ପୃଷ୍ଠା:Aama Parala Gajapati.pdf/୧୦୬

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ପାରଳା ମହାରାଜାଙ୍କର ଦେବାନ୍‍ ଭାବେ କାର୍ଯ୍ୟରତ ଥିଲେ ପାରଳାରେ । କିନ୍ତୁ ତାଙ୍କର ପ୍ରଜାବିରୋଧୀ ଏବଂ ଅତି ଅହଂକାରୀ ମନୋଭାବ ଯୋଗୁଁ ଏକଦା ମହାରାଜା ୨୪ ଘଣ୍ଟା ମଧ୍ୟରେ ରାଜ୍ୟ ଛାଡ଼ି ଚାଲିଯିବାପାଇଁ ଆଦେଶ ଦେଇଥିଲେ । ଆଇ.ସି.ଏସ୍‍. ଅଫିସର ହୋଇଥିବା ଯୋଗୁଁ ଆତ୍ମବଡ଼ିମାଯୁକ୍ତ କ୍ରୋମ୍ବେ ତାହା ନ କରିବାରୁ ସେ ରହୁଥିବା ଅତିଥି ଭବନର ପାଣି ଓ ଆଲୁଅ ବ୍ୟବସ୍ଥା ବନ୍ଦ କରାଇ ଦେଇଥିଲେ ମହାରାଜା । ତତ୍‍‌ପରେ ବାଧ୍ୟହୋଇ ଏକ ପ୍ରକାର ତଡ଼ା ଖାଇ ପାରଳା ତ୍ୟାଗ କରିଥିଲେ ସେ । ତତ୍‍‌ପରେ ମାନ୍ଦ୍ରାଜ ସରକାରଙ୍କ ଅଧୀନରେ ଜମିଜୁମା ବିଭାଗର ସେକ୍ରେଟାରୀ ରୂପେ ନିଯୁକ୍ତ ହୋଇଥିଲେ । ତେବେ ସେ ମି. ଓଡ଼ନାଲ୍‍ଙ୍କୁ ମହାରାଜାଙ୍କ ବିରୁଦ୍ଧରେ ପ୍ରଭାବିତ କରିଥିବା ସମ୍ଭାବନା ଥିଲା ଅଧିକ ।

ସୂର୍ଯ୍ୟର ଆଲୋକକୁ କେବେ କ'ଣ ଅସ୍ୱୀକାର କରାଯାଇପାରିବ ? ସୀମା କମିଟିର ଅନୁସନ୍ଧାନ ବେଳେ ସେ ଯେଉଁ ମତାମତ ରାଜ୍ୟର ତେଲୁଗୁ ପ୍ରଜାଗଣ ତଥା ଆଦିବାସୀ ସଂପ୍ରଦାୟଗୁଡ଼ିକ ନିକଟରୁ ପ୍ରକାଶ୍ୟ ଭାବରେ ପାଇଥିଲେ ତାହାକୁ ଅସ୍ୱୀକାର କରିବା ସମ୍ଭବ ନଥିଲା । ତେଣୁ କମିଟି ସୁପାରିସରେ ଛତ୍ରେଛତ୍ରେ ମହାରାଜାଙ୍କର ଭୂରିଭୂରି ପ୍ରଶଂସା କରାଯାଇଥିଲା । ମୁକ୍ତ କଣ୍ଠରେ ସେମାନେ ସ୍ୱୀକାର କରିଥିଲେ ଯେ ସେହିଭଳି କମିଟି ଗଠନ ସମ୍ଭବ ହୋଇଥିଲା କେବଳ ମହାରାଜାଙ୍କ ଯୋଗୁଁ- ସେ ପ୍ରଥମ ଗୋଲଟେବୁଲ୍‍ ବୈଠକରେ ବାଢ଼ିଥିବା ଏବଂ ସର୍ବସମ୍ମତିକ୍ରମେ ଗୃହୀତ ହୋଇଥିବା ପ୍ରସ୍ତାବଯୋଗୁଁ । ବାସ୍ତବରେ ସେଥିରୁ ତାହାଙ୍କର ଜାତୀୟ ମମତାର ଔଜଲ୍ୟ ପ୍ରକାଶିତ ହୋଇଥିଲା । ଅନୁସନ୍ଧାନ କାଳରେ ଅଭିଜ୍ଞତା ଆଧାରରେ କିଭଳି ଭାବରେ ତାହାଙ୍କର ତେଲୁଗୁ ପ୍ରଜା, କନ୍ଧ-ସଉରା ଇତ୍ୟାଦି ପାହାଡ଼ିଆ ଆଦିବାସୀ ସଂପ୍ରଦାୟ ତଥା ଜମିଦାରୀ ଅଞ୍ଚଳର ଓଡ଼ିଆ ଜନଗଣ ମହାରାଜାଙ୍କୁ ପିତୃତୁଲ୍ୟ ସ୍ନେହ, ଶ୍ରଦ୍ଧା ଏବଂ ଭକ୍ତି କରୁଥିଲେ ତାହାର ଏକ ସ୍ପଷ୍ଟଚିତ୍ର ପ୍ରତିଫଳିତ ହୋଇଥିଲା କମିଟି ସୁପାରିସରେ । ତଥାପି ସେମାନଙ୍କ ଅନୁଭବ ଥିଲା ଜମିଦାରିର ଅଧିକାଂଶ ପାହାଡ଼ିଆ ପ୍ରଜା ଥିଲେ ତେଲୁଗୁ ଭାଷୀ ବ୍ୟକ୍ତି । କିନ୍ତୁ ମହାରାଜାଙ୍କୁ ଜଣେ ସଂସ୍କୃତିସଂପନ୍ନ ଓଡ଼ିଆ ରାଜା ଭାବରେ ଅଭିହିତ କରାଯାଇ ତାହାଙ୍କର ଓଡ଼ିଶାର ଗଜପତି ପୁରୀ ରାଜାଙ୍କ ସହିତ ପାରିବାରିକ ସଂପର୍କ ବିଷୟରେ ମଧ୍ୟ ଉଲ୍ଲେଖ କରାଯାଇଥିଲା । ସେ ଆପଣାର ଜମିଦାରି ସହ ଓଡ଼ିଶାରେ ମିଶିବାପାଇଁ ଆଗ୍ରହୀ ଥିବା ସ୍ପଷ୍ଟ କରାଯାଇଥିଲେ ସୁଦ୍ଧା ବର୍ତ୍ତମାନ ଅପେକ୍ଷା ଭବିଷ୍ୟତ ସମୟର ଅନାଗତ ଆଶଙ୍କା ଜନ୍‍ ଓଡ଼ନାଲଙ୍କୁ ଅଧିକ ପ୍ରଭାବିତ କରିଥିଲା । ତାଙ୍କରି ବିଚାର ଥିଲା ବର୍ତ୍ତମାନ ଏକ ସ୍ୱରରେ ତେଲୁଗୁ ଓ ଓଡ଼ିଆ ପ୍ରଜାଗଣ ମହାରାଜାଙ୍କର ଜୟଜୟକାର କରୁଥିଲେ ସୁଦ୍ଧା ଏବଂ ବର୍ତ୍ତମାନ ଅତି ଉତ୍ତମ ଭାବରେ ଜମିଦାରି ପରିଚାଳିତ ହେଉଥିଲେ ସୁଦ୍ଧା ଜମିଦାରଙ୍କ ବିଚାରଧାରା ଭବିଷ୍ୟତରେ ପରିବର୍ତ୍ତିତ ହୋଇଯାଇପାରେ; ତାଙ୍କରି ଉତ୍ତରାଧିକାରୀଗଣ ଅନ୍ୟ ଭାଷୀ ଲୋକଙ୍କ ପ୍ରତି ପକ୍ଷପାତ ବିଚାର କରିପାରନ୍ତି ।