସ୍ୱତନ୍ତ୍ର ଲେଖାମାନ ପ୍ରକାଶ ଲାଗି ଆବଶ୍ୟକତା ଅନୁଭୂତ ହେଲା । ଏହି ପରିପ୍ରେକ୍ଷୀରେ ମୁଁ ୧୯୯୭ ସାଲରୁ କ୍ରମାଗତ ଭାବେ ମଧୁସୂଦନଙ୍କ ଉପରେ ସ୍ୱତନ୍ତ୍ର ଲେଖାମାନ 'ସମ୍ବାଦ'ରେ ପ୍ରକାଶ କରି ଆସୁଥିଲି ।

'ଆମ ଓଡ଼ିଶା'ର ଅଧ୍ୟକ୍ଷ ଶ୍ରୀ ସୌମ୍ୟରଂଜନ ପଟ୍ଟନାୟକ ବେଶ୍‍ କିଛିବର୍ଷ ହେଲା ଏପ୍ରିଲ ୨୮ ତାରିଖ ମଧୁସୂଦନ ଦାସଙ୍କ ଜୟନ୍ତୀକୁ 'ସ୍ୱାଭିମାନ ଦିବସ' ରୂପେ ସମଗ୍ର ଓଡ଼ିଶାରେ ପାଳନ କରି ଆସୁଛନ୍ତି । ଏହି ପରିପ୍ରେକ୍ଷୀରେ ପ୍ରାୟ ଦୁଇବର୍ଷ ତଳେ, ମଧୁସୂଦନଙ୍କ ଜୀବନୀ ଓ ଉପଲବ୍‍ଧି ଆଧାରରେ ଏକ ପୁସ୍ତକ ରଚନା ପାଇଁ ସେ ମୋତେ ଅନୁରୋଧ କଲେ । ମାତ୍ର ଏଭଳି ଏକ ବିରାଟ ପୁସ୍ତକର ପରିକଳ୍ପନା ଓ ଉପସ୍ଥାପନା ମୋ ପକ୍ଷରେ ସମ୍ଭବ ନଥିଲା । ଅନ୍ୟ ପକ୍ଷରେ କେତେକ ସହୃଦୟ ପାଠକ ପାଠିକା ବିଭିନ୍ନ ସମୟରେ ମଧୁସୂଦନଙ୍କ ଉପରେ ଲେଖିଥିବା ପ୍ରବନ୍ଧଗୁଡ଼ିକୁ ସଂକଳିତ କରି ଏକ ପୁସ୍ତକ ପ୍ରସ୍ତୁତ କରିବାପାଇଁ ଅନୁରୋଧ କରୁଥିଲେ । ସେହି ପ୍ରସ୍ତାବ ଆମ ଓଡ଼ିଶାର ଅଧ୍ୟକ୍ଷ ସୌମ୍ୟରଂଜନ ପଟ୍ଟନାୟକଙ୍କ ସମ୍ମତି ପାଇବା ଫଳରେ ଆଜି ଏହି ପୁସ୍ତକଟି ସମ୍ଭବ ହୋଇଛି । ଏଥିପାଇଁ ମୁଁ ଶ୍ରଦ୍ଧେୟ ସୌମ୍ୟରଂଜନଙ୍କୁ ଆନ୍ତରିକ କୃତଜ୍ଞତା ଜଣାଉଛି ।

ପୁସ୍ତକରେ ସଂକଳିତ ପ୍ରବନ୍ଧଗୁଡ଼ିକ ମୁଖ୍ୟତଃ 'ସମ୍ବାଦ'ରେ ପ୍ରକାଶ ପାଇଥିଲା । ଅନ୍ୟ କିଛି ପ୍ରକାଶ ପାଇଥିଲା 'ଅନୁପମ ଭାରତ', 'ସଚିତ୍ର ବିଜୟା', 'ପ୍ରଜାତନ୍ତ୍ର', 'ଉତ୍କଳ ପ୍ରସଙ୍ଗ', 'ଉତ୍କଳ ସମ୍ମିଳନୀ ସ୍ମରଣିକା' ଆଦିରେ । ବିଭିନ୍ନ ସମୟରେ ଓ ବିଭିନ୍ନ ପ୍ରସଙ୍ଗରେ, ବିକ୍ଷିପ୍ତ ଭାବେ ପ୍ରକାଶ ପାଇଥିବାରୁ ମଧୁସୂଦନଙ୍କ, ଜୀବନର ମୂଳଘଟଣା ଓ ବୃତ୍ତାନ୍ତଗୁଡ଼ିକର ପୁନରାବୃତ୍ତି ଲେଖାଗୁଡ଼ିକରେ ହେବା ଅନିବାର୍ଯ୍ୟ ଥିଲା । ତଥାପି ଯତ୍ପରୋନାସ୍ତି ତାହାକୁ ଏଡାଇବାକୁ ଚେଷ୍ଟା କରିଛି । ଏହି ପୁସ୍ତକ ପ୍ରକାଶନ ସମୟରେ ମୁଁ ଅସୁସ୍ଥ ରହି ପ୍ରାୟ ଶଯ୍ୟାଶାୟୀ ଅବସ୍ଥାରେ ଥିବାରୁ ଯେତିକି ସକ୍ରିୟ ସହଯୋଗ କରିବା କଥା କରିପାରି ନାହିଁ । ତଥାପି ନିର୍ଦ୍ଧାରିତ ସମୟରେ ଏହାକୁ ପ୍ରକାଶ କରିବାରେ 'ଆମ ଓଡ଼ିଶା'ର ସମସ୍ତ ସହଯୋଗୀ ଯେଉଁ ନିଷ୍ଠା ଓ ଆନ୍ତରିକତା ପ୍ରଦର୍ଶନ କରିଛନ୍ତି, ତାହା ମୁଁ ଶ୍ରଦ୍ଧାର ସହ ସ୍ମରଣ କରୁଛି ।

ଆଶା, ସୁଧୀ ପାଠକପାଠିକା ପୁସ୍ତକଟିକୁ ମଧୁସୂଦନଙ୍କ ଉପରେ ଏକ ସମର୍ପିତ ଗ୍ରନ୍ଥ ରୂପରେ ସାଦର ଗ୍ରହଣ କରିବେ ।

- ସୁରସିଂହ ପଟ୍ଟନାୟକ