ପୃଷ୍ଠା:Aama Parala Gajapati.pdf/୧୦୮

ଉଇକିପାଠାଗାର‌ରୁ
Jump to navigation Jump to search
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ବିସ୍ତୃତ ବିବରଣୀଯୁକ୍ତ ଏକ ସ୍ମାରକପତ୍ର ପ୍ରଦାନକରି ୧୯୩୨ ମସିହା ସେପ୍ଟେମର ୧୭ ତାରିଖ ଦିନ ସିମଳାଠାରେ ଦଳର ନେତା ମହାରାଜା ପ୍ରଥମେ ବଡ଼ଲାଟଙ୍କ ସହ ଆଲୋଚନା ଆରମ୍ଭ କରିଥିଲେ । ଇଂରେଜ ସାମ୍ରାଜ୍ୟର ହିତାକାଂକ୍ଷୀ ପ୍ରଜା ରୂପେ ବିଗତ ଯୁଦ୍ଧବେଳେ ଦୈହିକ ତଥା ଆର୍ଥିକ ସହାୟତାର ନିଦର୍ଶନ ଦେଇ ସେଇ ଓଡ଼ିଆ ପ୍ରଜାଗଣ କିଭଳି ଚାରୋଟି ପ୍ରାଦେଶିକ ସରକାରରେ ନିର୍ଯ୍ୟାତିତ ଅବସ୍ଥାରେ କାଳାତିପାତ କରୁଛନ୍ତି ତାହା ଆଲୋଚନା କରିଥିଲେ । ନୂତନ ଓଡ଼ିଶାରେ ଜାତିଗତ ପ୍ରଶ୍ନ ନେଇ ଯେ କଦାପି ବିଦ୍ୱେଷ ସୃଷ୍ଟି ହେବ ନାହିଁ କିମ୍ବା ଶାସନଗତ ଅସୁବିଧା ହେବନାହିଁ ତାହା ଉଲ୍ଲେଖକରି ଓଡ଼ିଆମାନଙ୍କର ଦୀର୍ଘ ଦିନର ଅଭିଳାଷ ଶୀଘ୍ରାତିଶୀଘ୍ର ପୂରଣ ପାଇଁ ଅନୁରୋଧ ଜଣାଇଥିଲେ ।

ପ୍ରତିନିଧି ଦଳର ସଦସ୍ୟ ଶ୍ରୀ ଭୁବନାନନ୍ଦ ଦାସ ନୂତନ ପ୍ରଦେଶର ଆର୍ଥିକ ବିଭବ ସଂପର୍କରେ ଏବଂ ଶ୍ରୀ ଲିଙ୍ଗରାଜ ପାଣିଗ୍ରାହୀ ସୀମା ସରହଦ ସଂପର୍କରେ ଆଲୋଚନାମାନ କରିଥିଲେ । ସେତେବେଳେ ବଡ଼ଲାଟଙ୍କ ଦୃଷ୍ଟି ଆକର୍ଷଣ କରି ପୂର୍ବରୁ ତୃଣମୂଳ ସ୍ତରକୁ ଯାଇ ଏବଂ ପ୍ରତ୍ୟକ୍ଷ ଭାବେ ଜନଗଣଙ୍କ ସହିତ ସଂପର୍କ ସ୍ଥାପନକରି ମତ ରଖିଥିବା ଫିଲପ୍‍-ଡଫ୍‍ କମିଟି ତଥା ଅଟଲି ସବ୍‍କମିଟିର ମତାମତକୁ ସୀମାକମିଟି କିଭଳି ଉପେକ୍ଷା କରିଛି ଏବଂ କିଭଳି କେବଳ ମାନ୍ଦ୍ରାଜ ସରକାରୀ ଶାସନାନ୍ତର୍ଗତ ତେଲୁଗୁଭାଷୀଗଣ ନୂତନ ପ୍ରଦେଶ ଗଠନକୁ ତୀବ୍ର ବିରୋଧ କରୁଛନ୍ତି ତାହା ସୂଚାଇ ଦେଇଥିଲେ । ସେତିକିବେଳେ ଶ୍ରୀ ଯୋଗେନ୍ଦ୍ର ନାରାୟଣ ଆଚାର୍ଯ୍ୟ ଆଲୋଚନା କରିଥିଲେ ସିଂହଭୂମ ସମସ୍ୟା ନେଇ । ଏଠାରେ ଉଲ୍ଲେଖଯୋଗ୍ୟ ଯେ ତେଲୁଗୁଭାଷୀ ଏକ ପ୍ରତିନିଧିମଣ୍ଡଳୀ ଯାଇ ବଡ଼ଲାଟଙ୍କୁ ସାକ୍ଷାତ କରିବା ସଂଗେସଂଗେ ମତ ପ୍ରକାଶ କରିଥିଲା ଯେ ବ୍ରହ୍ମ‌ପୁରଠାରୁ ଆରମ୍ଭ କରି ଦକ୍ଷିଣର ପାରଳାଖେମଣ୍ଡି ଜମିଦାରି ପର୍ଯ୍ୟନ୍ତ ଅଞ୍ଚଳ ନୂତନ ପ୍ରଦେଶାନ୍ତର୍ଗତ ନହେଉ । କିନ୍ତୁ ସେମାନଙ୍କ ଯୁକ୍ତି ସମ୍ଭବତଃ ବଡ଼ଲାଟଙ୍କୁ ସେଭଳି ପ୍ରଭାବିତ କରିପାରି ନଥିଲା ।

ଓଡ଼ିଆ ପ୍ରତିନିଧିମଣ୍ଡଳୀଙ୍କ ସହ ସାକ୍ଷାତ ଆଲୋଚନାରେ ବଡ଼ଲାଟ ବିଶେଷ ପ୍ରୀତ ହୋଇଥିଲେ । ସେହି ଆଲୋଚନା ବେଳେ ବିସ୍ତୃତ ଭାବରେ ଆଲୋଚିତ ଓଡ଼ିଆଭାଷୀ ଜନଗଣଙ୍କ ସମସ୍ୟା ବିଶେଷକରି ସୀମା ତଥା ଆର୍ଥନୀତିକ ସମସ୍ୟାବଳୀ ସଂପର୍କରେ ଅବଗତ ହୋଇ ସେ ମଧ୍ୟ ଆଶା ପୋଷଣ କରିଥିଲେ ଯେ ତାଙ୍କରି କାର୍ଯ୍ୟକାଳ ମଧ୍ୟରେ ନୂତନ ଓଡ଼ିଶା ଗଠିତ ହୋଇ ପାରିବ । ଏଠାରେ ଉଲ୍ଲେଖଯୋଗ୍ୟ ଯେ ସୀମା କମିଟି ତାହାର କାର୍ଯ୍ୟ ଆପାତତଃ ଶେଷ କରିସାରିଥିଲେ ସୁଦ୍ଧା ସରକାରଙ୍କ ନୀତିଗତ ଘୋଷଣା ସେତେବେଳ ପର୍ଯ୍ୟନ୍ତ ବିଧିବଦ୍ଧ ଭାବରେ ହୋଇନଥିଲା । ତେଣୁ ବଡ଼ଲାଟ ପ୍ରତିନିଧି ଦଳଙ୍କୁ ସାକ୍ଷାତ କରିବା ପରେ ପରେ ସେ ନେଇ ଆପଣାର ସୁପାରିସ ସହିତ ଇଂଲଣ୍ଡ ଭାରତ ବିଭାଗ ସଚିବଙ୍କୁ ପତ୍ର ଲେଖିଥିଲେ ।