ପୃଷ୍ଠା:Aama Parala Gajapati.pdf/୧୩୯

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ଏହା କେବଳ ଶ୍ରୀଯୁକ୍ତ ଦାସଙ୍କ ଅଭିମତ ନଥିଲା, ଥିଲା ଏ ରାଜ୍ୟର ପ୍ରାୟତଃ ନେତା, ବିଧାୟକ ଏବଂ ଓଡ଼ିଶାବାସୀଙ୍କ ମତାମତ; ମହାରାଜାଙ୍କ ରାଜନୈତିକ ଜୀବନର ପୃଷ୍ଠବନ୍ଧ । ହେଲେ ଏହି ନୈତିକ ପୃଷ୍ଠଭୂମି ଉପରେ ଦଣ୍ଡାୟମାନ ମହାରାଜା ୧୯୪୪ ମସିହାର ପ୍ରାୟ ମଧ୍ୟଭାଗ ବେଳକୁ ଅନୁଭବ କରିଥିଲେ ଯେ ଓଡ଼ିଶାର ରାଜନୈତିକ ପରିବେଶ ଯେମିତି ଦୂଷିତ ହୋଇ ଯାଉଛି । ଅନ୍ୟତମ ମନ୍ତ୍ରୀ ପଣ୍ଡିତ ଗୋଦାବରୀଶଙ୍କ ନେତୃତ୍ୱରେ ଅନ୍ୟ ଏକ ନୂତନ ରାଜନୈତିକ ଦଳ-ଓଡ଼ିଶା ପାର୍ଲାମେଣ୍ଟାରୀ ପାର୍ଟି ଗଠିତ ହୋଇଥିଲା । ସେହିଭଳି ପଦକ୍ଷେପ ଯେ ନବଗଠିତ ପ୍ରଦେଶିକ ମନ୍ତ୍ରିମଣ୍ଡଳର ଐକ୍ୟ ସ୍ଥାପନରେ ଅନ୍ତରାୟ ସୃଷ୍ଟି କରିବ ଏବଂ ପରିଣାମତଃ ରାଜ୍ୟର ସମୃଦ୍ଧି ପାଇଁ ହେଉଥିବା କାର୍ଯ୍ୟକଳାପରେ ପ୍ରତିବନ୍ଧକ ସୃଷ୍ଟି କରିବାରେ ବେଳେବେଳେ ସହାୟକ ହେବ- ଏହା କ୍ଷମତାଭିତ୍ତିକ ରାଜନୀତି ଚାହୁଁ ନଥିବା ମହାରାଜାଙ୍କ ଦୃଢ଼ ହୃଦ୍‌ବୋଧ ହୋଇଥିଲା । ମନ୍ତ୍ରିମଣ୍ଡଳରେ ସାମାନ୍ୟତମ ମତ ପାର୍ଥକ୍ୟ ସେ କାମନା କରୁନଥିଲେ କେବଳ ସେଇ କାରଣରୁ ।

କେବଳ ସେହି ହୃଦ୍‌ବୋଧରୁ ୧୯୪୪ ଜୁନ୍ ୨୨ ତାରିଖ ଦିନ ସେ ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ ଏବଂ ତାହା ସେହି ମାସ ୩୦ ତାରିଖରେ ଗୃହୀତ ହୋଇ ଯାଇଥିଲା । ଓଡ଼ିଶାରେ ପୁଣି ଆରମ୍ଭ ହୋଇଥିଲା ଲାଟ ଶାସନ । ଏବଂ ତତ୍ ସହିତ ମଧ୍ୟ ମହାରାଜାଙ୍କ ରାଜନୈତିକ ଜୀବନ ତଥା କାର୍ଯ୍ୟକଳାପ ସେତେବେଳଠାରୁ ପ୍ରାୟ ଶେଷ ହୋଇଯାଇଥିଲା କହିଲେ ଅତ୍ୟୁକ୍ତି ହେବନାହିଁ ।

ମହାରାଜା ସ୍ୱେଚ୍ଛାକୃତ ଭାବେ ରାଜନୀତିରୁ ଅବସର ନେଇଥିଲେ, ସ୍ୱେଚ୍ଛାକୃତଭାବେ ରାଜନୀତିରେ ଯୋଗଦେଇଥିବା ଭଳି । ରାଜନୈତିକ କ୍ଷେତ୍ରକୁ ଲମ୍ଫ ଦେଇଥିଲେ କେବଳ ଗୋଟିଏ ମାତ୍ର କାରଣ ପାଇଁ- ସବୁ ଓଡ଼ିଆ ଅଞ୍ଚଳର ଏକୀକରଣ କରାଯାଇ ସ୍ୱତନ୍ତ୍ର ଉତ୍କଳ ପ୍ରଦେଶ ଗଠନ; କେବଳ ଏବଂ କେବଳ ମାତ୍ର ହୃଦୟ କନ୍ଦରରେ ଜାତୀୟ ମମତାର ଆଲୋଡ଼ନ । ତାଙ୍କରି ନେତୃତ୍ୱରେ ତାହା ସମ୍ଭବ ହୋଇପାରିଥିଲା । ପୁଣି ନବଗଠିତ ଉତ୍କଳର ସାମୂହିକ ଉନ୍ନତି କଳ୍ପେ ତାଙ୍କରି ନେତୃତ୍ୱରେ ଭିତ୍ତି ମଧ୍ୟ ସ୍ଥାପିତ ହୋଇପାରିଥିଲା ସ୍ୱତନ୍ତ୍ର ପ୍ରଦେଶର ପ୍ରଥମ ତଥା ତୃତୀୟ ପ୍ରଧାନମନ୍ତ୍ରୀ ହିସାବରେ । ତାପରେ ସେ ସ୍ୱେଚ୍ଛାକୃତ ଅବସର ଗ୍ରହଣ କରିଥିଲେ ।

ଭାରତର ସ୍ୱାଧୀନତା ପ୍ରାପ୍ତି ପରେ ପରେ ଗଠିତ ସମ୍ବିଧାନ ପ୍ରଣୟନ ସଭାରେ ସେ ଥିଲେ ମଧ୍ୟ ଜଣେ ସଦସ୍ୟ । କିନ୍ତୁ ସେଠାରେ ସେ କୌଣସି ସକ୍ରିୟ ଭୂମିକା ଗ୍ରହଣ କରିଥିବାର ନଜର ମିଳେ ନାହିଁ । ତେଣୁ ବାସ୍ତବରେ ସେଠିକାର କାର୍ଯ୍ୟକାଳ ସମାପ୍ତ ହେବା ପରଠାରୁ ମହାରାଜାଙ୍କ ରାଜନୈତିକ ଜୀବନର ପରିସମାପ୍ତି ହେଲା ବୋଲି ଧରିନିଆଗଲେ ମଧ୍ୟ ତାଙ୍କରି ରାଜନୈତିକ ନିଷ୍କ୍ରିୟତା ଆରମ୍ଭ ହୋଇଯାଇଥିଲା ତାର ବହୁ ପୂର୍ବରୁ- ମନ୍ତ୍ରିମଣ୍ଡଳରୁ ଇସ୍ତଫା ଦେବା ପରଠାରୁ ପ୍ରାୟ । ରାଜନୀତିରେ ରାଜନୀତି ହୋଇ ନଥିଲେ ସମ୍ଭବତଃ ମହାରାଜା ଆହୁରି କିଛି ଅଧିକ