ପୃଷ୍ଠା:Aama Parala Gajapati.pdf/୧୧୯

ଉଇକିପାଠାଗାର‌ରୁ
Jump to navigation Jump to search
ଏହି ପୃଷ୍ଠାଟି ବୈଧ ହୋଇସାରିଛି

କ'ଣ ହେବ ପାରଳା ଏବଂ ଜୟପୁରର ଅବସ୍ଥା ! ସରକାରୀ ମନୋଭାବ ସେଇ ଅଞ୍ଚଳବାସୀଙ୍କ ପାଇଁ ସଂପୂର୍ଣ୍ଣ ନକାରାତ୍ମକ । ସବୁ ଆଶା-ଭରସା କେବଳ ମହାରାଜାଙ୍କ ଉପରେ ।

ସେଲୁନ୍ ଭିତରୁ ବାହାରକୁ ଆସିଥିଲେ ମହାରାଜା । ଅଭୟବାଣୀ ଶୁଣାଇଥିଲେ– ଆଜି ପର୍ଯ୍ୟନ୍ତ ମାଣିକେଶ୍ୱରୀଙ୍କ ଆଶୀର୍ବାଦ ବିଫଳ ହୋଇନାହିଁ । ଏଥର ମଧ୍ୟ ହେବନାହିଁ । ଜୟଯୁକ୍ତ ହୋଇ ଫେରିବା ପାଇଁ ସ୍ୱପ୍ନ ସଂକେତ ଦେଇଛନ୍ତି ଗଡ଼ଦେବୀ । ତେଣୁ ଆପଣମାନେ ଶଙ୍କାହୀନ ହୋଇ ରହନ୍ତୁ । ମୁଁ ନିଶ୍ଚୟ ସଫଳକାମ ହୋଇ ଫେରିବି ।

ଇଂଲଣ୍ଡ ପାର୍ଲାମେଣ୍ଟର ଉଭୟ ସଂସଦରୁ ୧୬ଜଣ ଲେଖାଏଁ ସଭ୍ୟଙ୍କୁ ନେଇ ୧୯୩୩ ଅପ୍ରେଲ୍ ମାସରେ ଗଠିତ ହୋଇଥିଲା ଏକ ମିଳିତ ସଂସଦୀୟ କମିଟି । ତାର ଅଧ୍ୟକ୍ଷ ଥିଲେ ଲର୍ଡ ଲିନ୍‌ଲିଥ୍‌ଗୋ । ୧୯୨୭ ମସିହାରେ ଭାରତ ପାଇଁ ଗଠିତ ରାଜକୀୟ କୃଷି କମିଶନ୍‌ର ସେ ଅଧ୍ୟକ୍ଷ ଥିବା ବେଳେ ମହାରାଜା ଥିଲେ ତାହାର ଏକମାତ୍ର ଭାରତୀୟ ସଭ୍ୟ । ଦୀର୍ଘ ଦୁଇ ବର୍ଷ କାଳ ସେମାନେ ଏକାଠି ଭାରତ ସାରା ଗସ୍ତ କରି କୃଷିର ଉନ୍ନତି ପାଇଁ ଗଭୀର ଭାବରେ ପରିସ୍ଥିତିର ଅନୁଶୀଳନ କରିଥିଲେ । ସେତିକିବେଳେ ମହାରାଜାଙ୍କ ସହିତ ଆନ୍ତରିକ ଭାବର ଆଦାନ ପ୍ରଦାନ ହୋଇଥିଲା ଲର୍ଡ ଲିନ୍ ଲିଥ୍‌ଗୋଙ୍କର । ଆପାତତଃ ଉଭୟଙ୍କ ମଧ୍ୟରେ ବେଶ୍ ସହୃଦୟତା ମଧ୍ୟ ସ୍ଥାପିତ ହୋଇଥିଲା । ସେହି ଦୃଷ୍ଟିରୁ ପାରଳା ଓ ଜୟପୁରକୁ ଓଡ଼ିଶା ସହ ମିଶ୍ରଣ ଦିଗରେ ପାର୍ଲାମେଣ୍ଟାରୀ କମିଟି ଅଧ୍ୟକ୍ଷଙ୍କୁ ପ୍ରଭାବିତ କରାଇ ପାରିବା ଆଶା ମନରେ ପୋଷଣ କରିଥିଲେ ମହାରାଜା । ଭାରତର ଶାସନ ସଂସ୍କାର ସଂପର୍କରେ ଚୂଡ଼ାନ୍ତ ମତାମତ ଦେବା ଥିଲା ସେହି କମିଟିର ପ୍ରଧାନ ଲକ୍ଷ୍ୟ । ବାସ୍ତବରେ ତାହାରି ସୁପାରିସ ଭିତ୍ତିରେ ହିଁ ପ୍ରତିଷ୍ଠିତ ବିଖ୍ୟାତ ୧୯୩୫ ଭାରତ ଶାସନ ଆଇନ । ସେହି କମିଟିକୁ ବିଭିନ୍ନ ବିବାଦୀୟ ବିଷୟରେ ଅଧିକ ତର୍ଜମା କରି ପରାମର୍ଶ ଦେବା ପାଇଁ କେତେକ ସବ୍‌କମିଟି ଗଠିତ ହୋଇଥିଲା । ତନ୍ମମଧ୍ୟରୁ ଗୋଟିଏ ଥିଲା ନୂତନ ଓଡ଼ିଶା ପ୍ରଦେଶର ସୀମା ସଂପର୍କୀୟ ସମସ୍ୟାର ସମାଧାନ ପାଇଁ ।

ମହାରାଜାଙ୍କ ନେତୃତ୍ୱରେ ପ୍ରତିନିଧିଗଣ ୧୯୩୩ ଜୁଲାଇ ମାସର ପ୍ରଥମ ସୋମବାର ତିନି ତାରିଖ ଦିନ ସବ୍ କମିଟିକୁ ସାକ୍ଷାତ କରିଥିଲେ । ବିଶେଷ ଭାବେ ସମସ୍ୟାର ଆଲୋଚନା କରିବା ସଂଗେ ସଂଗେ ପ୍ରତିନିଧିଗଣ ସମସ୍ତ ଯୁକ୍ତି ଉପସ୍ଥାପନ କରି ପାରଳାଖେମଣ୍ଡିକୁ ନୂତନ ପ୍ରଦେଶ ସହିତ ସାମିଲ୍ କରାଯିବା ସପକ୍ଷରେ ଉଦ୍ଧିଷ୍ଟ ସ୍ମାରକପତ୍ର ପ୍ରଦାନ କରିଥିଲେ । ସେଥିରେ ବିଭିନ୍ନ ଯୁକ୍ତି ମଧ୍ୟରେ ଥିଲା ପାରଳା ଓ ଜୟପୁର ବିନା ଘୋଷିତ ନୂତନ ପ୍ରଦେଶ ଓଡ଼ିଆମାନଙ୍କ ପାଇଁ ଏକ ଦାରୁଣ ଧକ୍କା । ଓଡ଼ିଆଙ୍କ ସାଧାରଣଙ୍କ ଜନମତ ଅନୁଯାୟୀ ପାରଳା ବ୍ୟତୀତ ନୂତନ ଓଡ଼ିଶା ବାସ୍ତବରେ ଏକ ମସ୍ତିଷ୍କବିହୀନ ଶରୀର ଭଳି । ପୁଣି ଭାଷା ଓ ଜାତି ନିର୍ବିଶେଷରେ ପାରଳାର ରାଜାନୁଭକ୍ତ ପ୍ରଜାଗଣ ସମସ୍ୱରରେ ଦ୍ୱିଧାହୀନ ଭାବେ ମିଶ୍ରଣ ସପକ୍ଷରେ ସବୁ କମିଟି ସାମନାରେ ମତ ରଖିଥିବା ବେଳେ ତାହା ସମ୍ଭବ ନହେଲେ ସେମାନେ ଆନ୍ଦୋଳନ କରିବାକୁ