ପୃଷ୍ଠା:Aama Odia Byakarana.pdf/୫

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି
କବିତାରୁ କଥା

ବାର୍ଷିକ ପରୀକ୍ଷା ସରିଯାଇଥାଏ । କମଳ ମନ ଆନନ୍ଦରେ ତା ମାମୁଁ ଘରକୁ ଯାଇଥାଏ । ମାମୁଁ ଦିନେ କମଳକୁ ପାଖରେ ବସାଇ ଗୋଟିଏ କବିତା ଗାଇବାକୁ କହିଲେ । କମଳ ଗାଇଲା-

ପଞ୍ଜାବକେଶରୀ ରଣଜିତ ସିଂହ
ଅଶ୍ୱ ଝପଟାଇ ଥରେ
ଦଳବଳ ଘେନି ଯାଉଥିଲେ କାହିଁ
ଜନହୀନ ପଥପରେ ।
ସହସା ଫିଙ୍ଗିଲା ଢେଲାଟିଏ କିଏ
ସତେ ଅବା ଲକ୍ଷ୍ୟ କରି
ବୀର ରଣଜିତ କପାଳେ ବାଜିଲା
ରୁଧିର ପଡ଼ିଲା ଝରି ।
ନ ଦିଶିଲା ତାଙ୍କୁ କେଉଁ ଦିଗେ କିଛି
ତୁରିତେ ଲଗାମ କଷି
ଓହ୍ଲାଇପଡ଼ି ସେ ଅଶ୍ୱରୁ ଅଧୀରେ
ପଥପରେ ଗଲେ ବସି ।

କମଳ ଏତିକି ଗାଇଲା ପରେ ମାମୁଁ କହିଲେ, “କମଳ, ତୁମେ କବିତାଟିରୁ ଯେତିକି ଗାଇଲ, ତାହାକୁ କଥାରେ ଲେଖିପାରିବ ?” କମଳ ଉତ୍ତର ଦେଲା-

ଆମ ଓଡ଼ିଆ ବ୍ୟାକରଣ • ୭