ପୃଷ୍ଠା:Aama Parala Gajapati.pdf/୧୨୭

ଉଇକିପାଠାଗାର‌ରୁ
Jump to navigation Jump to search
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ଓଡ଼ିଶା ଶାସନ କମିଟିରେ ମହାରାଜାଙ୍କ ଅନୁସ୍ଥିତି ବେଶ୍ ଉପଲବ୍‌ଧି କରିଥିଲେ ସମସ୍ତେ । ଖୋଦ୍ ଜନ୍ ହବାକ‌୍‌ଙ୍କ ପାଇଁ ସେହି ଉପଲବ୍‌ଧି ଥିଲା ଅତ୍ୟଧିକ । ମଧୁବାବୁଙ୍କୁ ଗୋଟିଏ ପତ୍ରରେ ଆପଣାର ହୃଦୟ ଖୋଲି ଦେଇଥିଲେ ଯେ ଓଡ଼ିଆମାନଙ୍କ ଦୀର୍ଘ ଦିନର ଅଭିଳାଷ ପୂରଣ ହେବାବେଳେ ସମସ୍ତେ ଗର୍ବ ଅନୁଭବ କରିବା ଉଚିତ । ତେବେ ନୂତନ ପ୍ରଦେଶ ଗଠନର ମୁଖ୍ୟ ଉଦ୍ୟୋକ୍ତା ସେହି କମିଟି ସହିତ ସଂଯୁକ୍ତ ହୋଇପାରି ନଥିବା ଅତ୍ୟନ୍ତ ଦୁଃଖର ବିଷୟ । “କମିଟି ବୈଠକଗୁଡ଼ିକରେ ମୁଁ ଏକ ବିରାଟ ଶୂନ୍ୟତା ଅନୁଭବ କରୁଛି ।” -ସେ ସେତିକିବେଳେ ଆଶା ମଧ୍ୟ ପୋଷଣ କରିଥିଲେ ଯେ ଭବିଷ୍ୟତରେ ଆବଶ୍ୟକବେଳେ ମହାରାଜାଙ୍କ ସହଯୋଗ ନିଶ୍ଚିତ ଭାବେ ଲାଭ କରିବେ ।

ଆପାତତଃ ଓଡ଼ିଶାର ରାଜଧାନୀ କଟକଠାରେ ରହିବା ବେଳେ ରାଜ୍ୟପାଳଙ୍କ ରହିବା ପାଇଁ ଓଡ଼ିଶା ଶାସନ କମିଟି ସ୍ଥାନ ନିର୍ଣ୍ଣିୟ କରିଥିଲା ପୁରୀ ।

ମିଳିତ ସଂସଦୀୟ କମିଟିର ମତାମତ ୧୯୩୪ ନଭେମ୍ବରରେ ସରକାରଙ୍କ ନିକଟରେ ଦାଖଲ ହୋଇଥିଲା । ତାହାକୁ ଆଧାର କରି ୧୯୩୫ ଫେବ୍ରୁଆରିରେ ଭାରତ ବିଭାଗ ସଚିବ ବ୍ରିଟିଶ୍ ପାର୍ଲାମେଣ୍ଟର ହାଉସ୍ ଅଫ୍ କମନ୍‍ସରେ ଏକ ବିଲ୍ ଆଗତ କରିଥିଲେ ଏବଂ ତାହା ଅଗଷ୍ଟ ୪ ତାରିଖ ଦିନ ଅନୁମୋଦନ ଲାଭକରି ଆଇନରେ ପରିଣତ ହୋଇଥିଲା । ତାହା ହିଁ ଆମଦେଶରେ ଖ୍ୟାତି ଲାଭ କରିଥିବା ୧୯୩୫ ଭାରତ ଶାସନ ଆଇନ । ସେହି ଅନୁଯାୟୀ ଓଡ଼ିଶା ଓ ସିନ୍ଧୁ୍ପ୍ରଦେଶ ନୂତନ କରି ଜନ୍ମଲାଭ କରିଥିବା ସଂଗେ ସଂଗେ ଲୋକପ୍ରତିନିଧିମୂଳକ ଶାସନ ପ୍ରବର୍ତ୍ତନ ହେବାର ବ୍ୟବସ୍ଥା ହୋଇଥିଲା । ତାହାକୁ କାର୍ଯ୍ୟକାରୀ କରାଇବା ପାଇଁ ସେହିକ୍ରମରେ “ଭାରତ ସରକାରଙ୍କ ଓଡ଼ିଶା ଗଠନ ଆଦେଶନାମା-୧୯୩୬” ପ୍ରସ୍ତାବ ପାର୍ଲାମେଣ୍ଟରେ ୧୯୩୬ ମସିହା ଜାନୁୟାରି ଏକ ତାରିଖ ଦିନ ଉପସ୍ଥାପିତ ହୋଇଥିଲା । ପରଂପରା ଅନୁଯାୟୀ ପାର୍ଲାମେଣ୍ଟର ଉଭୟ ସଦନ ଫେବ୍ରୁଆରି ମାସରେ ମହାମାନ୍ୟ ସମ୍ରାଟଙ୍କୁ ମିଳିତ ଭାବରେ ଅନୁରୋଧ ଜଣାଇଥିଲେ ଏବଂ ପ୍ରିଭି କାଉନ୍‌ସିଲର ପରାମର୍ଶକ୍ରମେ ଓଡ଼ିଶା ପ୍ରଦେଶ ଗଠନ ପାଇଁ ସମ୍ରାଟ ଚୂଡ଼ାନ୍ତ ଆଦେଶ ଦେଇଥିଲେ ୧୯୩୬ ମାର୍ଚ୍ଚ ର ସାମ୍ବିଧାନିକ ଭିତ୍ତି ।

୧୯୩୬ ଅପ୍ରେଲ୍ ପହିଲା ଦିନ ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଉଦ୍‌ଘାଟିତ ହୋଇଥିଲା । ଏହାର ପ୍ରଥମ ଗଭର୍ଣ୍ଣର ହୋଇଥିଲେ ସାର୍‌ଜନ୍ ଅଷ୍ଟିନ୍ ହବାକ୍ । ତାହାଙ୍କୁ ଶପଥ ପାଠ କରାଇଥିଲେ ବିହାର-ଓଡ଼ିଶା ପ୍ରଦେଶ ହାଇକୋର୍ଟର ପ୍ରଧାନ ବିଚାରପତି ସାର୍ କଟ୍‌ନେ ଟେରାଲ୍ । ସେହି ଉଦ୍‌ଘାଟନୀ ଉତ୍ସବ କଟକ ରେଭେନ୍ସା କଲେଜରେ ଅନୁଷ୍ଠିତ ହୋଇଥିଲା ।

ନୂତନ ଓଡ଼ିଶାର ଆୟତନ ପ୍ରାୟ ୩୨,୧୯୮ ବର୍ଗ ମାଇଲ (୮୩,୩୯୩ ବ.କି.ମି.) ହୋଇଥିବା ବେଳେ ଜନସଂଖ୍ୟା ଥିଲା ୮୦,୪୩,୬୮୧ ଏବଂ ଏଥିରେ ଥିଲା କଟକ, ପୁରୀ,