ପୃଷ୍ଠା:Aama Madhusudan.pdf/୬

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ପ୍ରଥମେ ମାତା ରକ୍ତ ଦେଇଥିଲେ । ସେହି ରକ୍ତ ବୃଦ୍ଧି କରିବାପାଇଁ ମୋ ଜନ୍ମଭୂମି ମୋତେ ଶସ୍ୟାଦି ଖାଦ୍ୟ ଦେଉଅଛି । ଅତଏବ ଶରୀରର ଆଦ୍ୟ ପଦାର୍ଥ ଦିଏ ମାତା, ତାହାର ରକ୍ଷକ ଓ ବର୍ଦ୍ଧକ ହୁଏ ଜନ୍ମଭୂମି । ପ୍ରଥମ ସୂର୍ଯ୍ୟାଲୋକ ଦେଖିବାବେଳେ, ଆମେ ଭୂମିଷ୍ଠ ହେଲୁ ବୋଲି କୁହାଯାଏା ଅର୍ଥାତ୍‍ ଆମକୁ ମାତା ଜନ୍ମଭୂମି କ୍ରୋଡ଼ରେ ଅର୍ପଣ କରି ତାହାର ପୂଜା କରିବାକୁ ଆଦେଶ ଦିଅନ୍ତି । ଏହି କଥା ଥରେ ଅନ୍ତଃକରଣରେ ଭାବ, ଶେଷ ଅବସ୍ଥା ସ୍ମରଣ କର । ମା' ଯେଉଁ ରକ୍ତ ଦେଇଥିଲେ, ତାହା ନିଃଶେଷ ହେଲାଣି । କେବଳ ସେ ଶରୀର ଅଛି, ତାହା ମାତୃଭୂମିର ମାଟି ସହିତ ସମାନ । ମାତୃଭୂମି ଉତ୍କଳ କ୍ରୋଡ଼ରେ ଚକ୍ଷୁ ବୁଜି ଥରେ ପ୍ରାର୍ଥନା କର । ହୃଦୟରେ ଜନ୍ମଭୂମିର ପିତୁଳା ଆପେ ଜାଗ୍ରତ ହେବ । ଚକ୍ଷୁ ବନ୍ଦକର, ଦେଖିବ ତୁମ୍ଭ ଭିତରେ ମା' ଅଛନ୍ତି । ଏହି ତ ମାତୃଭୂମିର ପୂଜା ! ଭାଇମାନେ! ପୂଜା ନିମନ୍ତେ ଜନନୀ ଜନ୍ମଭୂମି ଉତ୍କଳ ମାତାଙ୍କର ଆହ୍ୱାନ କର । ସମସ୍ତେ କହ 'ବନ୍ଦଇ ଜନ୍ମଭୂମି' ।

୩୦.୩.୧୯୧୮

ଆମ୍ଭେମାନେ ସମସ୍ତଙ୍କୁ ଭାଇ ବୋଲି ସମ୍ବୋଧନ କରୁଅଛୁ । ତା'ର ମାନେ ଏହି ଯେ, ମୋ ଭାଇ ଯେଉଁ ମାତାଙ୍କ ରକ୍ତ ମାଂସରେ ଗଠିତ, ମୁଁ ସେହି ରକ୍ତ ମାଂସରେ ଗଠିତ । ସମସ୍ତେ ଭାରତ ମାତାର ସନ୍ତାନ । ସମସ୍ତେ ଏକ ରକ୍ତମାଂସ ସମ୍ଭୂତ । ଯେତେବେଳେ ଏ ଜ୍ଞାନ ହେବ, ସେତେବେଳେ ଜାତୀୟ ଜୀବନର ଅଭାବ ରହିବ ନାହିଁ । ଉତ୍କଳର ଅସ୍ତମିତ ଗୌରବ ବିଷୟ ଥରେ ଚିନ୍ତାକର । ଯେତେବେଳେ ଶିଶୁ ସ୍ତ୍ୟପାନ କରୁଥାଏ, ବିଶ୍ୱାସପୂର୍ଣ୍ଣ ନୟନରେ ମାତାର ମୁଖ ପ୍ରତି ତା'ର ଦୃଷ୍ଟି ଥାଏ । ଏହିଠାରେ ଆମ୍ଭେମାନେ ଉତ୍କଳ ଜନନୀ ତଥା ଭାରତ ଜନନୀର କ୍ରୋଡ଼ରେ ବସିଥାଇଁ ଭାବୁ । ସମସ୍ତେ ଏହି କଥା ଭାବ ଓ ପ୍ରତିଜ୍ଞା କର ଯେ ଯେଉଁ ଉତ୍କଳ ଜନନୀ ମୋତେ ଜନ୍ମ ଦେଇଛନ୍ତି, ତା' ସକାଶେ ଏହି ସଭାରେ ଦୃଢ଼ ପ୍ରତିଜ୍ଞା କରୁଛି ଯେ, "ମୁଁ ପ୍ରତିଦିନ ମାତ୍ର ପାଞ୍ଚ ମିିନିଟ୍‍ ସମୟ ଦେଶ କଥା ଭାବିବି ଏବଂ ସମ୍ମିଳନୀ ସକାଶେ, ଉତ୍କଳ ନିମନ୍ତେ ଓ ଭାରତ ନିମନ୍ତେ ଅନ୍ତତଃ ପାଞ୍ଚ ମିିନିଟ୍‍ ସମୟ ବ୍ୟୟ କରିବି ।"

ଏ ମନ୍ତ୍ର ସମସ୍ତେ ମୁହଁରେ ପାଟି କରି କହ । ଏହା ସମ୍ମିଳନୀର ବିଦ୍ୟାରମ୍ଭ ।

ଉତ୍କଳ ଜନନୀ ଓ ଭାରତ ଜନନୀଙ୍କ ମଧ୍ୟରେ କିଛି ପ୍ରଭେଦ ନାହିଁ । ଶରୀରର କୌଣସି ଅଂଶରେ ପୀଡ଼ା ହେଲେ ସେହି ଅଂଶର ଚିକିତ୍ସା କରିବାକୁ ହେବ । କିନ୍ତୁ ଏହି ଅଂଶବିଶେଷର ଚିକିତ୍ସାଦ୍ୱାରା ସମସ୍ତ ଶରୀରର ଉନ୍ନତି ହେବ । ଉତ୍କଳ ଚିକିତ୍ସାର ଉଦ୍ଦେଶ୍ୟ ଭାରତ ଭୂଖଣ୍ଡର ଉନ୍ନତି ।

୧୮.୪.୧୯୦୮
- ମଧୁସୂଦନ ଦାସ