ପୃଷ୍ଠା:Aama Parala Gajapati.pdf/୧୪୧

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି
[[ଫାଇଲ:|428px|page=141]]

ବିଶ୍ୱବିଦ୍ୟାଳୟ ତରଫରୁ ସେହିଭଳି ଡକ୍ଟରେଟ୍ ଉପାଧି ପ୍ରଦତ୍ତ ହୋଇଥିଲା ୧୯୬୮ ମସିହାରେ । ଏଠାରେ ମଧ୍ୟ ଉଲ୍ଲେଖ କରାଯାଇ ପାରେ ଯେ ଯଥା ସମୟରେ ତାଙ୍କରି ସ୍ମରଣରେ ଓଡ଼ିଶା ସରକାର ପାରଳା ସମେତ ସେଇ ଅଞ୍ଚଳକୁ “ଗଜପତି” ଜିଲ୍ଲା ରୂପେ ନାମିତ କରିବା ସହିତ କେନ୍ଦ୍ର ସରକାରଙ୍କ ତରଫରୁ ତାଙ୍କରି ସ୍ମରଣରେ ‘ଡାକଟିକଟ’ ପ୍ରସ୍ତୁତ କରିଥିଲେ । ବ୍ରିଟିଶ୍ ସରକାର ତ ତାହାଙ୍କୁ ଯଥାର୍ଥ ଭାବରେ ଚିହ୍ନି ପାରିଥିଲେ ପ୍ରଥମରୁ ହିଁ ।

୧୯୧୩ରେ ମହାରାଜା ଗାଦି ଆସୀନ ହେବା ପରଠାରୁ ଇଂରେଜ ସରକାର ତାହାଙ୍କୁ ଅନେକ ସମ୍ମାନଜନକ ପଦବୀରେ ଅଳଂକୃତ କରିଥିଲେ । ୧୯୧୬ ମସିହାରେ ପ୍ରତିରକ୍ଷା ବିଭାଗର ସ୍ଥଳ ବାହିନୀରେ “ଅବୈତନିକ ସେକେଣ୍ଡ ଲେଫ୍ଟନାଣ୍ଟ” ପଦବୀ ପ୍ରଦାନ କରିଥିଲେ । ତତ୍‌ପରେ ସେ ମଧ୍ୟ ଭୂଷିତ ହୋଇଥିଲେ କେ.ସି.ଆଇ.ଇ. ପଦରେ । ୧୯୧୮ ମସିହାରେ କୃଷ୍ଣଚନ୍ଦ୍ରଙ୍କୁ “ରାଜା ସାହେବ” ପଦବୀ ପ୍ରଦତ୍ତ ହେବା ସଂଗେ ସଂଗେ ୧୯୨୨ରେ ସେହି ପଦବୀକୁ ବଂଶାନୁକ୍ରମେ ବ୍ୟବହାର କରିବା ପାଇଁ ଅଧିକାର ଦିଆଯାଇଥିଲା । ନୂତନ ଓଡ଼ିଶା ପ୍ରଦେଶ ଗଠିତ ହେବାର ଅବ୍ୟବହିତ ପୂର୍ବରୁ, ୧୯୩୬ ମସିହାର ପ୍ରଥମ ଦିବସରେ ଭାରତର ବଡ଼ଲାଟ ଲର୍ଡ ୱିଲଙ୍ଗଡନ୍‌ଙ୍କ ସ୍ୱାକ୍ଷର ବହନ କରି ଏକ ସନନ୍ଦ ପ୍ରଦତ୍ତ ହୋଇଥିଲା । ସେଥିରେ ଉଲ୍ଲେଖ ରହିଥିଲା- I hereby confer upon you the title of Maharaja as a personal distinction - ଇଂରେଜ ସରକାରଙ୍କ ନଥିପତ୍ରରେ ସ୍ୱୀକୃତ ପାରଳାଖେମଣ୍ଡି ଜମିଦାର ଗଜପତି କୃଷ୍ଣଚନ୍ଦ୍ର ଆନୁଷ୍ଠାନିକ ଭାବେ ସେହି ପରଠାରୁ ମହାରାଜା କୃଷ୍ଣଚନ୍ଦ୍ର ରୂପେ ପରିଚିତି ଲାଭ କରିଥିଲେ ।