ପୃଷ୍ଠା:Aama Parala Gajapati.pdf/୧୨୬

ଉଇକିପାଠାଗାର‌ରୁ
Jump to navigation Jump to search
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ନୂତନ ଓଡ଼ିଶା : ପ୍ରଥମ ପ୍ରଧାନମନ୍ତ୍ରୀ

ଓଡ଼ିଶା ଶ୍ୱେତପତ୍ର ପ୍ରକାଶ ପାଇବା ପରଠାରୁ ସରକାରୀ ସ୍ତରରେ ନୂତନ ପ୍ରଦେଶ କାର୍ଯ୍ୟକ୍ଷମ ହେବା ପାଇଁ ବିଭିନ୍ନ ପ୍ରସ୍ତୁତିପର୍ବର ଅୟମାରମ୍ଭ କରାଯାଇଥିଲା । ସେତିକିବେଳେ ୧୯୧୨ରେ ବିହାର-ଓଡ଼ିଶା ଗଠନ ବେଳର ପଦ୍ଧତିକୁ ଅନୁସରଣ କରାଯାଇଥିଲା । ଭାରତ ବିଭାଗ ସଚିବ ବଡ଼ଲାଟଙ୍କୁ ତତ୍‌କାଳ ପରାମର୍ଶ ଦେଇଥିଲେ, ମଧ୍ୟବର୍ତ୍ତୀକାଳୀନ ସରକାର ଗଠନ ଦିଗରେ ବିହିତ ପଦକ୍ଷେପମାନ ଗ୍ରହଣ କରିବା ପାଇଁ ।

ବାସ୍ତବରେ ରାଜ୍ୟର ଦାୟିତ୍ୱ ନେବା ପୂର୍ବରୁ ତାହାର ବିଭିନ୍ନ ସମସ୍ୟା ଅନୁଧ୍ୟାନ ଏବଂ ସେ ସବୁର ଦୂରୀକରଣ ପାଇଁ ସମ୍ଭାବ୍ୟ ପଦକ୍ଷେପ ସବୁ ନେବାଲାଗି ଓଡ଼ିଶାର ପ୍ରଥମ ଗଭର୍ଣ୍ଣର ହେବାକୁ ଥିବା ସାର୍ ଜନ୍ ଅଷ୍ଟିନ୍ ହବାକ୍‌ଙ୍କୁ ସ୍ୱତନ୍ତ୍ର କ୍ଷମତା ଦିଆଯାଇ ଓଡ଼ିଶାରେ ଅବସ୍ଥାପିତ କରାଯାଇଥିଲା । ୧୯୩୩ ଜୁନ୍ ୨୪ ତାରିଖରେ ସରକାରଙ୍କ ଦ୍ୱାରା ଗଠିତ ଓଡ଼ିଶା ଶାସନ କମିଟିର ସେ ମୁଖ୍ୟ ରହିଥିବା ବେଳେ ଅନ୍ୟ ସଭ୍ୟଗଣ ଥିଲେ ସର୍ବଶ୍ରୀ ଲକ୍ଷ୍ମୀଧର ମହାନ୍ତି, ଲୋକନାଥ ମିଶ୍ର, ବୀରବର ନାରାୟଣଚନ୍ଦ୍ର ଧୀର ନରେନ୍ଦ୍ର, ମଧୁସୂଦନ ଦାସ, ଏନ୍. ରାମମୂର୍ତ୍ତି ନାଇଡ଼ୁ, ନୀଳମଣି ସେନାପତି ଗୌରଚନ୍ଦ୍ର ଦେବ ଏବଂ ଓ. ନିଉସାମ୍ । ଓଡ଼ିଶା କମିଟି ନୂତନ ପ୍ରଦେଶର ରାଜଧାନୀ ପାଇଁ ସ୍ଥାନ ନିର୍ବାଚନ, ସଚିବାଳୟ କର୍ମଚାରୀଙ୍କ ବାସଗୃହ ନିର୍ମାଣ ଲାଗି ଖର୍ଚ୍ଚ ଅଟକଳ, ହାଇକୋର୍ଟ, ବିଶ୍ୱବିଦ୍ୟାଳୟ ତଥା ଅନ୍ୟାନ୍ୟ ବୈଷୟିକ ଶିକ୍ଷାପ୍ରସାର ଲାଗି ଅନ୍ୟାନ୍ୟ ପ୍ରଦେଶ ସହିତ ଆଂଶିକଭାବେ ସଂଯୁକ୍ତ ରହିବା ପ୍ରଶ୍ନ ଇତ୍ୟାଦି ସମସ୍ତ ବିଷୟରେ ଅନୁଧ୍ୟାନ କରି ସରକାରଙ୍କୁ ପରାମର୍ଶ ଦେବାପାଇଁ ନିଷ୍ପତ୍ତି ନିଆଯାଇଥିଲା ।

ସେତେବେଳ ସୁଦ୍ଧା ଜୟପୁର ଓ ପାରଳା ଅଞ୍ଚଳ ଓଡ଼ିଶାରେ ସଂଯୁକ୍ତ ହୋଇନଥିଲା । ତେଣୁ ଆପାତତଃ ଶ୍ୱେତପତ୍ରରେ ପ୍ରକାଶିତ ଅଞ୍ଚଳ ପାଇଁ ହିଁ ଏହି କମିଟି ଅଧିକୃତ ଥିଲା ଏବଂ ସୀମା ସଂପର୍କୀୟ ମତାମତ ଦେବାପାଇଁ ଏହି ଶାସନ କମିଟିକୁ କୌଣସି ଅଧିକାର ଦିଆଯାଇନଥିଲା । ଅପରପକ୍ଷରେ ମହାରାଜା କୃଷ୍ଣଚନ୍ଦ୍ରଙ୍କ ନେତୃତ୍ୱରେ ଆନ୍ଦୋଳନ ଅବ୍ୟାହତ ରହିଥିଲା ନୂତନ ଓଡ଼ିଶାର ସୀମା ସଂଶୋଧନ ପାଇଁ ।