ପୃଷ୍ଠା:Aama Parala Gajapati.pdf/୧୨୨

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

କିଛି କମ୍‌ଦିନ । ୧୯୩୩ ଅଗଷ୍ଟ ୧୩ରେ ଫେରିଥିଲେ ନିଜ ରାଜ୍ୟକୁ । ଆପଣାର ହୃଦ୍‌ବୋଧ ମଧ୍ୟ ଉକ୍ରଳ ଗୌରବ ମଧୁସୂଦନଙ୍କୁ ଜଣାଇଥିଲେ । ଓଡ଼ିଶା ସହ ମିଶ୍ରଣର ଉଜ୍ଜ୍ୱଳ ସମ୍ଭାବନା ଯୋଗୁଁ ମହାରାଜାଙ୍କ ରାଜ୍ୟବାସୀ ତାହାଙ୍କର ପ୍ରତ୍ୟାବର୍ତ୍ତନ କାଳରେ ଭବ୍ୟ ସ୍ୱାଗତ ଜଣାଇଥିଲେ । ପାରଳାର ଘରେ ଘରେ ଆନନ୍ଦର ଉତ୍ସବ । ପ୍ରତି ଦ୍ୱାରରେ ପୂର୍ଣ୍ଣକୁମ୍ଭ । ଆଲୋକ ସଜ୍ଜାରେ ଉଦ୍‌ଭାସିତ ସମଗ୍ର ସହର । କିନ୍ତୁ କିଏ ଜାଣିଥିଲା, ଆକାଶରେ ପୁଣି ଏକ ଅଦିନିଆ ଘନ କଳା ବାଦଲ ସୃଷ୍ଟି ହେବ ବୋଲି ।

ଲଣ୍ଡନରୁ ଫେରିବାର କିଛି ମାସ ପରେ ସେଠିକାର ଜଣେ ବନ୍ଧୁଙ୍କ ଠାରୁ ପତ୍ରଟିଏ ପାଇଥିଲେ । ସେଥିରୁ ସେ ଅବଗତ ହୋଇଥିଲେ ଯେ ଜୟପୁର ଅଞ୍ଚଳ ଓଡ଼ିଶା ସହ ସଂଯୁକ୍ତ ହେବା ଲାଗି ସରକାର ନିଷ୍ପତ୍ତି ନେଉଥିଲେ ସୁଦ୍ଧା ପାରଳା ଅଞ୍ଚଳ ପାଇଁ ମିଳିତ ସଂସଦୀୟ କମିଟି ସୁପାରିସ କରୁ ନାହାନ୍ତି । ଦକ୍ଷିଣ ଓଡ଼ିଶାର ସୀମା ଛତ୍ରପୁର ପରିବର୍ତ୍ତେ ବ୍ରହ୍ମ‌ପୁର ପର୍ଯ୍ୟନ୍ତ ବିସ୍ତାର କରାଯିବା ପାଇଁ ସମ୍ମତ ହୋଇଥିଲେ ସୁଦ୍ଧା ପୂର୍ବ ପ୍ରସ୍ତାବିତ ମହେନ୍ଦ୍ର ଗିରିରେ ଗ୍ରୀଷ୍ମକାଳୀନ ରାଜଧାନୀ ପ୍ରତିଷ୍ଠା ନହେବା ଲାଗି ସେହି ନିର୍ଦ୍ଧାରଣରେ ରହିଥିଲା । ସେ ମଧ୍ୟ ସମ୍ବାଦ ପାଇଥିଲେ ଯେ ନୂତନ ଓଡ଼ିଶା ଗଠନ ଏବଂ ତତ୍ ସହିତ ଆପଣା ରାଜ୍ୟର ମିଶ୍ରଣ ପାଇଁ ବରାବର ଦାବି କରି ଆସୁଥିବା ପାରଳା ମହାରାଜାଙ୍କ ପ୍ରତି ଓଡ଼ିଶା ସବ୍‌କମିଟିର ସଦସ୍ୟ ମି: ଅଟ୍‌ଲି ଯଥେଷ୍ଟ ସମ୍ବେଦନଶୀଳ ମନୋଭାବ ପ୍ରକାଶ କରିଥିଲେ ସୁଦ୍ଧା ସେଇ ରାଜ୍ୟର ଅଧିକାଂଶ ଜନଗଣଙ୍କ ଭାଷା ତଥା ଜାତିଗତ ଭିନ୍ନତା ଯୋଗୁଁ ମହାରାଜାଙ୍କ ଇଚ୍ଛା ପୂରଣ ପାଇଁ ସୁପାରିସ କରିପାରୁ ନଥିବାରୁ ଦୁଃଖ ପ୍ରକାଶ କରିଥିଲେ ସେଇ ସୁପାରିସରେ ।

ସେଭଳି ପରିସ୍ଥିତିରେ ସାରା ଓଡ଼ିଶାରେ ପୁଣି ଥରେ ତୀବ୍ର ଆନ୍ଦୋଳନ ପାଇଁ ଗଜପତି କୃଷ୍ଣଚନ୍ଦ୍ର ନିଷ୍ପତ୍ତି ନେଇଥିଲେ । ସେଥିପାଇଁ ନିୟୋଜିତ କରିଥିଲେ ଆପଣାର ଅନୁଗାମୀମାନଙ୍କୁ । ପ୍ରଫେସର ହୀରାଲାଲ ବର୍ଦ୍ଧନ ଏବଂ ସତ୍ୟ ନାରାୟଣ ରାଜଗୁରୁ ସାରା ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରତିବାଦ ସଭାମାନ ଆୟୋଜନରେ ଲାଗି ପଡ଼ିଥିଲେ । ଡଃ ରାଜଗୁରୁଙ୍କ ସ୍ମୃତି ଚାରଣରେ “୧୯୩୪ ସାଲ ଜାନୁଆରି ମାସରେ ଆମେ ଓଡ଼ିଶା ଗସ୍ତରେ ବାହାରି ସମ୍ବଲପୁରଠାରୁ ଜୟପୁର ପର୍ଯ୍ୟନ୍ତ ପ୍ରତି ଅଞ୍ଚଳରେ ସଭା ସମିତି ମାଧ୍ୟମରେ ଓଡ଼ିଆମାନଙ୍କ ପ୍ରତିବାଦ ସର୍‌କାରଙ୍କଠାରେ ଉପସ୍ଥାପନ କଲୁ । ସେ ମାସ ନଅ ତାରିଖ ଦିନ ପାରଳାଖେମଣ୍ଡିରୁ ଓଡ଼ିଶା ବ୍ୟାପୀ ଆନ୍ଦୋଳନ ଓ ବିକ୍ଷୋଭର ପ୍ରକୃତ ବିବରଣୀ ଜାଣିବା ପାଇଁ ମାନ୍ଦ୍ରାଜର ତତ୍କାଳୀନ ଲାଟସାହେବ ସସ୍ତ୍ରୀକ ପାରଳାଖେମଣ୍ଡି ଆଗମନ କଲେ ।”

ଫେବ୍ରୁଆରି ପ୍ରଥମ ସପ୍ତାହରେ କଟକଠାରେ ଏକ ବିରାଟ ସାଧାରଣ ସଭା ଆୟୋଜିତ ହୋଇଥିଲା । ଧରାକୋଟ ରାଜା ମଦନ ମୋହନ ସିଂହଦେବଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିବା ସେହି ପ୍ରତିବାଦ ସଭାରେ ‘ପାରଳା ବିନା ଓଡ଼ିଶା ବର୍ଜନ’ ମୂଳକ ଏକ ପ୍ରସ୍ତାବ