ପୃଷ୍ଠା:Aama Madhusudan.pdf/୬୪

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ସହସ୍ର ରୂପରେ ସହସ୍ର କ୍ଷେତ୍ରରେ
ମଧୁସୂଦନ

ମଧୁସୂଦନଙ୍କ ତିରୋଧାନ ପରେ, ଅର୍ଦ୍ଧଶତାବ୍ଦୀରୁ ଉର୍ଦ୍ଧକାଳ ତାଙ୍କର କାର୍ଯ୍ୟଧାରାକୁ ମୂଲ୍ୟାୟନର କଷଟି ପଥରରେ ପରଖିଥିବା, ଏ ଯୁଗର ଓଡ଼ିଆ ଜାତିର ଅନମନୀୟ ବ୍ୟାଖ୍ୟାକାର ବିଶ୍ବନାଥ କରଙ୍କ କଣ୍ଠରେ ସ୍ୱତଃ ଉଚ୍ଚାରିତ ହୋଇଥିଲା - "ଏକା ମଧୁସୂଦନ ଯେପରି ସହସ୍ର ରୂପ ଧରି, ସମସ୍ତ ଜାତିଟାର ସହସ୍ର କ୍ଷେତ୍ରରେ ବିଚରଣ କରି ଆପଣାକୁ ଖେଳାଇ ଆଉ ମିଶାଇ ଦେଇଥିଲେ । ଓଡ଼ିଆ ଜାତିର ସର୍ବଶ୍ରେଷ୍ଠ, ଅଗ୍ରପୁରୁଷଙ୍କ ପ୍ରତି ଏହାଥିଲା ତାଙ୍କ ଅନ୍ତରର ପରିପ୍ରକାଶ ।
କଲିକତାରେ ପନ୍ଦରବର୍ଷ ଓ ପରବର୍ତ୍ତୀ କାଳରେ ୧୮୯୭ ରେ ଦୀର୍ଘ ଆଠମାସ କାଳ ସମଗ୍ର ୟୁରୋପ ପରିଭ୍ରମଣ କରି ସ୍ବଦେଶ ପ୍ରତ୍ୟାବର୍ତ୍ତନ କରିଥିଲେ ମଧୁବାବୁ । ଫଳରେ ତାଙ୍କର ଦୃଷ୍ଟିକୋଣ ପ୍ରସାରିତ ହୋଇଥିଲା । ସେତେବେଳକୁ ଅବଲୁପ୍ତିର ଚରମ ପର୍ଯ୍ୟାୟରେ ପହଞ୍ଚି ଥିଲା ଓଡ଼ିଆ ଜାତି । କଙ୍କାଳ ସାର ଏ ଜାତିର ପ୍ରତିଟି କ୍ଷେତ୍ରକୁ ସେ ଯେଭଳି ପୁନରୁଜୀବିତ, ପୁନରୁତଥିତ ଓ ସଂସ୍ଥାପିତ କରିଥିଲେ, ତାହାର ପଟ୍ଟାନ୍ତର ନାହିଁ । ଏହାର ବିସ୍ତୃତ ବିବରଣୀ ଉତ୍କଳଦୀପିକାର ସହସ୍ରାଧିକ ପୃଷ୍ଠାରେ ଅତ୍ୟନ୍ତ ହୃଦୟଗ୍ରାହୀ ଭାବରେ ଉପସ୍ଥାପିତ ହୋଇଛି ।
ନୃତ୍ୟ, ସଂଗୀତ, ବାଦ୍ୟ, ପାଶ୍ଚାତ୍ୟ କସର୍ଟ, ରଂ ଗମଂଚ, ରୋଶନାଇ, ନାଟ୍ୟ ପର୍ଯ୍ୟାଲୋଚନାଠାରୁ ଆରମ୍ଭ କରି ବୈଦେଶିକ କ୍ରୀଡ଼ା ପ୍ରଶିକ୍ଷଣ ଓ ପ୍ରତିଯୋଗିତା, ଅରଟରେ ସୂତାକଟା, ରାସାୟନିକ ରଂଗର ପ୍ରୟୋଗ, ଫୁଇ ସଟଲ୍ ତନ୍ତର ସଂଯୋଜନା, ବିଭିନ୍ନ ଅଳକାର, ଉପହାର- ଯୋଗ୍ୟ ଆକାରିକ ବସ୍ତୁନିର୍ମାଣ, ସର୍ବାଧୁନିକ ଯାନ୍ତ୍ରିକ କୌଶଳ ପ୍ରୟୋଗରେ ସୋଲ ଓ ପ୍ରସ୍ତରଠାରୁ ଆରମ୍ଭ କରି ଶିଗ, ପିତ୍ତଳ, କଂସା, ତମ୍ବା, ଆଲୁମିନିୟମ୍, ଲୁହା, ସୁନା, ରୂପା ଆଦି ବିଭିନ୍ନ ଧାତବ ବୟୁ ପ୍ରସ୍ତୁତି ବ୍ୟତୀତ ଆହୁରି ଅନେକ ଦିଗରେ ମଧୁବାବୁଙ୍କ ଆଗ୍ରହ ପରିବ୍ୟାପ୍ତ

ଆମ ମଧୁସୂଦନ ୬୫