ପୃଷ୍ଠା:Aama Parala Gajapati.pdf/୧୩୬

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ତାଙ୍କ ପରେ ପରେ ରାଜ୍ୟର ଦ୍ୱିତୀୟ ପ୍ରଧାନ ମନ୍ତ୍ରୀ ରୂପେ ସଂଖ୍ୟା ଗରିଷ୍ଠ କଂଗ୍ରେସ ଦଳରୁ ଓଡ଼ିଶା ବିଧାନସଭାରେ ନେତୃତ୍ୱ ନେଉଥିବା ଶ୍ରୀ ବିଶ୍ୱନାଥ ଦାଶ ଜୁଲାଇ ୧୯ ତାରିଖ ଦିନ ମନ୍ତ୍ରିମଣ୍ଡଳର ଦାୟିତ୍ୱ ଗ୍ରହଣ କରିଥିଲେ । ଶ୍ରୀ ନିତ୍ୟାନନ୍ଦ କାନୁନ୍‌ଗୋ ଏବଂ ବୋଧରାମ ଦୁବେ ଥିଲେ ତାହାଙ୍କର ସହକର୍ମୀ ମନ୍ତ୍ରୀ । ସେହି ମନ୍ତ୍ରିମଣ୍ଡଳ ପ୍ରାୟ ଦୁଇ ବର୍ଷ ତିନି ମାସ ପାଇଁ କ୍ଷମତାରେ ରହିଥିଲା । ୧୯୩୯ ନଭେମ୍ବର ଚାରି ତାରିଖ ଦିନ ସେ ଇସ୍ତଫା ଦେଇଥିଲେ ଦେଶର ଅନ୍ୟାନ୍ୟ ପ୍ରାଦେଶିକ ମନ୍ତ୍ରିମଣ୍ଡଳଙ୍କ ସହ ସମତାଳରେ ଗତି କରି । ତା’ର ଦୁଇ ଦିନ ପରେ ସେଇ ଇସ୍ତଫା ଗୃହୀତ ହୋଇଥିଲା । ୧୯୩୯ ସେପ୍ଟେମ୍ବରରେ ଆରମ୍ଭ ହୋଇଥିବା ଦ୍ୱିତୀୟ ବିଶ୍ୱଯୁଦ୍ଧରେ ସହଯୋଗ ନେଇ ଇଂରେଜ ସରକାରଙ୍କ ମନୋମୁଖୀ କାର୍ଯ୍ୟକଳାପ ଥିଲା ତାହାର ପ୍ରମୁଖ କାରଣ ।

ପୃଥିବୀରେ ଦ୍ୱିତୀୟ ବିଶ୍ୱଯୁଦ୍ଧର ଘନଘଟା- ଭାରତରେ ତା’ର ପ୍ରତିଫଳନ; ଇଂଲଣ୍ଡ ବିରୁଦ୍ଧରେ ଜର୍ମାନୀ ଓ ଜାପାନ୍, ଭାରତୀୟ ଜାତୀୟ କଂଗ୍ରେସରେ ଭବିଷ୍ୟତ କାର୍ଯ୍ୟପନ୍ଥା ନେଇ ବାଦ-ପ୍ରତିବାଦ, ନେତାଜୀଙ୍କ କେନ୍ଦ୍ରମଞ୍ଚରେ ଉପସ୍ଥାନ ଓ ଅପସାରଣ, କଂଗ୍ରେସ ଦଳ ମଧ୍ୟରେ ସ୍ୱରାଜ୍ୟ ଦଳ ଗଠନ, ଫରୱାର୍ଡ ବ୍ଲକ୍‌ର ଉଦ୍‌ଭବ, ଆସାମ-ପଶ୍ଚିମବଙ୍ଗ-ବିହାର ଓ ଓଡ଼ିଶାରେ ମନ୍ତ୍ରିମଣ୍ଡଳ ଗଠନ ପାଇଁ ନେତାଜୀଙ୍କ ଉଦ୍ୟମ-ଏଭଳି ପରିସ୍ଥିତି ଭିତରେ ଓଡ଼ିଶାର ରାଜନୀତିକ ଦୃଶ୍ୟପଟ ସକ୍ରିୟ ହୋଇ ଉଠିଥିଲା ୧୯୪୧ ମସିହାର ଶେଷ ବେଳକୁ । ଓଡ଼ିଶାରେ ମନ୍ତ୍ରିମଣ୍ଡଳଟିଏ ଗଠିତ ହେଲେ ବିଦ୍ରୋହୀ କଂଗ୍ରେସ ବିଧାୟକଗଣ ସମର୍ଥନ ଦେବାପାଇଁ ଆଗେଇ ଆସିଥିଲେ । ତେଣୁ ଏକ ମିଳିତ ମନ୍ତ୍ରିମଣ୍ଡଳ ଗଠନ ସପକ୍ଷରେ ଗୁରୁତ୍ୱ ଦିଆଯାଇଥିଲା । ସେତିକି ବେଳେ ପ୍ରସ୍ତାବ ଉଠିଥିଲା ଯେ ସେହିଭଳି ମନ୍ତ୍ରିମଣ୍ଡଳଟିଏ ପାରଳା ମହାରାଜାଙ୍କ ନେତୃତ୍ୱରେ ଗଠିତ ହେଉ । ସେହି ପ୍ରସ୍ତାବ ସମସ୍ତଙ୍କ ଦ୍ୱାରା ଗୃହୀତ ହୋଇଥିଲା ।

ସେହି କ୍ରମରେ ୧୯୪୧ ନଭେମ୍ବର ୨୪ ତାରିଖ ଦିନ ମହାରାଜା କୃଷ୍ଣଚନ୍ଦ୍ର ପୁଣି ଥରେ ମନ୍ତ୍ରିମଣ୍ଡଳ ଗଠନ କରିଥିଲେ । ଏଥର ସହଯୋଗୀ ରୂପେ ପଣ୍ଡିତ ଗୋଦାବରୀଶ ମିଶ୍ର ଏବଂ ମୌଲବୀ ଶୋଭନ ଖାଁଙ୍କୁ ଗ୍ରହଣ କରିଥିଲେ । ବିଧାନସଭାର ସଂପାଦକ ରୂପେ ନିଯୁକ୍ତ ହୋଇଥିଲେ ପ୍ୟାରୀଶଙ୍କର ରାୟ ।

ସେତେବେଳକୁ ସାର୍ ହଥର୍ଣ୍ଣ ଲୁଇସ୍ ଥିଲେ ଓଡ଼ିଶାର ଗଭର୍ଣ୍ଣର (୧୯୪୧-୪୬) ମନ୍ତ୍ରିମଣ୍ଡଳ ଗଠନରେ ସଂତୋଷ ପ୍ରକାଶ କରି ସେ ମତବ୍ୟକ୍ତ କରିଥିଲେ ଯେ ବ୍ରିଟିଶ୍ ରାଜତନ୍ତ୍ର ତଥା ଭାରତ ପାଇଁ ଏକ ପରମ ସଂକଟ ସମୟରେ “ଓଡ଼ିଶାର ଶାସନ ଭାର ଜଣେ ଅତି ଯଥାର୍ଥ ବ୍ୟକ୍ତି ଗ୍ରହଣ କରିଛନ୍ତି, ଯିଏ ବାସ୍ତବରେ ଥିଲେ ସ୍ୱତନ୍ତ୍ର ଓଡ଼ିଶା ଆନ୍ଦୋଳନର ମୁଖ୍ୟ ପ୍ରବର୍ତ୍ତକ ।”

ବିଧାନସଭାର ଅଧିବେଶନଗୁଡ଼ିକରେ ମହାରାଜାଙ୍କ ଯେକୌଣସି ଉପସ୍ଥାପନା ଅତ୍ୟନ୍ତ ମାର୍ଜିତ ରହୁଥିଲା । ଆଲୋଚନାବେଳେ ସଭ୍ୟମାନଙ୍କ ବ୍ୟକ୍ତିଗତ ଆକ୍ଷେପକୁ ସେ ପସନ୍ଦ କରୁନଥିଲେ । ସେ ଏକାଧିକବାର ପ୍ରକାଶ୍ୟରେ ମଧ୍ୟ ମତବ୍ୟକ୍ତ କରିଥିଲେ ଯେ ବିରୋଧୀ ଦଳର