ପୃଷ୍ଠା:Aama Parala Gajapati.pdf/୧୦୩

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

'ଆଶା'ରେ ପ୍ରକାଶ ପାଉଥିଲା । ସେହି ପତ୍ରିକାଟି ସେତେବେଳେ ବାସ୍ତବରେ ବିଭିନ୍ନ ଅଞ୍ଚଳରେ ଜନଜାଗରଣ ସୃଷ୍ଟି ଦିଗରେ ପ୍ରମୁଖ ଭୂମିକା ଗ୍ରହଣ କରୁଥିଲା ।

ଉତ୍ତରାଞ୍ଚଳରେ ଏଭଳି ସ୍ଥିତି ଥିବାବେଳେ ଓଡ଼ିଶାର ଦକ୍ଷିଣାଞ୍ଚଳରେ ସ୍ଥିତି କିନ୍ତୁ ଥିଲା ସଂପୂର୍ଣ୍ଣ ଓଲଟା ।

ମହାରାଜା କୃଷ୍ଣଚନ୍ଦ୍ରଙ୍କ ଉଦ୍ୟମରେ ବିଶେଷକରି ଗଂଜାମବାସୀ ଚଳଚଞ୍ଚଳ ହୋଇଉଠିଥିଲେ ସୀମା କମିଟିରେ ସାକ୍ଷ୍ୟ ଦେବାପାଇଁ; ଓଡ଼ିଶା ସହ ସେମାନଙ୍କ ମିଶ୍ରଣ ଦାବି ଜଣାଇବାପାଇଁ । ସେତେବେଳେ ମହାରାଜା ଥିଲେ ଗଂଜାମ ଭୂମ୍ୟଧିକାରୀ ସଂଘର ସଭାପତି । ତେଣୁ ସେହି ପ୍ରଭାବଶାଳୀ ଗୋଷ୍ଠୀକୁ ପ୍ରଥମେ ପ୍ରଭାବିତ କରି ସେ ସେମାନଙ୍କ ମାଧ୍ୟମରେ ଅନ୍ୟମାନଙ୍କୁ ଉତ୍ସାହିତ କରାଇବାପାଇଁ ସବୁମନ୍ତେ ଉଦ୍ୟମ କରିଥିଲେ । ସେ ନିଜେ ଓଡ଼ନେଲ୍‍ କମିଟି ସହିତ ସଂଯୁକ୍ତ ଥିବା ଯୋଗୁଁ ପ୍ରଭାବଶାଳୀ ସ୍ମାରକପତ୍ର ତଥା ବଳିଷ୍ଠ ସାକ୍ଷ୍ୟପ୍ରମାଣ ପ୍ରଦାନ ଏବଂ ଅନ୍ୟାନ୍ୟ ଆୟୋଜନ ସବୁ କରିବାପାଇଁ ଚିକିଟି ରାଜା ଗୌରଚନ୍ଦ୍ରଦେବଙ୍କୁ ଦାୟିତ୍ୱ ଅର୍ପଣ କରିଥିଲେ । ସେମିତି ଦେଖିଲେ ଶଶୀ ରଥ, ଲିଙ୍ଗରାଜ ପାଣିଗ୍ରାହୀ, ଦିଗମ୍ବର ରଥ ପ୍ରମୁଖମାନେ ତ ସଂପୂର୍ଣ୍ଣ ଲାଗିପଡ଼ିଥିଲେ ସେଥିପାଇଁ । ଗୋପାଳପୁରଠାରେ କମିଟି ତରଫରୁ ଏକ ଅସ୍ଥାୟୀ କାର୍ଯ୍ୟାଳୟର ଆୟୋଜନ କରାଯାଇଥିଲା ଏବଂ ସେଠିକାର ଦାୟିତ୍ୱରେ ରହିଥିଲେ ଜଣେ ଆଇ. ସି. ଏସ୍‍. ଅଫିସର ।

ସୀମା କମିଟି ବ୍ରହ୍ମ‌ପୁର ରେଳଷ୍ଟେସନ୍‍‌ରେ ପହଞ୍ଚିବା ବେଳକୁ ସେଠାରେ ହଜାର ହଜାର ଲୋକଙ୍କର ହର୍ଷୋତ୍‍ଫୁଲ୍ଲ ସମାବେଶ । ତାଳ, ମୃଦଙ୍ଗ ଓ ସଂକୀର୍ତ୍ତନରେ ଆକାଶ ପାତାଳ ପ୍ରକମ୍ପିତ । ସ୍ୱେଚ୍ଛାସେବକ ବାହିନୀକୁ ପରିଚାଳିତ କରୁଥିଲେ ଶଶୀ ରଥ । ତେଲୁଗୁଭାଷୀ ଲୋକ ମଧ୍ୟ ଶ୍ରୀ ରାମଲିଙ୍ଗମ୍‍ଙ୍କ ନେତୃତ୍ୱରେ ସେହି କମିଟିକୁ ଭବ୍ୟ ସ୍ୱାଗତ କରି ବ୍ରହ୍ମ‌ପୁର ରେଳଷ୍ଟେସନ୍‍ରେ ହିଁ ଆପଣାର ଗୁରୁତ୍ୱ ପ୍ରଦାନ କରିବାପାଇଁ ଯୋଜନା କରୁଥିବାର ଟିକିନିଖି ଖବର ଥିଲା ତାଙ୍କ ନିକଟରେ । ସେମାନଙ୍କର ଯୋଜନା ଥିଲା- ପ୍ରଥମରୁ ହିଁ ଏକତ୍ର ନହୋଇ ସେମାନେ ସାରା ଷ୍ଟେସନ୍‍ର ଏ କୋଣରୁ ସେ କୋଣ ପର୍ଯ୍ୟନ୍ତ ବିଚ୍ଛୁରିତ ହୋଇ ରହିଥିବେ । ଟ୍ରେନ୍‍ ଲାଗିବା ସଂଗେସଂଗେ ଏକତ୍ରିତ ହୋଇ କମିଟି ମୁଖ୍ୟଙ୍କୁ ସମ୍ବର୍ଦ୍ଧନା ଜଣାଇବେ । ସେଇ ଖବର ମଧ୍ୟ ଥିଲା ଶଶୀ ରଥଙ୍କ ନିକଟରେ । ତେଣୁ ସେ ଓଡ଼ିଆମାନଙ୍କୁ ଏଭଳି ଭାବରେ ସଂଗଠିତ ଓ ସଂଘବଦ୍ଧ କରାଇ ପ୍ରଥମରୁ ହିଁ ରଖିନେଇଥିଲେ ଯେ ତେଲୁଗୁ ଜନସମୁଦାୟ ଆଉ ଏକତ୍ର ହେବାର ସାମାନ୍ୟ ସୁଯୋଗ ମଧ୍ୟ ପାଇ ପାରି ନଥିଲେ । ଏପରିକି ଖୋଦ୍‍ ରାମଲିଙ୍ଗମ୍‍ ମଧ୍ୟ ସେଇ ପ୍ରବଳ ଜନସମାଗମ ଭିତରେ ଆଦୌ ଆଗକୁ ଯାଇ ପାରି ନଥିଲେ । ତାଙ୍କରି ପରିଧାନ ଅବିନ୍ୟସ୍ତ ହୋଇ ଯାଇଥିଲା ସେଇ ଜନଗହଳି ମଧ୍ୟରେ । ଫେରିଆସିବାକୁ ବାଧ୍ୟ ହୋଇଥିଲେ । ଗଂଜାମର ପାରମ୍ପରିକ ଓଡ଼ିଆ ସଂସ୍କୃତି ତାଳ-ସଂକୀର୍ତ୍ତନ ସହିତ ଓଡ଼ିଆ ନେତୃବୃନ୍ଦ