ପୃଷ୍ଠା:Aama Parala Gajapati.pdf/୧୨୩

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ଗୃହୀତ ହେବା ସଙ୍ଗେ ସଙ୍ଗେ ଭାରତର ବଡ଼ଲାଟ ଲର୍ଡ ୱିଲିଙ୍ଗଡନ୍‌ଙ୍କୁ ପୁଣି ଥରେ ସାକ୍ଷାତ କରିବା ପାଇଁ ମହାରାଜାଙ୍କୁ ଅନୁରୋଧ କରାଯାଇ ସେଥିପାଇଁ ଏକ ପ୍ରତିନିଧିମଣ୍ଡଳୀଙ୍କୁ ମନୋନୀତ କରାଯାଇଥିଲା । ସେଥିରେ ଅନ୍ତର୍ଭୁକ୍ତ ଥିଲେ ସର୍ବଶ୍ରୀ ଭୁବନାନନ୍ଦ ଦାସ, ବ୍ରଜସୁନ୍ଦର ଦାସ ଏବଂ କୃଷ୍ଣଚନ୍ଦ୍ର ଆଚାର୍ଯ୍ୟ ପ୍ରମୁଖମାନେ ।

ଭାଗ୍ୟର କ୍ରୂର ପରିହାସ, ଠିକ୍ ସେହି ସମୟରେ- ଫେବ୍ରୁଆରି ଚାରି ତାରିଖ ଦିନ ସ୍ୱତନ୍ତ୍ର ଉକ୍ରଳ ପ୍ରଦେଶ ଆନ୍ଦୋଳନର ଜନକ ଦେଶପ୍ରାଣ ମଧୁସୂଦନଙ୍କ ଦେହାନ୍ତ ହୋଇ ଯାଇଥିଲା । ତାହା ଥିଲା ମହାରାଜାଙ୍କପାଇଁ ଏକ ଅତ୍ୟନ୍ତ ବେଦନାଦାୟକ ଘଟଣା । ତେବେ ସେହିଭଳି ଅନ୍ୟ ଏକ ବେଦନାଦାୟକ ନିଷ୍ପତ୍ତି ମହାରାଜା ନେବା ପାଇଁ ମାନସିକ ପ୍ରସ୍ତୁତି କରିଥିଲେ । କେବଳ ତେଲୁଗୁ ଭାଷା/ଜାତି ବହୁଳତା କାରଣ ଦର୍ଶାଯାଇ ପ୍ରତିଟି ସମୟରେ ପାରଳା ଜମିଦାରିକୁ ନୂତନ ଓଡ଼ିଶାରେ ସାମିଲ୍ ପାଇଁ ବିରୋଧ କରାଯାଉଥିବା କାରଣରୁ ତାହାଙ୍କର ମୂଳ ଦାବିର ପରିବର୍ତ୍ତନ କରିଥିଲେ । ଯେତେ ଯନ୍ତ୍ରଣାଦାୟକ ହେଲେ ସୁଦ୍ଧା ନିଜ ଜମିଦାରିଟିକୁ ଦୁଇ ଭାଗରେ ବିଭକ୍ତ କରିବା ପାଇଁ ମନସ୍ଥ କରିଥିଲେ । ଜନଗଣଙ୍କ ହିତ ଦୃଷ୍ଟିରୁ ଓଡ଼ିଆ ଅଧ୍ୟୁଷିତ ଅଞ୍ଚଳଗୁଡ଼ିକ ଓଡ଼ିଶା ସହ ଯୁକ୍ତ ହେବା ବେଳେ ତେଲୁଗୁ ଭାଷା ବହୁଳ ଅଞ୍ଚଳ ସବୁ ଆନ୍ଧ୍ର ସହିତ ଯୁକ୍ତ ହେବା ବିଧେୟ ବୋଲି ମତ ପ୍ରଦାନ କରିଥିଲେ । ସେହି ମର୍ମରେ ୧୯୩୪ ଫେବ୍ରୁଆରି ୨୩ ତାରିଖ ଦିନ ଏକ ସ୍ମାରକପତ୍ର ପ୍ରଦାନ କରିଥିଲେ ମାନ୍ଦ୍ରାଜ ଗଭର୍ଣ୍ଣରଙ୍କୁ ।

ସେଇ ପରିବର୍ତ୍ତିତ ପ୍ରସ୍ତାବ ସମସ୍ତଙ୍କ ପାଇଁ ଗ୍ରହଣଯୋଗ୍ୟ ମନେ ହୋଇଥିଲା । ପ୍ରତିପତ୍ତିଶାଳୀ ମାନ୍ଦ୍ରାଜ ଜମିଦାର ସଂଘ ତାହାକୁ ପୂର୍ଣ୍ଣ ସମର୍ଥନ ଜଣାଇଥିଲା । ସ୍ଥାନୀୟ ପତ୍ର ପତ୍ରିକାଗୁଡ଼ିକ ମଧ୍ୟ ବହୁଳ ଭାବରେ ସମର୍ଥନ କରିବା ସହିତ ବିଶେଷ ଭାବେ ପ୍ରସାରଣ ମଧ୍ୟ କରିଥିଲେ ।

ମହାରାଜାଙ୍କ ସେଇ ପ୍ରସ୍ତାବକୁ ଦେଶର ତେଲୁଗୁ ସଂପ୍ରଦାୟ ମଧ୍ୟ ଗ୍ରହଣ କରି ନେଇଥିଲେ । ତାହା ସମଗ୍ର ଦେଶରେ ଏଭଳି ଆଲୋଡ଼ନ ମଧ୍ୟ ସୃଷ୍ଟି କରିଥିଲା ଯେ କେନ୍ଦ୍ରୀୟ ବିଧାନ ପରିଷଦର ସଭ୍ୟମାନଙ୍କ ମଧ୍ୟରୁ ୧୬ ଜଣ ମିଳିତ ଭାବରେ ଭାରତର ଗଭର୍ଣ୍ଣର ଜେନେରାଲ୍‌ଙ୍କୁ ଅନୁରୋଧ ଜଣାଇଥିଲେ, ସେହି ପ୍ରସ୍ତାବକୁ କାର୍ଯ୍ୟକାରି କରାଇବା ପାଇଁ । ଖୋଦ୍ ମହାରାଜା ୧୯୩୪ ମାର୍ଚ୍ଚ ୧୭ ତାରିଖ ଦିନ ପରିସ୍ଥିତି ଚାପରେ ପଡ଼ି ମୂଳ ପ୍ରସ୍ତାବର ପରିବର୍ତ୍ତନ ସଂପର୍କରେ ବିଶଦ୍ ଭାବରେ ବଡ଼ଲାଟ୍‌ଙ୍କୁ ଜଣାଇ ଦେଇଥିଲେ । ଉଭୟ ଗୋଷ୍ଠୀର ଲୋକଙ୍କ ପାଇଁ ତାହା ସନ୍ତୋଷଜନକ ହେବ ବୋଲି ମଧ୍ୟ ଆଶା ପୋଷଣ କରିଥିଲେ । ସେଥିରେ ସେ ଅନୁରୋଧ ମଧ୍ୟ କରିଥିଲେ ଯେ ଏହି ପରିବର୍ତ୍ତିତ ଦାବିର ଯଥାର୍ଥ ବିଚାର କରାଯାଇ ପୁନଶ୍ଚ ସୀମା ନିର୍ଦ୍ଧାରିତ ହେବା ପର୍ଯ୍ୟନ୍ତ ଓଡ଼ିଶାର ସୀମା ସଂଶୋଧନ ପ୍ରକାଶନ ସ୍ଥଗିତ ରଖାଯାଉ ।

ଅତ୍ୟନ୍ତ ଦୁଃଖଦାୟକ ହେଲେ ସୁଦ୍ଧା ମହାରାଜା ସେଭଳି ନିଷ୍ପତ୍ତି ନେବାକୁ ଏକରକମ ବାଧ୍ୟ ହୋଇଥିଲେ । ପାରଳା ଜମିଦାରିର ମିଶ୍ରଣ ଦାବିର ପୁନର୍ବିନ୍ୟାସ ହେବା ପରେ ପରେ ମହାରାଜା