ପୃଷ୍ଠା:Aama Parala Gajapati.pdf/୧୧୪

ଉଇକିପାଠାଗାର‌ରୁ
Jump to navigation Jump to search
ଏହି ପୃଷ୍ଠାଟି ବୈଧ ହୋଇସାରିଛି

କରି ସରକାରଙ୍କ ସେଭଳି ନିର୍ଦ୍ଧାରଣକୁ ଅତ୍ୟନ୍ତ ଦୁର୍ଭାଗ୍ୟଜନକ ବୋଲି ମତ ରଖିଥିଲେ । ଓଡ଼ିଆଙ୍କ ସାଧାରଣ ଅସନ୍ତୋଷ ସଂପର୍କରେ ଦୃଷ୍ଟି ଆକର୍ଷଣ କରାଯାଇ ମୋଟ ୮୭ଟି ଆବେଦନ ପହଂଚିଥିଲା ସରକାରଙ୍କ ନିକଟରେ, ଯେଉଁଥିରେ ଥିଲା କେବଳ ଗଂଜାମରୁ ୮୦ଟି ।

ସେତିକିବେଳେ ଉକ୍ରଳ ସମ୍ମିଳନୀର ୨୩ତମ ଅଧିବେଶନ ବ୍ରହ୍ମପୁରରେ ଅନୁଷ୍ଠିତ ହୋଇଥିଲା ଏବଂ ତାହାର ଅଧ୍ୟକ୍ଷତା କରିଥିଲେ ଗଜପତି କୃଷ୍ଣଚନ୍ଦ୍ର । ପାରଳା ଏବଂ ଜୟପୁର ବ୍ୟତୀତ ନୂତନ ଓଡ଼ିଶା ଗଠନ ଏକ ଅକିଂଚିତ୍କର ପ୍ରୟାସ ବୋଲି ସର୍ବସମ୍ମତ ଅଭିବ୍ୟକ୍ତି ପ୍ରକାଶ ପାଇବା ସହିତ ସେହିସବୁ ଅଞ୍ଚଳ ଓଡ଼ିଶା ସହିତ ଯୁକ୍ତ କରାଯିବା ପାଇଁ ପ୍ରସ୍ତାବ ଗୃହୀତ ହୋଇଥିଲା । ପ୍ରାୟ ସେହି ସମୟରେ ‘ଆଶା’ର ସମ୍ପାଦକ ଶ୍ରୀଯୁକ୍ତ ଶଶିଭୂଷଣ ରଥ ଯୁକ୍ତି ଦର୍ଶାଇଥିଲେ ଯେ ପ୍ରକାଶିତ ସୀମା ସୁପାରିସକୁ ସଂଶୋଧନ କରାଯିବା ପାଇଁ ଦାବି ହେଲେ ନୂତନ ଓଡ଼ିଶା ଗଠିତ ହେବା ପ୍ରକ୍ରିୟା ନିଶ୍ଚିତ ରୂପେ ବିଳମ୍ବିତ ହେବ ଏବଂ ପ୍ରଦେଶ ଗଠନ ମଧ୍ୟ । ତେଣୁ ତାଙ୍କର ଯୁକ୍ତି ଥିଲା- “କାନ୍ଦୁଥିବା; ଯାହା ମିଳୁଥିବ ବାନ୍ଧୁଥିବା ।” ବର୍ତ୍ତମାନ ମିଳୁଥିବା ଦ୍ରବ୍ୟକୁ ଗ୍ରହଣ କରାଯାଇ ପୁଣି ଆନ୍ଦୋଳନ କରାଯିବା ଆବଶ୍ୟକ ନୂତନ ପ୍ରଦେଶରେ ଯୁକ୍ତ ହୋଇ ନଥିବା ଅଞ୍ଚଳଗୁଡ଼ିକର ସମ୍ମିଶ୍ରଣ ପାଇଁ । କିନ୍ତୁ ସେହି ଯୁକ୍ତିକୁ ମହାରାଜାଙ୍କ ସମେତ ସ୍ୱତନ୍ତ୍ର ଓଡ଼ିଶା ଆନ୍ଦୋଳନକାରୀ ଅନେକ ନେତା ଗ୍ରହଣ କରିପାରି ନଥିଲେ ।

ସେହିଭଳି ସରକାରୀ ନିର୍ଦ୍ଧାରଣରେ ବିଶେଷ ବିଷାଦଗ୍ରସ୍ତ ହୋଇଯାଇଥିଲେ ମହାରାଜା । ଶ୍ୱେତପତ୍ର ପ୍ରକାଶ ପାଇବା ଦିନ ହିଁ ସେ ଗଭୀର ହତାଶା ଭିତରେ ସଂପୂର୍ଣ୍ଣ ଡୁବି ଯାଇଥିଲେ ଯେମିତି । ଘନୀଭୂତ ଅନ୍ଧକାର ଯେମିତି ତାହାଙ୍କୁ ମୁହୂର୍ତ୍ତକ ମଧ୍ୟରେ ପଥରୁଦ୍ଧ କରି ପକାଇଥିଲା । ହତାଶା... କେବଳ ହତାଶା...।

ଦେହ ଓ ମନରେ ପ୍ରବଳ ଉତ୍ତେଜନା । ଅସହାୟ, ଅସହାୟ ଭାବ ! ନିର୍ବାକ, ନିସ୍ପନ୍ଦ ହୋଇ ବସି ରହିଥିଲେ କେବଳ । ଘଣ୍ଟା ଘଣ୍ଟା ବିତି ଯାଇଥିଲା । କାହାରି ସହିତ କଥାବାର୍ତ୍ତା କରି ନଥିଲେ । କିଛି ବରାଦ ନଥିଲା । ସେହିଭଳି ଭାବରେ ପ୍ରାୟ ଚାରି ପାଞ୍ଚଘଣ୍ଟା କଟିଯିବା ପରେ ଅକସ୍ମାତ୍ ଅସ୍ତ୍ରାଗାର ଖୋଲିବା ପାଇଁ ନିର୍ଦ୍ଦେଶ ଦେଇଥିଲେ ତାହାର ରକ୍ଷକଙ୍କୁ ।

ସେଦିନ ସୀମା ସୁପାରିସ ଖବର ପହଂଚିବା ପରେ ପରେ ପ୍ରତିଟି ମୁହୂର୍ତ୍ତରେ ମହାରାଜାଙ୍କ ଗତିବିଧି ଉପରେ ସତର୍କ ଦୃଷ୍ଟି ରଖିଥିଲେ ଦେବାନ୍ ଲକ୍ଷ୍ମୀ ନାରାୟଣ ପଟ୍ଟନାୟକ (ବିଜୁବାବୁଙ୍କ ପିତା) । ସେ ତତ୍‌କ୍ଷଣାତ୍ ସେଠି ଉପସ୍ଥିତ ହୋଇ ଅସ୍ତ୍ରଭଣ୍ଡାର ନଖୋଲିବା ପାଇଁ କର୍ମଚାରୀ ଜଣଙ୍କୁ ଆଦେଶ ଦେବା ସଂଗେ ସଂଗେ ବିନୀତ ଭାବରେ ମହାରାଜାଙ୍କୁ ପ୍ରଶ୍ନ କରିଥିଲେ- ବର୍ତ୍ତମାନ ଅସ୍ତ୍ରାଗାର ଖୋଲାଯିବାର କି ଆବଶ୍ୟକତା ଅଛି ମହାରାଜ ? କଣ୍ଠରେ ଦୃଢ଼ତା ଥିଲା ।

ଉଭୟେ ଉଭୟଙ୍କ ଭାଷା ବୁଝି ପାରିଥିଲେ ଯେମିତି । ଦୁଇ ହଳ ଆଖି ପରସ୍ପରଙ୍କୁ ଦେଖୁଥିଲେ ଅପଲକ ନୟନରେ । ମହାରାଜାଙ୍କ ଆଖି ଛଳଛଳ ହୋଇ ଯାଇଥିଲା । ସେଇ ଲୁହ ଟଳମଳ