ପୃଷ୍ଠା:Aama Madhusudan.pdf/୫

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ମାତୃ ଆରାଧନାରେ ଜନ୍ମଭୂମିର

ଆବାହନ

ମୋତେ ସଭାପତି ମହାଶୟ ମା'ଙ୍କ ଆବାହନର କାର୍ଯ୍ୟ ଦେଇଛନ୍ତି । ଏ ମଣ୍ଡପ ମାତୃପୂଜାର ମଣ୍ଡପ । ଅନ୍ୟାନ୍ୟ ସ୍ଥାନମାନଙ୍କରେ ଯେଉଁ ସମ୍ମିଳନୀ ହୁଏ, ସେଠାରେ ମାତୃପୂଜା ହୁଏ ନାହିଁ । ସେସବୁ ଭାଇମାନେ ଏକତ୍ର ମିଳିତ ହୋଇଥାନ୍ତି, ପରସ୍ପରର ମନୋଭାବ ପ୍ରକାଶ କରିବାକୁ । ଏ ଉତ୍କଳବାସୀଙ୍କ ସମ୍ମିଳନୀ- ଜନନୀ ଜନ୍ମଭୂମିଙ୍କ ପୂଜାମଣ୍ଡପ । ପୂଜା କାର୍ଯ୍ୟ ଆରମ୍ଭ ପୂର୍ବରୁ ମାତାଙ୍କର ଆବାହନ ଆବଶ୍ୟକ । ଆବାହନ ବ୍ୟତିରେକେ ପୂଜା ହୋଇ ନ ପାରେ । ବର୍ତ୍ତମାନ ଏଠାରେ ଯେତେ ଭାଇ ଭଉଣୀ ଉପସ୍ଥିତ, ସମସ୍ତଙ୍କ ହୃଦୟରେ ଜନନୀ ଜନ୍ମଭୂମିଙ୍କ ପ୍ରତିମୂର୍ତ୍ତିି ବା ପିତୁଳା ସ୍ଥାପନ ହେବା ଉଚିତ । ଭାଇମାନେ ! ସମସ୍ତେ ଥରେ ତାଙ୍କ ପୁଣ୍ୟ-ପିତୁଳା ହୃଦୟରେ ସ୍ଥାପନ କର । ଏହି କାର୍ଯ୍ୟପାଇଁ ମୁଁ ଆପଣମାନଙ୍କୁ ଅନୁନୟ ବିନୟ କରୁଅଛି, ମାତାଙ୍କ ନାମରେ ଆଜ୍ଞା ଦେଉଛି । ଆମ୍ଭେମାନେ ସମସ୍ତେ ବର୍ତ୍ତମାନ ମାତାଙ୍କ କ୍ରୋଡ଼ରେ ବସିଅଛେ । ଯଦି କେହି ପଚାରନ୍ତି, ମାତାଙ୍କ କ୍ରୋଡ଼ରେ ବସିଥିବା କିପରି ଅନୁଭବ କରାଯାଇପାରେ ? ତାଙ୍କର ପିତୁଳା ହୃଦୟରେ କିପରି ସ୍ଥାପନ କରାଯାଇପାରେ ? ତେବେ କେବଳ ଉପରେ ଲେଖାହୋଇଥିବା 'ଜନନୀ ଜନ୍ମଭୂମିଶ୍ଚ ସ୍ୱର୍ଗାଦପି ଗରୀୟସୀ' ପ୍ରତି ଅଙ୍ଗୁଳି ନିର୍ଦ୍ଦେଶ କରିବି । ଏ ବାକ୍ୟଟି ବହୁକାଳରୁ ଶୁଣାଅଛି, କିନ୍ତୁ ତା'ର ଅର୍ଥ ବୁଝିବାକୁ ବୋଧହୁଏ କେହି ଚେଷ୍ଟା କରନ୍ତି ନାହିଁ । ଦେଖନ୍ତୁ, ପ୍ରଥମେ 'ଜନନୀ', ଦ୍ୱିତୀୟରେ 'ଜନ୍ମଭୂମି', ତୃତୀୟରେ 'ସ୍ୱର୍ଗ' । ପ୍ରତ୍ୟେକ ମନୁଷ୍ୟ ଜୀବନକୁ ଗୋଟିଏ ସ୍ରୋତ ମନେକଲେ ଦେଖିବେ,ଏହି ସ୍ରୋତର ଆଦ୍ୟରେ ଜନନୀ, ମଧ୍ୟରେ ଜନ୍ମଭୂମି, ଶେଷରେ ସ୍ୱର୍ଗ; ପ୍ରତ୍ୟେକ ଆତ୍ମାର ଏହି ଗତି । ଜୀବନର ଆରମ୍ଭ ହୁଏ ଜନନୀଙ୍କଠାରୁ, କାର୍ଯ୍ୟ ରଚନା କରେ ଜନ୍ମଭୂମି ଉପରେ ଓ ଶେଷରେ ପୁରସ୍କାର ସ୍ୱରୂପ ଲାଭକରେ ମୁକ୍ତି ବା ସ୍ୱର୍ଗ । ଏଥିପାଇଁ ଜନନୀ ଜନ୍ମଭୂମି ସ୍ୱର୍ଗଠାରୁ ଗରୀୟସୀ ।

ପ୍ରତ୍ୟେକ ମନୁଷ୍ୟର ଗୋଟିଏ ଆତ୍ମା ଅଛି, ତାହା ଈଶ୍ୱରଙ୍କ ଅଂଶ । ଏହି ଆତ୍ମା ପୃଥିବୀରେ କାର୍ଯ୍ୟକରି ଈଶ୍ୱରଙ୍କଠାରେ ମିଶିଯିବ । ଏ ଆତ୍ମା କେଉଁଠାରେ କାର୍ଯ୍ୟକରୁଛି ? କିପରି ସ୍ୱର୍ଗଲାଭ କରୁଛି ? ଏ ଆତ୍ମା ଜନ୍ମଭୂମିରେ କାର୍ଯ୍ୟ କରେ । ଏ ପୃଥିବୀରେ ହିଁ ମନୁଷ୍ୟ ଦୟା, ଧର୍ମ, ପରୋପକାର ଆଦି ସାତ୍ତ୍ୱିକ କାର୍ଯ୍ୟ କରି ସ୍ୱର୍ଗପ୍ରାପ୍ତ ହୁଏ । ଏଣୁ କହେ, 'ଜନନୀ ଜନ୍ମଭୂମିଶ୍ଚ ସ୍ୱର୍ଗାଦପି ଗରୀୟସୀ' ।