ପୃଷ୍ଠା:Aama Parala Gajapati.pdf/୧୪୨

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ବ୍ରିଟିଶ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିବାରେ ପ୍ରାରମ୍ଭିକ କାଳରୁ ହିଁ ସମର୍ଥ ଥିଲେ ମହାରାଜା । ସେ ସିଂହାସନ ଆରୋହଣ କରିବାର ସ୍ୱଳ୍ପକାଳ ପରେ ପରେ ପ୍ରଥମ ବିଶ୍ୱଯୁଦ୍ଧର ଆରମ୍ଭ । ସେତିକି ବେଳେ ତାଙ୍କରି ନେତୃତ୍ୱରେ ପାରଳାରେ ପାଳିତ ହୋଇଥିଲା “Our-day” କାର୍ଯ୍ୟକ୍ରମ ଯେଉଁଥିରେ ସ୍କୁଲ କଲେଜ ଛାତ୍ର ଗଣଙ୍କ ଠାରୁ ଆରମ୍ଭ କରି ରାଜ୍ୟର ଜନଗଣଙ୍କଠାରୁ ପ୍ରଭୂତ ପରିମାଣରେ ସ୍ୱେଚ୍ଛାକୃତ ଦାନ ସଂଗୃହୀତ ହୋଇଥିଲା । ସେଥିରେ ମହାରାଜାଙ୍କର ବିଶେଷ ଯୋଗଦାନ ଥିଲା ପରିମାଣାତ୍ମକ ଦୃଷ୍ଟିରୁ । ସେହି ଯୁଦ୍ଧ ପାଣ୍ଠି ସହାୟତା ବ୍ରିଟିଶ୍ ସରକାରଙ୍କ ଯଥାର୍ଥ ଧ୍ୟାନ ଆକର୍ଷଣ କରିବାରେ ସମର୍ଥ ଥିଲା । ପୁଣି ଆମ ଦେଶର କୃଷି ଓ କୃଷକମାନଙ୍କ ସ୍ଥିତି/ସମସ୍ୟା ନେଇ ଯେଉଁ ରାଜକୀୟ କୃଷି କମିଶନ ଗଠିତ ହୋଇଥିଲା ସେଥିରେ ସମଗ୍ର ଭାରତରୁ ଜଣେ ମାତ୍ର ସଭ୍ୟ ଭାବରେ ମନୋନୀତ ହୋଇଥିଲେ ମହାରାଜା । ସରକାରୀ ଦୃଷ୍ଟି ଆକର୍ଷଣ କରିପାରିଥିବାର ତାହା ମଧ୍ୟ ଏକ ନମୁନା । ସେଭଳି ବିଶେଷ ଉଲ୍ଲେଖଯୋଗ୍ୟ ଘଟଣାଥିଲା ବିହାର ଓଡ଼ିଶା ସରକାରଙ୍କ ମନୋନୟନ ପ୍ରଥମ ଗୋଲଟେବୁଲ ବୈଠକ ପାଇଁ । ପୁଣି ୧୯୩୮ ମସିହାରେ ରାଜକୀୟ ଶିଳ୍ପ-କଳା ପରିଷଦର ସେ ସଭ୍ୟ ମନୋନୀତ ହୋଇଥିଲେ ଏବଂ ପୁଣି ମଧ୍ୟ ଭାରତୀୟ ପ୍ରତିରକ୍ଷା ପରିଷଦର ସଭ୍ୟ (୧୯୪୧-୧୯୪୫), ସମ୍ବିଧାନ ପ୍ରଣୟନ ସଭାର ସଦସ୍ୟତା ଭଳି ପଦ-ପଦବୀଗୁଡ଼ିକ ତାହାଙ୍କର ସାମାଜିକ ଜୀବନରେ ପ୍ରତିଷ୍ଠାର ଏକ ଏକ ନମୁନା ମାତ୍ର ।

କିନ୍ତୁ ସେଇ ସବୁକୁ ପଛ କରିଦେଇ ଗଜପତି କୃଷ୍ଣଚନ୍ଦ୍ର ପ୍ରାୟ ୧୯୪୪ ମସିହାରୁ ୧୯୭୪ ପର୍ଯ୍ୟନ୍ତ ଦୀର୍ଘ ତିରିଶ ବର୍ଷକାଳ କେବଳ ଅବସର ଜୀବନ ଯାପନ କରିବା ପାଇଁ ବରଂ ଶ୍ରେୟସ୍କର ମନେ କରିଥିଲେ ଜଣେ ମହାରାଜୋପମ ମହାରାଜା ହିସାବରେ ।