ପୃଷ୍ଠା:Aama Parala Gajapati.pdf/୧୧୬

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ତତ୍ ପରଠାରୁ ସେ କୌଣସି ଧାର୍ମିକ ପରଂପରାରେ ପରିବର୍ତ୍ତନ ପାଇଁ ଉଦ୍ୟମ କରି ନଥିଲେ ବରଂ ଦେବୀଙ୍କ ପ୍ରତି ଅଚଳାଚଳ ଭକ୍ତି ଦୃଢ଼ ହୋଇଥିଲା ତାଙ୍କରି ମନ ଓ ହୃଦୟରେ । ସେ ମନେ କରିଥିଲେ ତାହାଙ୍କ ପ୍ରତି ଦେବୀଙ୍କ ମହିମା ଅପାର ଏବଂ ତତ୍ ପରେ ପରେ ତାହାଙ୍କର ଅନୁଭବ ଥିଲା ସବୁ ଆପଦ ବିପଦ ବେଳେ ଦେବୀ ତାହାଙ୍କ ମସ୍ତକରେ ଢାଳି ଦିଅନ୍ତି ଅଜସ୍ର ଆଶୀର୍ବାଦ ।

ଶିକାରପ୍ରିୟ ମହାରାଜା ଥରେ ତାଙ୍କର ଦକ୍ଷ ଘୋଡାଟିକୁ ନେଇ ଶିକାର ପାଇଁ ଯାଇଥିଲେ ପାରଳା ସହର ନିକଟସ୍ଥ ଜଙ୍ଗଲକୁ । ଶିକାର ଅନ୍ୱେଷଣରେ ବେଶ୍ କିଛି ଦୂର ଚାଲି ଯାଇଥିଲେ । ହେଲେ ଅପ୍ରତ୍ୟାଶିତ ଭାବେ ଜଙ୍ଗଲ ରାସ୍ତାରେ ଘୋଡ଼ାଟିର ଆଗ ଗୋଡ଼ ଦୁଇଟି ବିଲହୁଡ଼ା କଡ଼ରେ ଥିବା ଗୋଟିଏ ବିଲୁଆ ଗାତ ଭିତରେ ଗଳି ଯାଇଥିଲା । ଘୋଡାଟି ଏତେ ଜୋର୍‌ରେ ଆଘାତ ପାଇଥିଲା ଯେ ସଙ୍ଗେ ସଙ୍ଗେ ସେଠି ଟଳିପଡ଼ି ମରି ଯାଇଥିଲା । ତାର ପିଠି ଉପରୁ ବେଶ୍ କିଛି ଦୂରକୁ ଛିଟିକି ପଡ଼ିଥିଲେ ମହାରାଜା । ସଂଜ୍ଞା ହଜି ଯାଇଥିଲା ।

କେଉଁଠି ଥିଲେ କେଜାଣି, ସେଇ ଜନ ମାନବହୀନ ଜାଙ୍ଗଲିକ ପରିବେଶ ଭିତରୁ ଜଣେ ଗରିବ ବ୍ରାହ୍ମଣ ଆସି ସେଠି ପହଞ୍ଚି ଯାଇଥିଲେ । ନିକଟରୁ କେଉଁଠୁ ପାଣି ସଂଗ୍ରହ କରି ଧୂଳି ଧୂସରିତ ମହାରାଜାଙ୍କ ମୁହଁରେ ସିଞ୍ଚନ କରିଥିଲେ । ନିଜ ଗାମୁଛାରେ ମୁହଁ ପୋଛି ଦେଇଥିଲେ । ପାଟିରେ ମୁନ୍ଦାଏ ପାଣି ଦେଇଥିଲେ । କିଛି ସମୟ ପରେ ସଚେତ ହୋଇ ଉଠି ବସିଥିଲେ ମହାରାଜା । ସେ ମନେ କରିଥିଲେ, ସେଭଳି ନିକାଞ୍ଚନ ପରିବେଶରେ ସେଇ ଅଯାଚିତ ସହାୟତା କେବଳ ତାହାଙ୍କ ଈଷ୍ଟଦେବୀଙ୍କ ମହିମା ବ୍ୟତୀତ ଅନ୍ୟ କିଛି ହୋଇ ନପାରେ ।

ଠିକ୍ ସେହିଭଳି ହୃଦ୍‌ବୋଧ କରିଥିଲେ ମହାରାଜା ଅନ୍ୟ ଏକ ଘଟଣାରେ । ପାରଳା ରାଜବାଟୀର ଠିକ୍ ପଛ ପଟରେ ସୀତାସାଗର- ସବୁବେଳେ ଜଳରେ ପରି‌ପୂର୍ଣ୍ଣ ଏକ ବିରାଟ ପୁଷ୍କରିଣୀ । ଥରେ ମହାରାଜା ଘୋଡ଼ା ଗାଡ଼ିରେ ବସି ପରିଭ୍ରମଣରେ ଯାଉଥିଲେ ସେଇ ସାଗର କୂଳର ପ୍ରଶସ୍ତ ରାସ୍ତାରେ । ଦେହରେ ପୂର୍ଣ୍ଣ ରାଜପୋଷାକ ।

ରାସ୍ତା ମଝିରେ ହଠାତ୍ ଗାଡ଼ି ଟାଣୁଥିବା ଘୋଡ଼ାଟି ଚମକି ପଡିଥିଲା । ଗାଡ଼ିଟି ଓଲଟି ଯାଇଥିଲା ସୀତାସାଗର ଭିତରକୁ । ସାଗରର ପରିପୂର୍ଣ୍ଣ ଚିଙ୍ଗୁଡ଼ିଆ ଦଳ ଭିତରେ ମହାରାଜା ଛନ୍ଦି ହୋଇଯାଇଥିଲେ ଅକସ୍ମାତ୍ । ବାହାରିବା ପାଇଁ ଯେତେ ଚେଷ୍ଟା କରୁଥିଲେ ସେତିକି ଅଧିକ ଛନ୍ଦି ହୋଇ ଯାଉଥିଲେ ସେଇ ଦଳ ଭିତରେ । ଠିକ୍ ସେଇ ମୁହୂର୍ତ୍ତରେ ସେଇଠି ଉପସ୍ଥିତ ହୋଇଥିଲେ ଜଣେ ନାଉରିଆ । ଗଜପତି ଅନୁଭବ କରିଥିଲେ, ଦେବୀ ମାଣିକେଶ୍ୱରୀ ହିଁ ନାଉରିଆଟିଏ ହୋଇ ସେଠାକୁ ଆସିଥିଲେ କିମ୍ବା ନିଶ୍ଚିତ ରୂପେ ତାହାଙ୍କୁ ସେଠାକୁ ପ୍ରେରଣ କରିଥିଲେ । ସେଇ ନାଉରିଆ ଜଣକ ମହାରାଜାଙ୍କ ରାଜପୋଷାକରୁ ଦଳ ସଫା କରି ଏକ ମହା ବିପଦରୁ ଉଦ୍ଧାର କରିଥିଲେ । ତାହାକୁ କେବଳ ଦେବୀ କୃପା ବୋଲି ଗ୍ରହଣ କରି ନେଇଥିଲେ ମହାରାଜା ।