ପୃଷ୍ଠା:Aama Parala Gajapati.pdf/୧୧୨

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି
ପାରଳାର ବିଭାଜନ

୧୯୩୩ ମାର୍ଚ୍ଚ ୧୭ ତାରିଖ ଦିନ ନୂତନ ପ୍ରଦେଶପାଇଁ ସୀମା ନିର୍ଦ୍ଦେଶିତ ହୋଇ ସରକାରୀ ଶ୍ୱେତପତ୍ର ପ୍ରକାଶିତ ହୋଇଥିଲା । ସେଥିରେ ଥିଲା ଜଣେ ଗଭର୍ଣ୍ଣରଙ୍କ ଦ୍ୱାରା ଶାସିତ ହୋଇ ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠିତ ହେବ । ସେହି ସ୍ୱତନ୍ତ୍ର ପ୍ରଦେଶପାଇଁ ଯେଉଁ ସୀମା ନିର୍ଦ୍ଦେଶ ହୋଇଥିଲା ତାହା ଥିଲା-

– ବିହାର-ଓଡ଼ିଶା ପ୍ରଦେଶର ଓଡ଼ିଶା ଡିଭିଜନ୍ ଅନ୍ତର୍ଗତ କଟକ, ପୁରୀ, ବାଲେଶ୍ୱର, ସମ୍ବଲପୁର ଓ ଅନୁଗୋଳ ଜିଲ୍ଲା ।

– କେନ୍ଦ୍ର (ମଧ୍ୟ) ପ୍ରଦେଶର ଖଡିଆଳ ଏବଂ ପଦ୍ମ‌ପୁର ଜମିଦାରି ସମେତ କୁଲାକୋଣ୍ଡା, ବୋଡ଼ିମାଳ, ପାଞ୍ଚପୁଡ଼ିଆ, ବ୍ରହ୍ମପୁର, ପଞ୍ଚପୁରାଣିଆ ଏବଂ ଠାକୁରପଲ୍ଲୀ ଗ୍ରାମ ।

– ମାନ୍ଦ୍ରାଜ ପ୍ରଦେଶର ପାରଳାଖେମଣ୍ଡି ଓ ଜଳନ୍ତରକୁ ବାଦ୍‌ଦେଇ ଗଞ୍ଜାମର ମାଳ ଅଞ୍ଚଳ ତଥା ଘୁମୁସର ଆସିକା, ସୋରଡ଼ା, କୋଦଳା, ଛତ୍ରପୁର ତାଲୁକା ସମେତ ଇଚ୍ଛାପୁର ତାଲୁକାର ସୁରଙ୍ଗୀ, ଜରଡ଼ା, ଚିକିଟୀ ଏବଂ ବ୍ରହ୍ମପୁର ତାଲୁକାର ଉତ୍ତରାଞ୍ଚଳ । ସେହି ଉତ୍ତରାଞ୍ଚଳର ଅର୍ଥ ଥିଲା ମାନଚିତ୍ରରେ ସୁରଳାର ତତ୍କାଳୀନ ଲୁଣମରା କାରଖାନା ଦେଇ ପୁରୁଷୋତ୍ତମପୁର ଏବଂ ସୁନପୁରକୁ ଯୋଗ କରୁଥିବା ସରଳ ରେଖା ।

ସୀମା କମିଟିର ସୁପାରିସ ଉପରେ ଭିତ୍ତିକରି ସେହି ଶ୍ୱେତପତ୍ର ପ୍ରକାଶ ପାଇବା ପରେ ପରେ ଓଡ଼ିଶାରେ ତୀବ୍ର ପ୍ରତିକ୍ରିୟା ସୃଷ୍ଟି ହୋଇଥିଲା । କେବଳ ସେହି କମିଟିର ସଭାପତି ମିଷ୍ଟର ଓଡ଼ନାଲଙ୍କ ମତାମତ ଉପରେ ଭିତ୍ତିକରି ମୋଟାମୋଟି ଭାବେ ସୀମା କମିଟି ରିପୋର୍ଟ ପ୍ରସ୍ତୁତ ହୋଇଥିଲା । ତେଣୁ ସେଥିରୁ ପାରଳା ଓ ଜୟପୁର ଇଲାକା ବାଦପଡ଼ି ଯାଇଥିବା ଯୋଗୁଁ କମିଟିରେ ଥିବା ଉଭୟ ଭାରତୀୟ ସଦସ୍ୟ ମଧ୍ୟ ସେମାନଙ୍କ ଅସନ୍ତୋଷ ବ୍ୟକ୍ତ କରିଥିଲେ । ସେମାନେ ସଂପୃକ୍ତ ଅଞ୍ଚଳ ଏବଂ ଜନଗଣଙ୍କ ପ୍ରତ୍ୟକ୍ଷ ସଂସ୍ପର୍ଶରେ ଆସିଥିଲେ ଏବଂ ଅଭିଜ୍ଞ ମଧ୍ୟ ଥିଲେ । ଶ୍ରୀ ତରୁଣରାମ ଫୁକନ୍‌ଙ୍କ ନୈରାଶ୍ୟଜନକ ମତ ଥିଲା ଶତକଡ଼ା ୯୬ ଭାଗ ଓଡ଼ିଆଭାଷୀ ବ୍ୟକ୍ତି ବସବାସ କରି ରହୁଥିବା ଜୟପୁର ଅଞ୍ଚଳ ଏବଂ ‘ନୂତନ ଓଡ଼ିଶା’ର