ପୃଷ୍ଠା:Aama Madhusudan.pdf/୭୨

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ମଧୁସୂଦନ ଓଡିଶା ଫେରିବା ବେଳକୁ ଓଡ଼ିଶାର ସାଂସ୍କୃତିକ, ଅର୍ଥନୈତିକ ତଥା ରାଜନୈତିକ କ୍ଷେତ୍ରରେ ବିରାଟ ଶୂନ୍ୟତା ହିଁ ରାଜୁତି କରୁଥାଏ । ସବୁ କ୍ଷେତ୍ରରେ ବହିରାଗତ ଜମିଦାର ଓ କର୍ମଚାରୀ ତଥା ଦେଶୀୟ ବଂଗାଳୀମାନଙ୍କର ରାଜତ୍ । ଭାଇ ବୋଲି ଡାକ ଦେଲେ ପ୍ରତି ଉତ୍ତର ଦେବାପାଇଁ ଜଣେ ମାତ୍ର ଓଡ଼ିଆ ନଥିଲେ । ସବୁ ଆଡ଼େ ଖାଁ ଖାଁ ନୀରବତା ଓ ଶୂନ୍ୟତା । ତାହାହିଁ ପ୍ରତିଧ୍ବନିତ ହୋଇଥିଲା ମଧୁସୂଦନଙ୍କ କବିତାରେ-

"ମାଆ ମାଆ ବୋଲି କେତେମୁଁ ଖୋଜିଲି
ମାଆକୁ ପାଇଲି ନାହିଁ
ଭାଇ ଭାଇ ବୋଲି କେତେ ମୁଁ ଡାକିଲି
ନଦେଲେ ଉତ୍ତର କେହି ।


ଗଭୀର ପ୍ରାଣର ଆକୃତିରେ ଉତ୍ସରିତ ହୋଇଛି ଏହି କେତୋଟି ପଦ ।

୧୮୮୨-୮୩ ସାଲ ବେଳକୁ ଓଡ଼ିଶାର ପାରମ୍ପରିକ ତଥା ଶାସ୍ତ୍ରୀୟ ସଂଗୀତର ଧାରା ସଂପୂର୍ଣ୍ଣ ଭାବେ ବିପର୍ଯ୍ୟସ୍ତ । ପୁରୀ ତଥା କେତୋଟି ରାଜଦରବାରକୁ ଛାଡ଼ିଦେଲେ ଓଡ଼ିଶାରେ ସଂଗୀତର ଧାରା ଅଶାଳୀନତାର ପରିଧି ମଧ୍ୟକୁ ଖସି ପଡ଼ିଥିଲା । ଏହାର ପୁନରୁଦ୍ଧାର ପାଇଁ ବ୍ରତୀ ହେଲେ ମଧୁସୂଦନ । ସେ ଆବାଲ୍ୟରୁ ସଂଗୀତ ପ୍ରିୟ ଥିଲେ । କଲିକତାରେ ଷୋହଳ ବର୍ଷ ରହଣି ମଧ୍ୟରେ ସେ ହିନ୍ଦୁସ୍ଥାନୀ ଶାସ୍ତ୍ରୀୟ ସଂଗୀତ ତଥା ପାଶ୍ଚାତ୍ୟ ସଂଗୀତ ସହିତ ନିବିଡ଼ ଭାବେ ପରିଚିତ ଥିଲେ। କଟକ ଆସିବା ପରେ, କଟକର ପ୍ରବୀଣ ସଂଗୀତ ଓୟାଦ୍ ଖାନ୍ତୁ ମିଆଁଙ୍କୁ ଠାବ କରିଥିଲେ । ହିନ୍ଦୁସ୍ଥାନୀ ଶାସ୍ତ୍ରୀୟ ଧାରାରେ ଆଧ୍ୟାତ୍ମିକ ସଂଗୀତ ଗାନରେ ପ୍ରବୀଣ ଥିଲେ ଖାନ୍ ମିଆଁ । ତାଙ୍କ ମୁହଁରେ ଫୁଟି ଉଠୁଥିଲା ସାର୍ଦ୍ଦିକତାର ଉଜ୍ବଳ ଆଭା ଓ ପ୍ରାଣରୁ ଉତ୍ସରିତ ହେଉଥିଲା ଆଧ୍ୟାତ୍ମିକ ସଂଗୀତର ସୁରକାର । ଏହା ଛଡ଼ା କେନ୍ଦ୍ରାପଡ଼ାର ପ୍ରସିଦ୍ଧ ଜମିଦାର ନରେନ୍ଦ୍ର ବଂଶର ପ୍ରଖ୍ୟାତ ଗାୟକ ଗୋକୁଳ ବିହାରୀ ଶ୍ରୀ ଚନ୍ଦନଙ୍କୁ ମଧ୍ୟ ସେ ମନୋନୀତ କରିଥିଲେ । ଏହିଭଳି ଓଡ଼ିଶାର ବିଖ୍ୟାତ ଗାୟକଙ୍କ ସହିତ କଲିକତାର ପ୍ରସିଦ୍ଧ ଗାୟକମାନଙ୍କୁ ଆଣି ମଧୁସୂଦନ ନିଜ ଖର୍ଚ୍ଚରେ ସଂଗୀତ ସମ୍ମିଳନୀମାନ ଆୟୋଜନ କରୁଥିଲେ । ତାହା କ୍ରମେ ଓଡ଼ିଶାର ସଂଗୀତର ଧାରାକୁ ମାର୍ଜିତ ତଥା ଶାସ୍ତ୍ରୀୟ ରୂପ ପ୍ରଦାନ କରିବାରେ ସହାୟକ ହୋଇଥିଲା ।
୧୮୮୧ରେ ଆସିବା ପରେ ମଧୁସୂଦନ ଦୀର୍ଘ ବାରବର୍ଷ ଚାନ୍ଦିନୀଚୌକ ସନ୍ନିକଟ ବିହାରୀବାଗରେବାସ କରୁଥିଲେ । ତାଙ୍କର ବାସଭବନରେ ଗଚ୍ଛିତ ଥିଲା ଭାରତୀୟ ତଥା ୟୁପୀୟ ସମୟ ସଙ୍ଗୀତ-ବାଦ୍ୟଯନ୍ତ୍ର । ପ୍ରତି ଶନିବାର ସଂଧ୍ୟାରେ ତାଙ୍କ ବାସଭବନରେ ରାତ୍ରିକାଳୀନ ସଂଗୀତ ଆସର ବସୁଥିଲା ଓ ପ୍ରଖ୍ୟାତ ସଂଗୀତଜ୍ଞମାନେ ରାତ୍ରିର ବିଳମ୍ବିତ ପ୍ରହର ପର୍ଯ୍ୟନ୍ତ ସଂଗୀତ ପରିବେଷଣ କରୁଥିଲେ । ଏହାପରେ କାଶ୍ମୀର ବ୍ରାହ୍ମଣମାନଙ୍କଦ୍ୱାରା ସ୍ବତନ୍ତ୍ରଭାବେ ପ୍ରସ୍ତୁତ ସୁସ୍ବାଦୁ ଭୋଜନ ଅତିଥିମାନଙ୍କୁ ପରଷା ଯାଉଥିଲା ।

ଆମ ମଧୁସୂଦନ ୭୩