ଦିଆଯାଇଥିଲା । ପୁଣି ସ୍ୱତନ୍ତ୍ର କ୍ଷମତା ବଜାୟ ରଖିଥିବା ୨୪ଟି ଗଡ଼ଜାତ ଅଞ୍ଚଳଗୁଡ଼ିକ ମଧ୍ୟରେ ଥିଲା ଗାଙ୍ଗପୁର, ବଣାଇ, କେନ୍ଦୁଝର, ମୟୂରଭଞ୍ଜ, ନୀଳଗିରି, ପାଲଲହଡ଼ା, ବାମରା, ରେଢ଼ାଖୋଲ, ଆଠମଲ୍ଲିକ, ତାଳଚେର, ଢ଼େଙ୍କାନାଳ, ଆଠଗତ, ତିଗିରିଆ, ବଡ଼ମ୍ବା, ନରସିଂହପୁର, ହିନ୍ଦୋଳ, ବାମଣ୍ଡା, ସୋନପୁର, ପାଟଣା, କଳାହାଣ୍ଡି, ଦଶପଲ୍ଲା, ଖଣ୍ଡପଡ଼ା, ନୟାଗଡ଼ ଏବଂ ରଣପୁର ।
ଓଡ଼ିଶା ସ୍ୱତନ୍ତ୍ର ପ୍ରଦେଶ ରୂପେ ଗଠିତ ହୋଇଥିଲେ ସୁଦ୍ଧା ଓଡ଼ିଶା ବାହାରେ ଅନେକ ଓଡ଼ିଆ ଭାଷାଭାଷୀ ଅଞ୍ଚଳ ନୂତନ ଓଡ଼ିଶାର ଚତୁଃପାର୍ଶ୍ୱରେ ରହିଯାଇଥିଲା । ବିହାରରେ ସିଂହଭୂମ; ବଙ୍ଗରେ ମେଦିନାପୁରର ଅନେକ ଓଡ଼ିଆଭାଷୀ ଅଞ୍ଚଳ; କେନ୍ଦ୍ର (ମଧ୍ୟ) ପ୍ରଦେଶରେ ଫୁଲଝର, ବିନ୍ଦ୍ରାନୂଆଗଡ଼, ବସ୍ତର, ରାଜଗଡ଼ ଏବଂ ସାରଙ୍ଗଗଡ଼ ରାଜ୍ୟ; ମାନ୍ଦ୍ରାଜରେ ମଞ୍ଜୁଷା, ତରଳା, ଟିକାଲି, ବୁଢ଼ାରସିଂ, ଜଳନ୍ତର; ବିଶାଖାପାଟଣା ମାଳଅଞ୍ଚଳର ଅଧିକାଂଶ ଭାଗ ଏବଂ ପାରଳା ଜମିଦାରିର ଅନେକ ଓଡ଼ିଆ ଅଧ୍ୟୁଷିତ ଅଞ୍ଚଳ ଓଡ଼ିଶା ବାହାରେ ରହି ଯାଇଥିଲା । ତେଣୁ ଆପାତତଃ ଓଡ଼ିଆ ଲୋକେ ଯେଉଁ ଆଶା ଆକାଂକ୍ଷା ନେଇ ଦୀର୍ଘଦିନ ଧରି ସ୍ୱତନ୍ତ୍ର ଓଡ଼ିଶା ଆନ୍ଦୋଳନ ଚଳାଇ ଆସିଥିଲେ ତାହା ସ୍ୱୟଂସଂପୂର୍ଣ୍ଣ ହୋଇପାରି ନଥିଲା କହିଲେ ଚଳେ । ତେବେ ଯେଉଁ ସଫଳତା ହାସଲ ହୋଇଥିଲା ତାହା ଥିଲା ଆଂଶିକ । ତଥାପି ତାହାର ଗୁରୁତ୍ୱ କିଛି କମ୍ ନଥିଲା । ଭାଷାଭିତ୍ତିରେ ତାହା ଥିଲା ଭାରତ ଭୂଖଣ୍ଡରେ ପ୍ରଥମ ସ୍ୱତନ୍ତ୍ର ପ୍ରଦେଶ । ସେତିକିବେଳେ ମଧ୍ୟ ଭାରତୀୟ ରାଷ୍ଟ୍ରସଂଘରେ ସ୍ୱତନ୍ତ୍ର ରାଜ୍ୟ ଭାବେ ଜନ୍ମଲାଭ କରିଥିଲା ସିନ୍ଧୁ୍ପ୍ରଦେଶ ।
ଭାଷା ଆଧାରରେ ଗଠିତ ନୂତନ ପ୍ରଦେଶର ଜନ୍ମୋତ୍ସବ ମହା ଆଡ଼ମ୍ବରରେ ପାଳିତ ହୋଇଥିଲା । ସେଥିପାଇଁ କଟକଠାରେ ଏକ ବିରାଟ ସାଧାରଣ ସଭାର ଆୟୋଜନ ହୋଇଥିଲା । ସେଥିରେ ଓଡ଼ିଶାର ବିଭିନ୍ନ ଅଞ୍ଚଳରୁ ଆସିଥିବା ଜନଗଣଙ୍କର ଉଲ୍ଲସିତ ସମାଗମ । ଉତ୍କଳ ସମ୍ମିଳନୀର ସଭ୍ୟଗଣ ବିଶେଷ ଆନନ୍ଦିତ । ଆନୁଷ୍ଠାନିକ ଭାବେ ଦୀର୍ଘ ୩୩ ବର୍ଷ ଆନ୍ଦୋଳନର ଶୁଭଙ୍କର ପରିଣାମରେ ସେମାନେ; ସେମାନଙ୍କ ଲକ୍ଷ୍ୟ ବିନ୍ଦୁ ହାତ ମୁଠାରେ । ସେମାନଙ୍କ ସମେତ ଅନ୍ୟ ଅନେକଙ୍କ ଆଖିରେ ଆନନ୍ଦାଶ୍ରୁ । ସେଇ ଅଶ୍ରୁରେ କେବଳ ଆନନ୍ଦର ହିଁ ରେଣୁ ଯୁକ୍ତ ନଥିବ ଥିବ ମଧ୍ୟ କିଛି କିଛି ଦୁଃଖ ଏବଂ ବେଦନାର ଫେଣ୍ଟାଫେଣ୍ଟି ମିଶ୍ରଣ । ଆଜି ଅନେକ ଓଡ଼ିଆ ଭାଇ ଓଡ଼ିଶା ବାହାରେ ରହିଗଲେ ଯେ !
ସେ ଦିନ ସନ୍ଧ୍ୟାରେ ନବ ଉତ୍କଳର ଜନକ ମହାରାଜା କୃଷ୍ଣଚନ୍ଦ୍ର ଏକ ବିରାଟ ସାଂଧ୍ୟ ମିଳନର ଆୟୋଜନ କରିଥିଲେ କଟକର ବାରବାଟୀ କିଲ୍ଲା ଭିତରେ । ସରକାରୀ ତଥା ବେସରକାରୀ ବ୍ୟକ୍ତିବୃନ୍ଦ ଥିଲେ ସେଇ ଗାର୍ଡେନ୍ ପାର୍ଟିର ଅତିଥି । ମହାରାଜାଙ୍କ ନିମନ୍ତ୍ରଣ ରକ୍ଷା କରି ମାନ୍ଦ୍ରାଜ ତଥା ବିହାର-ଓଡ଼ିଶା ସରକାରଙ୍କ ଅନେକ ପଦସ୍ଥ କର୍ମଚାରୀ ସେଥିରେ ଅଂଶ ଗ୍ରହଣ କରିଥିଲେ- ଅଂଶ ଗ୍ରହଣ କରିଥିଲେ ହଜାର ହଜାର ଅତିଥି । ହେଲେ ସେଠାରେ ଦୃଶ୍ୟମାନ