ପୃଷ୍ଠା:Aama Parala Gajapati.pdf/୧୦୫

ଉଇକିପାଠାଗାର‌ରୁ
Jump to navigation Jump to search
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ଅଣଆନୁଷ୍ଠାନିକ ଭାବେ ରାଜା ଗୌରଚନ୍ଦ୍ରଙ୍କ ତରଫରୁ ଚିକିଟି ରାଜପ୍ରାସାଦରେ ଏକ ସାଂଧ୍ୟମିଳନର ଆୟୋଜନ କରାଯାଇ ସମ୍ବର୍ଦ୍ଧନା ଦିଆଯାଇଥିଲା ସୀମାକମିଟିକୁ । ସେଠାରେ ଗଂଜାମର ସବୁ ରାଜା, ଜମିଦାର ଏକତ୍ର ହୋଇ ମି. ଓଡ଼ନେଲ୍‍ଙ୍କୁ ସମ୍ବର୍ଦ୍ଧନା ଜ୍ଞାପନ କରିଥିଲେ ଏବଂ ମାନପତ୍ରମାନ ପ୍ରଦତ୍ତ ହୋଇଥିଲା । ପଣ୍ଡିତ ରାଧାମୋହନ ବକ୍ସି ସଂସ୍କୃତ ଭାଷାରେ ଏକ ସାରଗର୍ଭକ ଭାଷଣ ମାଧ୍ୟମରେ ଗଂଜାମର ତତ୍‍କାଳୀନ ଦୁରବସ୍ଥା ବର୍ଣ୍ଣନା କରିଥିଲେ । ସେଥିରେ ଓଡ଼ନେଲ୍‍ଙ୍କ ହୃଦ୍‍ବୋଧ ହୋଇଥିଲା ଯେ ବାସ୍ତବରେ ତାହା ଓଡ଼ିଆବାସୀଙ୍କ ବାସସ୍ଥଳୀ ଏବଂ ସମ୍ଭବତଃ ସେଇ କାରଣରୁ ହିଁ ତାଙ୍କରି ସୁପାରିସରେ ସେହି ଅଞ୍ଚଳ ହୋଇଥିଲା ଓଡ଼ିଶାର ଶେଷସୀମା ।

ଏଭଳି ସମସ୍ତ ସାକ୍ଷ୍ୟପ୍ରମାଣ ସତ୍ତ୍ୱେ ଆନୁଷ୍ଠାନିକ ଭାବେ ମାନ୍ଦ୍ରାଜ ସରକାରଙ୍କ ଜନଗଣନା ବିଭାଗର ମୁଖ୍ୟ ମି ଇଟସ୍‍ ପ୍ରଦାନ କରିଥିବା ତଥ୍ୟ ଉପରେ ବିଶେଷ ଭାବରେ ନିର୍ଭର କରିଥିଲେ ମିଷ୍ଟର ଓଡ଼ନେଲ୍‍ । ଓଡ଼ିଆ ଭାଷାଗରିଷ୍ଠ ଅଞ୍ଚଳ ଏବଂ ଜାତି ଗରିଷ୍ଠ ଅଞ୍ଚଳଗୁଡ଼ିକୁ ଚିହ୍ନଟ କରି ମିଷ୍ଟର ଇଟିସ୍‍ ସୀମା କମିଟିକୁ ଦୁଇଟି ମାନଚିତ୍ର ପ୍ରଦାନ କରିଥିଲେ । ଉଭୟ ମାନଚିତ୍ରରେ ଅନେକ ଭ୍ରାନ୍ତି ରହିଥିଲା । ତଥାପି ଜାତିଭିତ୍ତିକ ମାନଚିତ୍ରକୁ କମିଟି ସଭ୍ୟ ମହାରାଜା ଅଧିକ ଗୁରୁତ୍ୱ ପ୍ରଦାନ କରିଥିଲେ ସୁଦ୍ଧା ଓଡ଼ନେଲ୍‍ କିନ୍ତୁ ତାହାକୁ ଗ୍ରହଣଯୋଗ୍ୟ ମନେ କରିନଥିଲେ । ସେହିଭଳି ଓଡ଼ିଶା ସହ ମିଶ୍ରଣପାଇଁ ବିଭିନ୍ନ ପ୍ରଦେଶାନ୍ତର୍ଗତ ଓଡ଼ିଆଭାଷୀ ଅଞ୍ଚଳଗୁଡ଼ିକର ଦୃଢ଼ ଦାବି ଉପସ୍ଥାପିତ ହୋଇଥିବା ବେଳେ ତାର ବିରୋଧ ମଧ୍ୟ କରାଯାଇଥିଲା ତତ୍‍କାଳ । ତେବେ ସଂପୃକ୍ତ ରାଜ୍ୟଗୁଡ଼ିକର ଜନଗଣନା ଅଧିକାରୀଙ୍କଠାରୁ ସେସବୁ ନିର୍ଦ୍ଧିଷ୍ଟ ଅଞ୍ଚଳଗୁଡ଼ିକର ଜନସଂଖ୍ୟା, ମାତୃଭାଷା, ଅନ୍ୟ ଜ୍ଞାତବ୍ୟ ଭାଷା, ତଥା ଜାତି ସଂପର୍କରେ ବିଭିନ୍ନ ତଥ୍ୟାବଳୀର ବରାଦ କରିଥିଲେ ସୀମା କମିଟି ।

ସେସବୁର ଅଧ୍ୟୟନ କରି ସୀମା କମିଟି ନୂତନ ଓଡ଼ିଶାପାଇଁ ଯେଉଁ ସୀମା ସରହଦ ସ୍ଥିର କରିଥିଲେ ସେଥିରେ ଥିଲା ବିହାର ଓଡ଼ିଶାର ଓଡ଼ିଶା ଡିଭିଜନ୍‍ ସମେତ ଅନୁଗୋଳ ରାଜ୍ୟ, କେନ୍ଦ୍ର ପ୍ରଦେଶର ପଦ୍ମପୁର ଏବଂ ଖଡ଼ିଆଳ ରାଜ୍ୟ ମାନ୍ଦ୍ରାଜ ଶାସନରୁ ଗଂଜାମ ଏବଂ ବିଶାଖାପାଟଣାର କିଛିକିଛି ଅଞ୍ଚଳ । ଏବଂ ଏଠାରେ ବିଶେଷ ଉଲ୍ଲେଖଯୋଗ୍ୟ ଥିଲା- ପ୍ରସ୍ତାବିତ ନୂତନ ଓଡ଼ିଶାରେ ପାରଳାଖେମୁଣ୍ଡି ଅନ୍ତର୍ଭୁକ୍ତ ହୋଇ ନଥିଲା । କମିଟିର ଅନ୍ୟାନ୍ୟ ସଭ୍ୟଗଣ ସେହି ପ୍ରସ୍ତାବରେ ସହମତ ନଥିଲେ ସୁଦ୍ଧା ଅଧ୍ୟକ୍ଷ ମି. ଓଡ଼ନେଲ୍‍ଙ୍କ ଯୁକ୍ତିଥିଲା ପାରଳା ଜମିଦାରୀ ଏକ ତେଲୁଗୁ ଭାଷା ବହୁଳ ରାଜ୍ୟ । ସେ ଜନଗଣନା ନିର୍ଦ୍ଦେଶକ ମି. ଇଟ୍‍ସ ଏବଂ ଅନ୍ୟ ଜଣେ ଆଇ.ସି.ଏସ୍‍. ଅଫିସର ମଷ୍ଟିର କ୍ରୋମ୍ବେଙ୍କଦ୍ୱାରା ସେହି ଦିଗରେ ଅଧିକ ପ୍ରଭାବିତ ହୋଇଥିବା ସମ୍ଭାବନା ଥିଲା ଅଧିକ । ମିଷ୍ଟର ଇଟସ୍‍ ଓଡ଼ିଶା ଆନ୍ଦୋଳନ ବିରୋଧୀ ମାନ୍ଦ୍ରାଜ ସରକାରଙ୍କ ଜଣେ ପଦସ୍ଥ ଅଫିସର ରହିଥିବା ବେଳେ ମିଷ୍ଟର କ୍ରୋମ୍ବେ ଥିଲେ ବ୍ୟକ୍ତିଗତ ଭାବେ ମହାରାଜାଙ୍କ ବିରୋଧୀ । ଅତୀତରେ ସେ