ପୃଷ୍ଠା:Aama Parala Gajapati.pdf/୧୦

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ହୋଇଥିଲା । ତାହାର ବିସ୍ତୃତି ଥିଲା ଗଙ୍ଗାଠାରୁ ଗୋଦାବରୀ ପର୍ଯ୍ୟନ୍ତ । ସେ ଉତ୍କଳକୁ ଜୟ କରିବା (୧୧୧୦-୧୧୧୨) ପରେ ପରେ ଉଭୟ ରାଜ୍ୟର ମିଶ୍ରଣ ହୋଇଯାଇଥିଲା ।

ଚୋଳଗଙ୍ଗଦେବଙ୍କ ପ୍ରଥମ ରାଜଧାନୀ ଥିଲା କଳିଙ୍ଗନଗର / ମୁଖଲିଙ୍ଗମ୍‍ । ହେଲେ ପରେ ପରେ ତାଙ୍କରି ଅଧିକୃତ ବିଶାଳ ଅଞ୍ଚଳର ସୁଶାସନପାଇଁ ୧୧୩୫ ମସିହାରେ ଆପଣାର ରାଜଧାନୀକୁ ସ୍ଥାନାନ୍ତର କରିଥିଲେ ବିଡ଼ାନାସୀ କଟକକୁ । ତେବେ କଳିଙ୍ଗ ନଗର ମଧ୍ୟ ଏକ ଶାସନକେନ୍ଦ୍ର ରୂପେ ତାଙ୍କରି ଅଧୀନରେ ହିଁ ରହିଥିଲା । ଚୋଳଗଙ୍ଗଦେବ କିନ୍ତୁ କଟକରେ ରହି ଶାସନ କାର୍ଯ୍ୟ ଚଳାଇଥିଲେ ଏବଂ ଏହା ଗଙ୍ଗ କଟକ ନାମରେ ପ୍ରସିଦ୍ଧି ଲାଭ କରିଥିଲା । ଏହି ଶାସନକେନ୍ଦ୍ରର ଗଙ୍ଗ ରାଜାମାନେ ଦୀର୍ଘ ଚଉଦ ପୁରୁଷ ପର୍ଯ୍ୟନ୍ତ ରାଜ୍ୟଶାସନ କରିଥିଲେ । ସେହି ସମୟରୁ ୧୯୪୭ ପର୍ଯ୍ୟନ୍ତ କଟକ ହିଁ ଓଡ଼ିଶାର ରାଜଧାନୀ ରୂପେ ରହିଆସିଥିଲା ।

୧୧୩୫ ମସିହାରେ ଗଙ୍ଗକଟକରୁ ବିଶାଳ ଉତ୍କଳ (କଳିଙ୍ଗ ସାମ୍ରାଜ୍ୟ)ର ଶାସନ ଆରମ୍ଭ କରିଥିବା ଚୋଳଗଙ୍ଗଦେବଙ୍କଠାରୁ ଆରମ୍ଭ କରି ଚତୁର୍ଥ ଭାନୁଦେବଙ୍କ ପର୍ଯ୍ୟନ୍ତ ପ୍ରାୟ ତିନିଶହ ବର୍ଷ ଧରି ନିରଙ୍କୁଶ ଭାବେ ଶାସନ ଚଳାଇ ଆସିଥିଲେ ଦ୍ୱିତୀୟ ପାଦର ଗଙ୍ଗରାଜାଗଣ । ଭାନୁଦେବଙ୍କ ରାଉତ ବା ସେନାଧିକାରୀ ରୂପେ କାର୍ଯ୍ୟ କରୁଥିବା କପିଳେନ୍ଦ୍ରଦେବ ୧୪୩୬ରେ ଉତ୍କଳର ରାଜସିଂହାସନ ଅଧିକାର କରି ଏଠାରେ ସୂର୍ଯ୍ୟବଂଶ ପ୍ରତିଷ୍ଠା କରିଥିଲେ ଏବଂ ଭାନୁଦେବ ତାହାଙ୍କର ଶେଷଜୀବନ ଖେମଣ୍ଡି ରାଜବଂଶ ଅଧୀନରେ ଥିବା 'ବାରାଣସୀ'ରେ ଅତିବାହିତ କରିଥିଲେ । ସେହି ବାରାଣସୀ ଆଜିକାର ପାରଳାଖେମଣ୍ଡି ସବ୍‍ଡିଭିଜନ୍‍ ଅନ୍ତର୍ଗତ କାଶିନଗର ଅଞ୍ଚଳ ।

କଳିଙ୍ଗ / ତ୍ରିକଳିଙ୍ଗ ରାଜ୍ୟ ଉଭୟ ପାଦରେ, ପ୍ରାୟ ସାଢେ଼ ଆଠଶହ ବର୍ଷ ଶାସନ କରିଥିବା ଗଙ୍ଗରାଜାଗଣଙ୍କ ମଧ୍ୟରୁ, ସମ୍ଭବତଃ ପ୍ରଥମପାଦର କୌଣସି ରାଜାଙ୍କ ଅମଳରେ ସୁନିଆଁ ଦିନଠାରୁ ସେମାନଙ୍କ ରାଜତ୍ୱର ନୂତନ ବର୍ଷ ଗଣନା ପ୍ରଥା ଆରମ୍ଭ କରିଥିଲେ । ତାହା ଆଜି ପର୍ଯ୍ୟନ୍ତ ଅବ୍ୟାହତ ରହିଛି ଉତ୍କଳୀୟ ଗଜପତି ରୂପେ ସ୍ୱୀକୃତ ପୁରୀ ରାଜବଂଶରେ । ସେହିଦିନରୁ ହିଁ ଓଡ଼ିଆମାନଙ୍କର ନୂତନବର୍ଷ ପାଳିତ ହୋଇଆସୁଛି ଆଜି ପର୍ଯ୍ୟନ୍ତ ।

ତେବେ ଉତ୍କଳରେ ସୂର୍ଯ୍ୟବଂଶର ପ୍ରତିଷ୍ଠା ସଙ୍ଗେସଙ୍ଗେ ଗଙ୍ଗକଟକରୁ ସବୁଦିନପାଇଁ ଗଙ୍ଗବଂଶ ଲୋପ ପାଇଯାଇଥିଲା । ହେଲେ ସେହି ରାଜନ୍ୟବର୍ଗଙ୍କ ଦ୍ୱାରା ଐତିହାସିକ ଦୁର୍ଗ ବାରବାଟୀ ଏବଂ ଆଧୁନିକ ଶ୍ରୀମନ୍ଦିର ସମେତ କୋଣାର୍କର ସୂର୍ଯ୍ୟମନ୍ଦିର, ରେମୁଣାର କ୍ଷୀରଚୋରା ଗୋପୀନାଥ ପ୍ରଭୃତି; ରହିଯାଇଥିଲା ମନ୍ଦିରମାଳିନୀ ଓଡ଼ିଶାରେ ଅନେକ ଅନେକ ଅବିସ୍ମରଣୀୟ କୀର୍ତ୍ତି ।

ସେଇ କୀର୍ତ୍ତିମାନ୍‍ ରାଜନ୍ୟବର୍ଗଙ୍କ ଜଣେ ବଂଶଧର ହେଉଛନ୍ତି ପାରଳା ଗଜପତି କୃଷ୍ଣଚନ୍ଦ୍ର ଦେବ; ସେଇମାନଙ୍କର ଶ୍ରୋତସ୍ୱତୀ ନଦୀର ଧାରଟିଏ । ସେ ହେଉଛନ୍ତି ସେଇ ରାଜନ୍ୟବର୍ଗଙ୍କ ସିଧାସଳଖ ଆତ୍ମଜ । ତାଙ୍କ ନିଜ ଭାଷାରେ 'ଗଙ୍ଗବଂଶର ପ୍ରଥମ ନରପତିଗଣ, ପରବର୍ତ୍ତୀ

ଆମ ପାରଳା ଗଜପତି ୧୧