ପୃଷ୍ଠା:Aama Parala Gajapati.pdf/୧୦୧

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ହେବନାହିଁ । ପୁଣି ତାହା କୌଣସି ବ୍ୟକ୍ତିଗତ ନହୋଇ ଏକ ମହତ୍‍ ଜାତୀୟ କାର୍ଯ୍ୟ ହୋଇଥିବା ଦୃଷ୍ଟିରୁ ସେଭଳି ବିରୋଧକୁ କୌଣସି ଗୁରୁତ୍ୱ ଦିଆଯିବା ଅନୁଚିତ । ବନ୍ଧୁ ତଥା ଶୁଭେଚ୍ଛୁମାନଙ୍କ ଅନୁରୋଧକୁ ଏଡାଇ ଦେଇପାରି ନଥିଲେ ମହାରାଜା ।

୧୯୩୧ ନଭେମ୍ବର ସାତ ତାରିଖ ଦିନ ରାଜଧାନୀ ପାଟଣାଠାରେ ସୀମା କମିଶନ୍‍ର ପ୍ରଥମ ବୈଠକ ଅନୁଷ୍ଠିତ ହୋଇଥିଲା । ସେଠାରେ ତାହାର କାର୍ଯ୍ୟପ୍ରଣାଳୀ ସ୍ଥିର ହୋଇଥିଲା । ସେହିକ୍ରମରେ ଜନସାଧାରଣ, ସରକାରୀ ତଥା ବେସରକାରୀ ଅନୁଷ୍ଠାନଗୁଡ଼ିକ ନିକଟରୁ ସେମାନଙ୍କର ଦାବି, ସ୍ମାରକପତ୍ର ତଥା ଆବେଦନମାନ କମିଟି ନିକଟରେ ଦାଖଲ କରିବାପାଇଁ ବିଜ୍ଞପ୍ତି ପ୍ରକାଶ ପାଇଥିଲା ତତ୍‍ ପରଦିନ ।

ସେହି ଅନୁଯାୟୀ ନୂତନ ଓଡ଼ିଶା ସହିତ ମିଶ୍ରଣ ସପକ୍ଷରେ ଦକ୍ଷିଣ ପଶ୍ଚିମ ମେଦିନାପୁର, ସିଂହଭୂମ, ଖରସୁଆଁ ତଥା ମଧ୍ୟପ୍ରଦେଶ ଅନ୍ତର୍ଗତ ଓଡ଼ିଆ ଭାଷାଭାଷୀ ଅଞ୍ଚଳ ସମେତ ସେଭଳି ଅନେକ ସ୍ଥାନରୁ ବ୍ୟକ୍ତିଗତ ତଥା ସାଂଗଠନିକ ଭାବେ ସ୍ମାରକପତ୍ରମାନ ଆସିଥିଲା । ପୁଣି ଦେଶରେ ସେହିଭଳି କୌଣସି ଶାସନତାନ୍ତ୍ରିକ ପରିବର୍ତ୍ତନ ଅନାବଶ୍ୟକ ବୋଲି ମଧ୍ୟ ଅନେକ ଓଡ଼ିଆ ଏକୀକରଣ ବିରୋଧୀ ଗୋଷ୍ଠୀ ଦାବି ଜଣାଇଥିଲେ । ସେଥିରେ ଅନ୍ତର୍ଭୁକ୍ତ ଥିଲେ ମେଦିନାପୁର ବିଭାଜନ କମିଟି, ଧଳଭୂମ ରାଜ୍ୟ ସ୍ୱତ୍ତ୍ୱାଧିକାରୀ ସଂଘ, ଜାମସେଦପୁର ବଙ୍ଗଳା ସଂଘ, କୋହ୍ଲାଣର ମାଙ୍କିଆ ଗୋଷ୍ଠୀ, ଗଂଜାମର ଡିଫେନ୍‍ସ ଲିଗ୍‍ ପ୍ରଭୃତି ଅନୁଷ୍ଠାନ । ମାନ୍ଦ୍ରାଜ ତଥା ମଧ୍ୟପ୍ରଦେଶ ସରକାରଙ୍କ ତରଫରୁ ମଧ୍ୟ ପ୍ରାୟ ସେହି କ୍ରମରେ ସ୍ମାରକପତ୍ରମାନ ପ୍ରଦତ୍ତ ହୋଇଥିଲା ।

୧୯୩୧ ନଭେମ୍ବର ୨୩ରୁ ଆରମ୍ଭ କରି ଜାନୁଆରି ୧୪ ମଧ୍ୟରେ କମିଶନ୍‍ ପ୍ରତ୍ୟକ୍ଷ ଅନୁସନ୍ଧାନରେ ଯାଇଥିଲେ । ସେଇ ଅବସରରେ ସେମାନେ ଜାମସେଦପୁର, ଚାଇଁବସା, ସମ୍ବଲପୁର, ରାୟପୁର, ମେଦିନାପୁର, ଗୋପାଳପୁର, ୱାଲ୍‍ଟିୟର୍‍, କାକିନାଡ଼ା ଏବଂ କଟକଠାରେ ଜନଗଣଙ୍କଠାରୁ ସାକ୍ଷ୍ୟ ଗ୍ରହଣ କରିଥିଲେ । ସେତିକିବେଳେ ମୋଟ ୪୧୦ ଜଣଙ୍କ ସାକ୍ଷ୍ୟ କମିଶନଙ୍କ ନିକଟରେ ଉପସ୍ଥାପିତ ହୋଇଥିଲା । ତେବେ ଓଡ଼ିଶାର ଉତ୍ତରପଟରୁ ସାକ୍ଷ୍ୟଗ୍ରହଣ ଆରମ୍ଭ କରିଥିବା ଉକ୍ତ କମିଟି ପ୍ରାରମ୍ଭ କାଳରେ ଜନଗଣଙ୍କ ଉନ୍ମାଦନାର ଅଭାବ ଅନୁଭବ କରିଥିଲା । ସିଂହଭୂମ ତଥା ମେଦିନାପୁରର ଲୋକଙ୍କ ମଧ୍ୟରେ ନୂତନ ପ୍ରଦେଶ ଗଠନପାଇଁ ସେଭଳି କୌଣସି ଉତ୍ସାହ ପରିଦୃଷ୍ଟ ହୋଇନଥିଲା ।

ବିଶେଷ ଉଲ୍ଲେଖଯୋଗ୍ୟ ଥିଲା, ସେଠାରେ ସୀମାକମିଟିର ଅନ୍ୟତମ ସଭ୍ୟ ପାରଳା ମହାରାଜାଙ୍କୁ ଭୟଭୀତ କରାଯିବା ଉଦ୍ୟମ । ସେଠିକାର ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନର ବିରୋଧୀ ନେତା ଶ୍ରୀ ବୀରେନ୍ଦ୍ର ସାସମଲ ପାରଳା ମହାରାଜାଙ୍କୁ ଧମକ ଦେଇଥିଲେ "ଖୁଦି ରାମେର୍‍ ଦେଶ୍‍- ଫେରିଯାଅ ଉଡେ଼ଦେର ରାଜା ସେହିଭଳି ସେହି ଅଂଚଳର ହୋ ଆଦିବାସୀଗଣ ମଧ୍ୟ କଳାପତାକା ପ୍ରଦର୍ଶନ କରି କମିଟିକୁ ଫେରିଯିବାପାଇଁ ଆହ୍ୱାନ ଦେଇଥିଲେ ।