ପୃଷ୍ଠା:Aama Parala Gajapati.pdf/୧୧

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ନରପତିଗଣ ଏବଂ ପୁରୀର ଗଜପତିମାନଙ୍କର ଶକ୍ତିଶାଳୀ ବାହୁଛାୟା ତଳେ ଏହି ବିରାଟ ଭୂଖଣ୍ଡର ଅଧିବାସୀଗଣଙ୍କର ଭାଗ୍ୟ ପ୍ରାୟ ଷଷ୍ଠ ଶତାବ୍ଦୀରୁ ଷୋଡ଼ଶ ଶତାବ୍ଦୀ ପର୍ଯ୍ୟନ୍ତ ନିୟନ୍ତ୍ରିତ ହୋଇଥିଲା । ଏହି ବିରାଟ ସାମ୍ରାଜ୍ୟ ମଧ୍ୟରୁ ଯେଉଁଭଳି ତ୍ରିକଳିଙ୍ଗ; ଉତ୍କଳିଙ୍ଗ (ଉତ୍କଳ) ଏବଂ ମଧ୍ୟ କଳିଙ୍ଗ ଜନ୍ମଲାଭ କରିଥିଲା, ଠିକ୍‍ ସେହିଭଳି ମଧ୍ୟ ଏହି ଖେମଣ୍ଡି ରାଜ୍ୟ ଆମ ଦେଶର ଇତିହାସର ପ୍ରାରମ୍ଭ ଶତାବ୍ଦୀରେ ଜନ୍ମଲାଭ କଲା । ଶ୍ରୀକାକୁଲମ୍‍ ସରକାର କଳିଙ୍ଗ ନାମରେ ଅଭିହିତ ଥିଲା । ମୁଖଲିଙ୍ଗମ୍‍ ଏକ ସମୟରେ କଳିଙ୍ଗ ସାମ୍ରାଜ୍ୟର ରାଜଧାନୀ ଥିଲା ଏବଂ ତାହା ବରାବର ପାରଳାଖେମୁଣ୍ଡି ସମସ୍ଥାନର ଅନ୍ତର୍ଗତ ରହିଥିଲା । ତାହା ପ୍ରାୟ ଦଶମରୁ ଦ୍ୱାଦଶ ଶତାବ୍ଦୀ ପର୍ଯ୍ୟନ୍ତ କଳିଙ୍ଗନଗରମ୍‍ ନାମରେ ପ୍ରସିଦ୍ଧ ଥିଲା । ସେଠାରେ ପ୍ରାୟ ଦଶମରୁ ଦ୍ୱାଦଶ ଶତାବ୍ଦୀ ମଧ୍ୟରେ ନିର୍ମିତ ଦୁଇଟି ମନ୍ଦିର ଆଜି ମଧ୍ୟ ତିଷ୍ଠି ରହିଛି । ସେହି ମନ୍ଦିର ଦୁଇଟିର ପ୍ରାଚୀର ଗାତ୍ରରେ କେତେକ ଓଡ଼ିଆ ଲେଖା ଦେଖିବାକୁ ମିଳେ । ପ୍ରାଚୀନ ଗଙ୍ଗବଂଶର କୀର୍ତ୍ତି ବିଷୟରେ ସେଥିରେ ଉଲ୍ଲେଖ ଅଛି । ସେମାନେ ଓଡ଼ିଶା ଜୟ କରିବା ପରେ ସେହି ବଂଶର ଶେଷ ପ୍ରତିନିଧିମାନେ ତାଙ୍କ ରାଜଧାନୀ ପୁରୀକୁ ସ୍ଥାନାନ୍ତରିତ କରିଥିଲେ । ତାହାପରେ ସେମାନେ ପ୍ରସିଦ୍ଧ ଗଜପତି ରାଜା ନାମରେ ଅଭିହିତ ହେଲେ । ଖେମୁଣ୍ଡି ରାଜବଂଶର ଶାସକଗଣ ଏହି ଗଜପତି ରାଜାମାନଙ୍କର ସିଧାସଳଖ ଆତ୍ମଜ । ବୀରଶ୍ରୀ ଗୌଡେ଼ଶ୍ୱର କପିଳେଶ୍ୱର ଦେବ, ଅନନ୍ତବର୍ମା ଚୋଡ଼ଗଙ୍ଗଦେବ, ବଜ୍ରହସ୍ତ ଦେବ, ପ୍ରତାପରୁଦ୍ର ଦେବ, ବିଜୟ ନରସିଂହ ଦେବ ପ୍ରମୁଖ ଖେମୁଣ୍ଡି ରାଜବଂଶର ପ୍ରସିଦ୍ଧ ପୂର୍ବପୁରୁଷଙ୍କର ନାମାବଳୀ ।" (ମୋରାଜ୍ୟ)

ରାଜନୀତିକ ତଥା ସାଂସ୍କୃତିକ ଦୃଷ୍ଟିରୁ ଗଙ୍ଗରାଜାଗଣ ଉତ୍କଳୀୟ ଭାବଧାରାକୁ ସଂପୂର୍ଣ୍ଣ ଅସ୍ଥିମଜ୍ଜାଗତ କରାଇ ଉତ୍କଳର ତଥା ଉତ୍କଳୀୟମାନଙ୍କର ଏକୀକରଣ କରାଇଥିଲେ କହିଲେ ଅତ୍ୟୁକ୍ତି ହେବନାହିଁ । ଉତ୍କଳକୁ ମନ୍ଦିରମାଳିନୀ କରାଇବା ସଙ୍ଗେସଙ୍ଗେ ବିଭିନ୍ନ ପ୍ରାନ୍ତରରେ ସାଂସ୍କୃତିକ କେନ୍ଦ୍ରମାନ ପ୍ରତିଷ୍ଠାକରି ଜନଗଣଙ୍କ ମଧ୍ୟରେ ଐକ୍ୟ ସ୍ଥାପନପାଇଁ ସେମାନଙ୍କର ଐକାନ୍ତିକ ଉଦ୍ୟମ ବିଶେଷ ପ୍ରଶଂସନୀୟ । ଓଡ଼ିଶା ଇତିହାସରେ ଗଙ୍ଗ ଶାସନକାଳକୁ ହିଁ ସୁବର୍ଣ୍ଣ ଯୁଗ ହିସାବରେ ଗ୍ରହଣ କରାଯାଇପାରେ । ରାଜନୈତିକ ପ୍ରେକ୍ଷାପଟରୁ ସେମାନେ ସମୟକ୍ରମେ ଅପସରି ଯାଇଥିଲେ ସୁଦ୍ଧା ସେଇ ଗଙ୍ଗବଂଶାବତଂସଗଣ ଆଧୁନିକ ଯୁଗରେ ସୁଦ୍ଧା ଓଡ଼ିଆ ଜାତିର ଜାତୀୟ ଏକତା ରକ୍ଷାଦିଗରେ ଥିଲେ ଅଗ୍ରଣୀ । ତାହାର ଜ୍ଜ୍ୱଳନ୍ତ ଉଦାହରଣ ହେଉଛନ୍ତି ପାରଳା ମହାରାଜା ଶ୍ରୀକୃଷ୍ଣଚନ୍ଦ୍ର ଗଜପତି । ସ୍ୱତନ୍ତ୍ର ଓଡ଼ିଶାର ଅନ୍ୟତମ ପ୍ରତିଷ୍ଠାତା ରୂପେ ତଥା ଆଧୁନିକ ସମୃଦ୍ଧ ଓଡ଼ିଶା ଗଠନପାଇଁ ଉଦ୍ୟମ ଯୋଗୁଁ ମହାରାଜାଙ୍କର ସ୍ୱର୍ଣ୍ଣିମ ସ୍ୱାକ୍ଷର ଜ୍ଜ୍ୱଳନ୍ତ ରହିଥିବ । ବିଶିଷ୍ଟ ଗବେଷକ ଡକ୍ଟର ବେଣୀମାଧବ ପାଢ଼ୀଙ୍କ ଭାଷାରେ 'ସେ କେବଳ ଜଣେ ରାଜା ନଥିଲେ ସେ ଥିଲେ ଜଣେ ଅପୂର୍ବ ଜନନାୟକ, ସୁଦକ୍ଷ ପ୍ରଶାସକ, ଅସାଧାରଣ ଶିକ୍ଷାପ୍ରେମୀ, ବିଚକ୍ଷଣ ଦୂରଦ୍ରଷ୍ଟା, ସର୍ବୋପରି ଜଣେ ନିଷ୍ଠାପର ସଂସ୍କାରକ । ସେ ଥିଲେ ବାସ୍ତବ ଅର୍ଥରେ ଜଣେ ଗଜପତି ।

୧୨ଆମ ପାରଳା ଗଜପତି