ଗଜପତି ସୁଲଭ ଅହଂକାର, ବଂଶପରମ୍ପରାଗତ ସ୍ୱାଭିମାନ ତାଙ୍କର ପ୍ରତ୍ୟେକ ଧମନୀରେ ପ୍ରବାହିତ ହେଉଥିଲା । ତାଙ୍କର ରାଜସୁଲଭ ସଦ୍ଗୁଣାବଳୀ, ମହାତ୍ମା ସୁଲଭ ଉନ୍ନତ ଚରିତ୍ର, ଜାତୀୟତା ସୁଲଭ କାର୍ଯ୍ୟାବଳୀ ଦେଖିଲେ ମନେହୁଏ କୃଷ୍ଣଚନ୍ଦ୍ର ଗଜପତି ଜଣେ ବ୍ୟକ୍ତି ନଥିଲେ, ସେ ଥିଲେ ଏକ ବିରାଟ ଅନୁଷ୍ଠାନ ।" ଗଜପତି କହିଲେ, "ଲୋକେ ବୁଝନ୍ତି ପ୍ରଥମେ ଓଡ଼ିଶାର ଠାକୁରରାଜା ପୁରୀର ଗଜପତି; ଦ୍ୱିତୀୟରେ ପାରଳାର ରାଜା କୃଷ୍ଣଚନ୍ଦ୍ର ଗଜପତି ।"
ସେହି କୃଷ୍ଣଚନ୍ଦ୍ର ଗଜପତି ଥିଲେ ଚନ୍ଦ୍ରବଂଶୀୟ ତଥା ଆତ୍ରେୟ ଗୋତ୍ରୀ ମହାରାଜା ଏବଂ ସେ ଥିଲେ ଯଥାର୍ଥ ଅର୍ଥରେ ଖେମଣ୍ଡି ରାଜସିଂହାସନର ସର୍ବଶେଷ ରାଜା । ତାଙ୍କରି ଅମଳରେ ହିଁ ଦେଶରେ ଜମିଦାରି ଉଚ୍ଛେଦ ଆଇନ କାର୍ଯ୍ୟକାରୀ ହୋଇଥିଲା ଏବଂ ବାସ୍ତବରେ ରାଜନ୍ୟବର୍ଗଙ୍କ କର୍ପୂର ଉଡ଼ିଯାଇଥିଲା ।
ସମୟର ଅନୁରଣନରେ ପରିସ୍ଥିତିକୁ ସାମନା କରୁକରୁ ବିସ୍ତାରିତ ଗଙ୍ଗବଂଶର ବିଭାଜନ ଜନିତ କାରଣରୁ ହେଉ ବା ହେଉ ଅନ୍ୟ ଯେକୌଣସି ସମ୍ଭାବ୍ୟ କାରଣ- ଖେମଣ୍ଡି ରାଜ୍ୟ ପ୍ରତିଷ୍ଠା ଥିଲା ଏକ ଐତିହାସିକ ସତ୍ୟ ଏବଂ ସେହି ରାଜ୍ୟ ମଧ୍ୟ ପ୍ରାରମ୍ଭରୁ ଶେଷ ପର୍ଯ୍ୟନ୍ତ ସମବଂଶୀୟ ବିଖ୍ୟାତ ଗଙ୍ଗବଂଶର ଏକ ଶାଖାର ରାଜନ୍ୟବର୍ଗଙ୍କଦ୍ୱାରା ଶାସିତ ହେବା ଥିଲା ଅନ୍ୟ ଏକ ଐତିହାସିକ ସତ୍ୟ । ଏକାଦଶ ଶତାବ୍ଦୀରେ ବିଖ୍ୟାତ ଚୋଳଗଙ୍ଗଦେବଙ୍କ ପିତା ରାଜରାଜ ଦେବଙ୍କ ସେନାପତି-ବାଣପତି-କୋଶଳ, ଉତ୍କଳ, ଗିଡ଼୍ରିସିଙ୍ଗି ରାଜ୍ୟ ସମେତ ଖେମଣ୍ଡି ରାଜ୍ୟ ଆକ୍ରମଣ କରିବାର ଉଲ୍ଲେଖ ତାହାର ଏକ ପ୍ରମାଣ । ମହାରାଜା କୃଷ୍ଣଚନ୍ଦ୍ରଙ୍କ ଭାଷାରେ,"ପ୍ରମାଣ ଉପରେ ଯେତେଦୂର ଗୋଚରୀଭୂତ ହୋଇଛି, ସେଥିରୁ ଜଣାଯାଏ ଯେ ୧୦୭୫ ଖ୍ରୀଷ୍ଟାବ୍ଦରେ ରାଜରାଜଙ୍କ ଦୀର୍ଘାସୀଲିିପିରେ ଖେମୁଣ୍ଡିନାମ ସର୍ବ୍ରଥମେ ପରିଲକ୍ଷିତ ହୋଇଛି ।" ଏଥିରୁ ସ୍ପଷ୍ଟ ଯେ ସେତେବେଳକୁ ଏହି ରାଜ୍ୟର ସ୍ୱତନ୍ତ୍ର ସତ୍ତା ପ୍ରତିଷ୍ଠିତ ହୋଇସାରିଥିଲା । ପୁଣି ଚତୁର୍ଦ୍ଧଶ ଶତାବ୍ଦୀର ମଧ୍ୟ ଭାଗରେ ବିଶାଳ ଉକ୍ରଳ ସାମ୍ରାଜ୍ୟର ଗଙ୍ଗରାଜା ତୃତୀୟ ଭାନୁଦେବ ଖେମଣ୍ଡି ରାଜ୍ୟ ଆକ୍ରମଣ କରିବା ଯୋଗୁଁ ସେଠିକାର ତତ୍କାଳୀନ ରାଜା ସମବଂଶୀୟ ନରସିଂହ ଭାନୁଦେବ ଆପଣାର ସ୍ୱାଧୀନତା ରକ୍ଷାପାଇଁ ବାହମନୀ ସୁଲତାନଙ୍କ ସହାୟତା କାମନା କରିଥିଲେ । ତାହା ତତ୍କାଳ ସମ୍ଭବ ହୋଇଥିଲେ ସୁଦ୍ଧା ପରେ ପରେ ସେଠିକାର ରାଜନୈତିକ ପରିସ୍ଥିତି ଜଟିଳ ହୋଇଯାଇଥିଲା । କିନ୍ତୁ ତଥାପି ଏହା ସ୍ପଷ୍ଟ ଯେ ସେତେବେଳେ ଖେମଣ୍ଡି ରାଜ୍ୟର ସ୍ୱତନ୍ତ୍ର ସତ୍ତା ରହିଥିଲା ।
ସେତେବେଳେ ଖେମୁଣ୍ଡି ରାଜ୍ୟ ସମୁଦ୍ର ଉପକୂଳବର୍ତ୍ତୀ ଅଞ୍ଚଳରୁ ଆରମ୍ଭ କରି ବର୍ତ୍ତମାନର କଳାହାଣ୍ଡି ତଥା ଋଷିକୂଲ୍ୟା କୂଳରୁ ଲାଙ୍ଗୁଲ୍ୟା ନଦୀ ପର୍ଯ୍ୟନ୍ତ ବିସ୍ତୃତ ଥିଲା । ସେହି ରାଜ୍ୟର ପ୍ରଥମ ରାଜଧାନୀ ଥିଲା ବର୍ତ୍ତମାନର ରାୟଗଡ଼ା ଜିଲ୍ଲା ଅନ୍ତର୍ଗତ ଏକ ବିଜ୍ଞାପିତ ଅଞ୍ଚଳ ପରିଷଦ- ଗୁଡ଼ାରି କଟକ । ସେଠାରୁ ରାଜଧାନୀ ନଗରୀ କଟକ / କଳିଙ୍ଗନଗରକୁ ସ୍ଥାନାନ୍ତରିତ ହୋଇ