ପୃଷ୍ଠା:Aama Parala Gajapati.pdf/୧୪

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ଶ୍ରୀ ପରିଚ୍ଛାଙ୍କ ମତରେ ସେ ୧୬୯୩ ମସିହା ପର୍ଯ୍ୟନ୍ତ ରାଜତ୍ୱ କରିଥିଲେ । ତେଣୁ ନିର୍ଦ୍ଧାରିତ ମସିହାଟି ଶ୍ରୀ ପରିଚ୍ଛାଙ୍କ ମତରେ ଦୀର୍ଘ ୬୦ ବର୍ଷ ପଛରେ ରହି ଯାଉଥିବା ବେଳେ ଡକ୍ଟର ରାଓ ୮୯ ବର୍ଷ ଆଗେଇ ଯାଇଛନ୍ତି । କିନ୍ତୁ ଡକ୍ଟର ସିୱେଲ୍‍ ଯଦିବା ସେହି ସମୟ ସହିତ ଏକମତ ହୋଇ ନାହାନ୍ତି ତଥାପି ସେ ମାତ୍ର ୧୩ ବର୍ଷ ଆଗରେ ରହିଛନ୍ତି । ଅତୀତରେ ୨୧ ଜଣ ରାଜାଙ୍କ ରାଜତ୍ୱକାଳ ନିର୍ଦ୍ଧାରଣ ଦୃଷ୍ଟିରୁ ଏବଂ ପୁଣି ଦୀର୍ଘ ପ୍ରାୟ ଚାରି ଶତାବ୍ଦୀର ତଥ୍ୟ ବିଭିନ୍ନ ସୂତ୍ରରୁ ସଂଗ୍ରହ କଲାବେଳେ ସେଇ ସ୍ୱଳ୍ପ ବ୍ୟବଧାନକୁ ସାମାନ୍ୟ ବୋଲି ବିଚାରକରି ଡକ୍ଟର ରାଜଗୁରୁଙ୍କ ଭଳି ପ୍ରମୁଖ ଗବେଷକଗଣ ସେହି ତାଲିକାକୁ ଗ୍ରହଣ କରିଯିବା ବିଶେଷ ସମୀଚୀନ ବୋଲି ମନେକରନ୍ତି । ଏଠାରେ ବିଶେଷ ଉଲ୍ଲେଖଯୋଗ୍ୟ ଯେ ଖେମଣ୍ଡି ରାଜସିଂହାସନାସୀନ ସେହି ରାଜାଗଣଙ୍କ ନାମ ଏବଂ କ୍ରମକୁ ସବୁ ଐତିହାସିକ ଏବଂ ଗବେଷକ ସ୍ୱୀକୃତି ଦେଇଛନ୍ତି । ୨୧ତମ ରାଜା ବୀରପ୍ରତାପରୁଦ୍ର ଗଜପତି ନାରାୟଣ ଦେବଙ୍କ ଅମଳରେ ଖେମଣ୍ଡି ରାଜଧାନୀ ପାରଳାକୁ ସ୍ଥାନାନ୍ତର ହୋଇଥିଲା ଏବଂ ତାଙ୍କ ପରେ ପରେ ସର୍ବଜ୍ଞ ଜଗନ୍ନାଥ ଗଜପତି ନାରାୟଣ ଦେବ ୧୭୫୧ ମସିହାରୁ ସେଠାରେ ଶାସନ ଆରମ୍ଭ କରିଥିବା ବିଭିନ୍ନ ରେକଡପତ୍ରରୁ ସ୍ପଷ୍ଟ । ଅତଏବ ବୀର ପ୍ରତାପରୁଦ୍ର ନାରାୟଣ ଦେବଙ୍କ ଶାସନ ୧୭୫୩ରେ ଶେଷ ହୋଇଥିବା ତଥ୍ୟ ସଂପର୍କରେ ତଥାପି ଅଧିକ ଗବେଷଣାର ଆବଶ୍ୟକତା ରହିଛି ଏବଂ ବାସ୍ତବରେ ତାଙ୍କରି ଅମଳରେ ରାଜଧାନୀ ପୁରୁଣା ପାଟଣାରୁ ପାରଳା ସ୍ଥାନାନ୍ତର ହୋଇଥିବାରୁ ସମ୍ଭବତଃ ସେ ଏଠାରେ କିଛିକାଳ ରାଜତ୍ୱ କରିଥିଲେ ସୁଦ୍ଧା ସର୍ବଜ୍ଞ ଜଗନ୍ନାଥ ଦେବଙ୍କୁ ଏଠିକାର ପ୍ରଥମ ରାଜା ହିସାବରେ ଗ୍ରହଣ କରାଯାଇପାରେ । ସେ ବାସ୍ତବରେ ଥିଲେ ଖେମଣ୍ଡି ଗଙ୍ଗବଂଶର ୨୨ତମ ରାଜା ଏବଂ ତାଙ୍କୁ ମିଶାଇ ପାରଳା ରାଜଧାନୀରୁ ସାତ ଜଣ ରାଜା ରାଜ୍ୟ ଶାସନ କରିଥିଲେ । ସର୍ବଶେଷ ରାଜା ଥିଲେ ଶ୍ରୀକୃଷ୍ଣଚନ୍ଦ୍ର ଗଜପତି ନାରାୟଣ ଦେବ ।

ପାରଳାର ରାଜନ୍ୟବର୍ଗ
କ୍ରନଂ ରାଜା ରାଜଗାଦିରେ ଶେଷନିଃଶ୍ୱାସ
୧. ସର୍ବଜ୍ଞ ଜଗନ୍ନାଥ ଗଜପତି ନାରାୟଣଦେବ ୧୭୫୧-୧୭୭୦ ଡିସେମ୍ବର-୫
୨. ଗଜପତି ନାରାୟଣଦେବ ୧୭୭୧-୧୮୦୨ ଫେବ୍ରୁଆରି-୪
୩. ପୁରୁଷୋତ୍ତମ ଗଜପତି ନାରାୟଣଦେବ ୧୮୦୨-୧୮୦୫ ଅକ୍ଟୋବର-୨୯
୪. ଜଗନ୍ନାଥ ଗଜପତି ନାରାୟଣଦେବ(୨ୟ) ୧୮୦୫-୧୮୫୧ ନଭେମ୍ବର-୨୭
୫. ପ୍ରତାପରୁଦ୍ର ଗଜପତି ନାରାୟଣଦେବ ୧୮୫୧-୧୮୮୯ ସିଂହାସନରୁ ସନ୍ନ୍ୟାସ
୬. ଗୌରଚନ୍ଦ୍ର ଗଜପତି ନାରାୟଣଦେବ ୧୮୮୯-୧୯୦୫ ୧୯୦୫
୭. କୃଷ୍ଣଚନ୍ଦ୍ର ଗଜପତି ନାରାୟଣଦେବ ୧୯୧୩-୧୯୫୨ ମଇ-୨୫, ୧୯୭୪