ପୃଷ୍ଠା:Aama Odia Byakarana.pdf/୧୦

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି
ସମ୍ପର୍କରୁ ସିନା ବୁଝିବା

ବର ଓ ଅଶ୍ୱତ୍ଥ ଦୁଇଟି ବଡ଼ ବୃକ୍ଷ ।
ବର ଓ କନ୍ୟା ଉଭୟେ ଶିକ୍ଷିତ ।
ସାବିତ୍ରୀ ଯମଙ୍କୁ ତିନୋଟି ବର ମାଗିଥିଲେ ।
ଗୋପବନ୍ଧୁ ଓଡ଼ିଶାର ଜଣେ ବରପୁତ୍ର ।

ଉପର ବାକ୍ୟଗୁଡ଼ିକରେ ପ୍ରତ୍ୟେକରେ ‘ବର’ ଶବ୍ଦଟି ବ୍ୟବହୃତ ହୋଇଛି । କିନ୍ତୁ ସବୁ ‘ବର’ ଶବ୍ଦର ଅର୍ଥ ସମାନ ନୁହେଁ । ପ୍ରଥମ ବାକ୍ୟରେ ‘ବର’ ଅର୍ଥ ବରଗଛ, ଦ୍ୱିତୀୟରେ ‘ବର’ ଅର୍ଥ ବିଭାହେଉଥିବା ପୁରୁଷ । ତୃତୀୟରେ ‘ବର’ ଅର୍ଥ ଦେବତାଙ୍କୁ ଯାହା ମଗାଯାଏ, ଚତୁର୍ଥରେ ‘ବର’ ଅର୍ଥ ଯୋଗ୍ୟ ବା ଶ୍ରେଷ୍ଠ । ଏହିପରି ବାକ୍ୟରେ ଅନ୍ୟାନ୍ୟ ପଦଗୁଡ଼ିକର ସଂପର୍କରୁ ଭିନ୍ନ ଭିନ୍ନ ଅର୍ଥ ବୁଝାପଡ଼ିଲା ।

ଆମ ଭାଷାରେ କେତେକ ଶବ୍ଦ ଅଛି, ଯେଉଁଗୁଡ଼ିକର ଅର୍ଥ ଭିନ୍ନଭିନ୍ନ । କେଉଁଠି କି ଅର୍ଥ, ତାହା ବାକ୍ୟରେ ଅନ୍ୟ ପଦଗୁଡ଼ିକର ସଂପର୍କରୁ ହିଁ ବୁଝାପଡେ଼ । ଏଭଳି ଶବ୍ଦଗୁଡ଼ିକୁ ବିଭିନ୍ନାର୍ଥକ ଶବ୍ଦ କୁହାଯାଏ ।

କେତେଗୁଡ଼ିଏ ବିଭିନ୍ନାର୍ଥକ ଶବ୍ଦକୁ ବାକ୍ୟରେ ବ୍ୟବହାର କରି ଦେଖାଇ ଦିଆଗଲା ।

ଅମଳ - ଇଂରେଜମାନଙ୍କ ଅମଳରୁ ଆମ ଦେଶରେ ଇଂରାଜୀ ଭାଷା ଚାଲିଛି ।

ଏବର୍ଷ ଭଲ ଫସଲ ଅମଳ ହୋଇନାହିଁ ।

୧୨ ■ ଆମ ଓଡ଼ିଆ ବ୍ୟାକରଣ