ପୃଷ୍ଠା:Aama Madhusudan.pdf/୭୬

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି


ଅଗ୍ରଣୀ । ଏହି ସମୟରେ ସ୍ଥାୟୀ ରଂଗମଂଚ ସ୍ଥାପନା ଦିଗରେ ଉତ୍କଳର ବରପୁତ୍ର ଶ୍ରୀ ମଧୁସୂଦନ ଦାସଙ୍କର ଉତ୍ସାହ ଜାତ ହୋଇଥିଲା ଓ କଟକ ନଗରରେ ତାଙ୍କରି ଘରଠାରେ ଗୋଟିଏ ସ୍ଥାୟୀ ନାଟ୍ୟଶାଳା ସ୍ଥାପିତ ହୋଇଥିଲା ଏବଂ ନାଟ୍ୟକାରମାନେ ନୂତନ ନାଟକ ଲେଖିବାରେ ଓ ଅଭିନେତାମାନେ ଅଭିନୟରେ ଉତ୍କର୍ଷ ସାଧନ କରିବାରେ ସଚେଷ୍ଟ ହୋଇଥିଲେ ।

(ଓଡ଼ିଆ ନାଟ୍ୟକଳା ପୃଷ୍ଠା-୭୧)


ଏହି ସ୍ଥାୟୀ ରଂଗ ଚରେ ୧୮୮୭ ସାଲ ଡିସେମ୍ବର ୧୦ ତାରିଖରେ ଆମେଚର ଥିଏଟରଙ୍କ ଦ୍ବାରା ହରିଶ୍ଚନ୍ଦ୍ର ନାଟକର ଅଭିନୟ ହୋଇଥିଲା । ବାବୁ ମଧୁସୂଦନ ଦାସ ଏ କାର୍ଯ୍ୟରେ ବିଶେଷ ଉତ୍ସାହ ପ୍ରଦାନ ଓ ବ୍ୟୟବହନ କରିଥିଲେ (ଉତ୍କଳଦୀପିକା- ୧୭-୧୨-୮୭)”

ଏ ବିଷୟରେ ଗୋଟିଏ ପ୍ରଶ୍ନ ଉଠେ, ମଧୁସୂଦନ କଣ କଳାପ୍ରବଣ ବ୍ୟକ୍ତି ଥିଲେ ?
ହଁ, ମଧୁସୂଦନ କଲିକତା ବିଶ୍ବବିଦ୍ୟାଳୟରୁ ଇଂରାଜୀ ସାହିତ୍ୟରେ ସ୍ନାତକୋତ୍ତର ଡିଗ୍ରୀ ହାସଲ କରିଥିଲେ, ଯହିଁରେ ବିଶ୍ୱର ଶ୍ରେଷ୍ଠ ନାଟ୍ୟକାର ସେପିଅରଙ୍କ ନାଟ୍ୟ ସାହିତ୍ୟ ତାଙ୍କର ଅଧ୍ୟୟନର ପ୍ରଧାନ ବିଷୟ ଥିଲା । ପରବର୍ତ୍ତୀ କାଳରେ ବିଭିନ୍ନ ବ୍ୟବସ୍ଥାପକ ସଭାର ରୁ, ଏହି ନାଟକମାନଙ୍କର ସଂଳାପ ଜରିଆରେ ସେ ଭାରତୀୟ କୃଷକ ଓ ଶ୍ରମିକ ଶ୍ରେଣୀର ଅନ୍ତର୍ଦାହର ବେଦନାକୁ ପ୍ରକଟିତ କରିଥିଲେ ।
କଲିକତାରେ ତାଙ୍କର ସୁଦୀର୍ଘ ରହଣି କାଳରେ ସେ ନ୍ୟାସନାଲ ଥିଏଟର ଆଦି ବହୁ ରଂଗମଂଚରେ ପରିବେଷିତ ନାଟକ ପରିଦର୍ଶନ କରି ନାଟକ ଉପସ୍ଥାପନର ଶୈଳୀ ସହିତ କେବଳ ପରିଚିତ ନଥିଲେ, ଏହି ନାଟକ ଗୋଷ୍ଠୀ ସହିତ ତାଙ୍କର ମଧ୍ୟ ସଂପର୍କ ରହିଥିଲା ।
ଏସବୁ ଦୃଷ୍ଟିରୁ ସମଗ୍ର ଓଡ଼ିଶାରେ ପ୍ରଥମ ସ୍ଥାୟୀ ରଂଗମଂଚ ସ୍ଥାପନାର ଦାୟିତ୍ବ ଯେତେବେଳେ ତାଙ୍କ ଉପରେ ଆସି ଆପଣାଛାଏଁ ପଡ଼ିଲା, ସେ କ୍ଷେତ୍ରରେ ତାଙ୍କର ପଛଘୁଞ୍ଚା ଦେବାର ପ୍ରଶ୍ନ ନଥିଲା । କଲିକତାରୁ ସର୍ବାଧୁନିକ ଦୃଶ୍ୟପଟ୍ଟ ଓ ସରଞ୍ଜାମ ଆଣି ସେ ନିଜର ବାସ ଭବନର ପଶ୍ଚାତରେ ବିହାରୀବାଗରେ ସ୍ଥାୟୀ ରଂଗମଂଚ ସ୍ଥାପନା କଲେ ।
ମଧୁସୂଦନ ୧୮୮୮ ସାଲରେ,ତାଙ୍କର ଭାଇ ଗୋପାଳ ବଲ୍ଲଭଙ୍କର ବିବାହ ଉତ୍ସବରେ ତାଙ୍କ ରଂଗମଂଚରେ ବହୁ ନାଟକ ବିପୁଳ ସାଜସଜା ମଧ୍ୟରେ ଅଭିନୀତ କରାଇଥିଲେ ।
ସେହି ସ୍ଥାୟୀ ରଂଗମଂଚର ସ୍ବରୂପ ସଂ ପର୍କରେ ଉତ୍କଳଦୀପିକାର ୧୮୮୮ ଜୁନ୍ ଦୁଇ ତାରିଖରେ ପ୍ରକାଶ ପାଇଥିଲା --
“ମଧୁବାବୁ ଯେପରି ନାଟ୍ୟଶାଳାଟି ନିର୍ମାଣକରି ନାନା ଦୃଶ୍ୟପଟ୍ଟରେ ରଂଜିତ କରିଛନ୍ତି ଏବଂ ରୋସନାଇ (ଆଲୋକସଜା) ଇତ୍ୟାଦିର ସୁବନ୍ଦୋବସ୍ତଦ୍ୱାରା ଯେମନ୍ତ ଉତ୍ସାହ ଦେଇଅଛନ୍ତି, ତହିଁରେ କିଛିକାଳ ସୁନ୍ଦର ରୂପେ କାର୍ଯ୍ୟଟି ନିର୍ବାହ ହେବ ଏବଂ ବର୍ଷାକାଳରେ ସୁଦ୍ଧା ବ୍ୟାଘାତ ହେବନାହିଁ । ଅଭିନେତା ସଂପ୍ରଦାୟ ମଧ୍ୟ ତେମନ୍ତ ମନୋଯୋଗୀ ହୋଇ ଅଛନ୍ତି ତାହା ଆଶାପୂର୍ଣ୍ଣ ଅଟଇ।”

ଆମ ମଧୁସୂଦନ ୭୭