ପୃଷ୍ଠା:Aama Parala Gajapati.pdf/୧୩୪

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ସେତେବେଳେ ମନ୍ତ୍ରିମଣ୍ଡଳର ମୁଖ୍ୟଙ୍କୁ ପ୍ରଧାନମନ୍ତ୍ରୀ ରୂପେ ଆଖ୍ୟାୟିତ କରାଯାଉଥିବା ଯୋଗୁଁ ସେ ଥିଲେ ଓଡ଼ିଶାର ପ୍ରଥମ ପ୍ରଧାନମନ୍ତ୍ରୀ ।

ପ୍ରଥମ ପ୍ରଧାନମନ୍ତ୍ରୀ ପଦବୀରେ ଅଧିଷ୍ଠିତ ହେବା ପରେ ପରେ ଗଜପତି କୃଷ୍ଣଚନ୍ଦ୍ରଙ୍କର ପ୍ରଥମ କାର୍ଯ୍ୟଥିଲା ପୁରୀ ଶ୍ରୀମନ୍ଦିର ପରିଦର୍ଶନ; ତାଙ୍କର ଆରାଧ୍ୟଦେବ ଶ୍ରୀଜଗନ୍ନାଥଙ୍କ କୃପଭିକ୍ଷା । ଦୀର୍ଘ ଅତୀତରୁ ବିଗତ କେତେ ଶତାବ୍ଦୀ ଧରି ପାରଳା ରାଜବଂଶ ଶ୍ରୀମନ୍ଦିର ଦର୍ଶନରେ ଯାଇନଥିଲେ । ତାର ପ୍ରଚ୍ଛଦ ପଟରେ ଥିଲା ଏକ ଆହତ ଅଭିମାନର ସ୍ପଷ୍ଟ ଚିତ୍ର; ଏକ ଅତ୍ୟନ୍ତ ଶିଥିଳ ଐତିହାସିକ ଯୁକ୍ତି !

ଶ୍ରୀକ୍ଷେତ୍ର ପୁରୀର ଶ୍ରୀମନ୍ଦିରକୁ ନବକଳେବର ଯୁକ୍ତ କରିଥିବା ବିଖ୍ୟାତ ଗଙ୍ଗ ନରପତିଗଣଙ୍କ ସନ୍ତକ ଥିଲେ ପାରଳାର ଖେମଣ୍ଡି ରାଜବଂଶ । ସେମାନେ ଦୀର୍ଘ ଅତୀତରେ ବିଭକ୍ତ ହୋଇଥିବା ଆତ୍ରେୟ ଗୋତ୍ରୀ ଗଙ୍ଗବଂଶର ଏକ ରକ୍ତଧାରା । କିନ୍ତୁ ତତ୍‌ପର ସମୟରେ ପ୍ରତିଷ୍ଠିତ ହୋଇଥିଲେ ସୂର୍ଯ୍ୟବଂଶୀ ରାଜା କପିଳେନ୍ଦ୍ରଦେବ । ଆପାତତଃ କପିଳେନ୍ଦ୍ର ଦେବ ହିଁ ସୂର୍ଯ୍ୟବଂଶ ପ୍ରତିଷ୍ଠା କରିଥିଲେ । ତାଙ୍କରି ଉତ୍ତରାଧିକାରୀ ଭାବେ ଯେତେବେଳେ ଦାସୀ ପୁତ୍ର ପୁରୁଷୋତ୍ତମ ଦେବ ସିଂହାସନ ଆରୋହଣ କରିଥିଲେ, ସେତେବେଳେ କପିଳେନ୍ଦ୍ରଦେବଙ୍କ ପାଟରାଣୀ ସମ୍ଭୂତ ଅଷ୍ଟାଦଶପୁତ୍ର ଓଡ଼ିଶାର ବିଭିନ୍ନ ପ୍ରାନ୍ତକୁ ଚାଲି ଯାଇଥିଲେ । ଜ୍ୟେଷ୍ଠ କଳାହମ୍ବିର ଓଡ଼ିଶାର ଦାକ୍ଷିଣାତ୍ୟରେ ମହେନ୍ଦ୍ର ଗିରି ଅଞ୍ଚଳର କୌଣସି ପ୍ରାନ୍ତରେ ସମ୍ଭବତଃ ଆଶ୍ରୟ ନେଇଥିଲେ ଏବଂ ପର ସମୟରେ ଖେମଣ୍ଡି ରାଜ୍ୟର ପ୍ରତିଷ୍ଠାତା ରୂପେ ଲୋକମୁଖରେ ପରିଗଣିତ ହୋଇଥିଲେ । ଏଥିରେ ସାମାନ୍ୟତମ ଐତିହାସିକ ସତ୍ୟତା ନଥିଲେ ସୁଦ୍ଧା ପାରଳା ରାଜବଂଶ ଜ୍ୟେଷ୍ଠ ଦାୟାଦର ଅଭିମାନ ନେଇ କନିଷ୍ଠ-ପୁରୀ ଗଜପତିଙ୍କର ଆତିଥ୍ୟ ଗ୍ରହଣ ପାଇଁ କୁଣ୍ଠିତ ଥିଲେ ପାରଂପରିକ ଭାବେ । ଜଗତର ନାଥ ଶ୍ରୀଜଗନ୍ନାଥଙ୍କର ଯେ ପ୍ରଥମ ସେବକ ହେବାର କଥା ସେ କିଭଳି ଭାବରେ ସେଇ ସମ୍ମାନଜନକ ପଦରେ ଅନୁଜମାନଙ୍କୁ ଗ୍ରହଣ କରିପାରିବ !

ସେଇ କପୋଳକଳ୍ପିତ କାହାଣୀ ହିଁ ଥିଲା ବଂଶାନୁକ୍ରମେ ପାରଳା ରାଜାଗଣ ଶ୍ରୀମନ୍ଦିର ପରିଦର୍ଶନରେ ନଯିବାର ମୁଖ୍ୟ କାରଣ । ପୁଣି ତତ୍‌ସହିତ ଯୋଗ ହୋଇଥିଲା ସର୍ବଜ୍ଞ ଜଗନ୍ନାଥ ଦେବଙ୍କର ଖୋର୍ଦ୍ଧା/ପୁରୀ ଆକ୍ରମଣ ଏବଂ ପୁଣି ଗୌର ଗଜପତିଙ୍କ ଦ୍ୱାରା ପୁରୀ ରାଜାଙ୍କ ଅଧୀନସ୍ଥ ଡେଲାଙ୍ଗ ଜମିଦାରି କ୍ରୟ ଘଟଣା । ଉଭୟ ରାଜ ପରିବାର ପାଇଁ ସମୟ କ୍ରମେ ଏହି ସବୁ ଘଟଣାବଳୀ ତିକ୍ତତା ସୃଷ୍ଟି କରିଥିଲା ।

ତେବେ ସମୟର ରଥଚକ ତଳେ ଦେଶର ରାଜନୈତିକ ଦୃଶ୍ୟପଟ ସମ୍ପୂର୍ଣ୍ଣ ପରିବର୍ତ୍ତନ ହୋଇଯାଇଥିଲା । ପୁରାତନ ରାଜ୍ୟ ଏବଂ ରାଜାର ମର୍ଯ୍ୟାଦା କେବଳ ନାମକୁ ମାତ୍ର ରହିଥିଲା କହିଲେ ଚଳେ । ସେଭଳି ସ୍ଥିତିରେ ଗଜପତି କୃଷ୍ଣଚନ୍ଦ୍ର ଚାହିଁଥିଲେ ସେଇ ସବୁର ଅବସାନ ହେଉ । ସେ ପୁରୀ ଗଜପତି ମହାରାଜା ରାମଚନ୍ଦ୍ର ଦେବଙ୍କ ନିକଟକୁ ସମ୍ବାଦ ପଠାଇଥିଲେ ଯେ