ପୃଷ୍ଠା:Aama Parala Gajapati.pdf/୧୪୩

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି
ଶ୍ରାନ୍ତ କ୍ଳାନ୍ତ ଜୀବନ ଜଞ୍ଜାଳ

ଅତ୍ୟନ୍ତ ଦୁର୍ଗମ ଏଇ ଜୀବନ ଜଞ୍ଜାଳ । କେତେବେଳେ କଙ୍କରିଳ ତ କେତେବେଳେ ପିଚ୍ଛିଳ । ସବୁକୁ ଦୃଢ଼ତାର ସହିତ ଅତିକ୍ରମ କରିବାକୁ ହେବ । ଅତିକ୍ରମ କରିବାକୁ ଭୟଙ୍କର ଘଞ୍ଚ ବନାନୀ । ସେହି କଳାକୁ ସତେ ଯେମିତି ବେଶ୍ ଆୟତ୍ତ କରି ପାରିଥିଲେ ମହାରାଜା କୃଷ୍ଣଚନ୍ଦ୍ର ।

ଅନେକ ଦୁଃଖଦ ଘଟଣା ଘଟିଥିଲା ମହାରାଜାଙ୍କର ଜୀବନକାଳ ମଧ୍ୟରେ । ସମ୍ଭବତଃ ସବୁଠାରୁ ଦୁଃଖଦ ଥିଲା ମହାରାଣୀଙ୍କର ମୃତ୍ୟୁ ।

୧୯୨୫ ମସିହା । ମହାରାଜାଙ୍କ ବୟସ ମାତ୍ର ପ୍ରାୟ ୩୩ । ସେତେବେଳକୁ ସ୍ୱତନ୍ତ୍ର ଓଡ଼ିଶା ଆନ୍ଦୋଳନର କେନ୍ଦ୍ରବିନ୍ଦୁରେ ସେ । ଆନ୍ଦୋଳନ ବେଶ୍ ଦାନା ଧରିଥିଲା । ସାମାନ୍ୟ ସମୟ ଅପଚୟ କରିବାର ବେଳ ନୁହେଁ । ଠିକ୍ ସେତିକିବେଳକୁ ମହାରାଣୀ, ଖରସୁଆଁ ରାଜଜେମା, ନଳିନୀ ଦେବୀଙ୍କର ଅକାଳ ମୃତ୍ୟୁ ହୋଇଥିଲା । ମହାରାଜାଙ୍କ ସାମାଜିକ ପ୍ରତିଷ୍ଠା ସାଙ୍ଗକୁ ତାହାଙ୍କର ପାରିବାରିକ ସୁଖଶାନ୍ତି ଏକାକାର ହେବାର ସୁଯୋଗ ପ୍ରଦାନ କରିବା ପାଇଁ ବିଶ୍ୱନିୟନ୍ତା ସମ୍ଭବତଃ ଚାହୁଁ ନଥିଲେ । ସତେଯେମିତି ଚାହୁଁଥିଲେ ଅଗ୍ନୀପରୀକ୍ଷା କରିବା ପାଇଁ; ଚାହୁଁଥିଲେ ପ୍ରମାଣ କରାଇବା ପାଇଁ ମହାରାଜାଙ୍କ ଉତ୍କଳୀୟ ମମତା-ଜାତୀୟ ଜୀବନର ପରାକାଷ୍ଠା !

ସେଇ କଠୋରତମ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିଲେ ମହାରାଜା । ଚରମ ପରାକାଷ୍ଠା ଦେଖାଇଥିଲେ । ସେଇ ବୟସରୁ କଠୋର ବ୍ରହ୍ମଚର୍ଯ୍ୟ ବ୍ରତ ପାଳନ କରିଥିଲେ ଜୀବନର ଅବଶିଷ୍ଟ ସମୟ ପାଇଁ । ୧୯୧୪ରୁ ୧୯୨୫ ମାତ୍ର ୧୧ ବର୍ଷର ଦାମ୍ପତ୍ୟ ଜୀବନ । ତାଙ୍କର ରକ୍ତର ସ୍ମାରକୀ ଚାରୋଟି ସନ୍ତାନଙ୍କ ଭାର ଗ୍ରହଣ କରିବାକୁ ହୋଇଥିଲା ଅନନ୍ୟୋପାୟ ହୋଇ । ମାତୃହରା ସନ୍ତାନଗଣଙ୍କୁ ସବୁ ପ୍ରକାର ସୁଖ ସ୍ୱାଚ୍ଛନ୍ଦ୍ୟ ପ୍ରଦାନ ପାଇଁ ଅତ୍ୟନ୍ତ ଯତ୍ନଶୀଳ ହୋଇ ଉଠିବା ଥିଲା ତାଙ୍କ ପାଇଁ ସ୍ୱାଭାବିକ । ସେହି କାର୍ଯ୍ୟରେ କୃଷ୍ଣଚନ୍ଦ୍ରଙ୍କୁ ଅମୃତମୟ ହାତ ବଢ଼ାଇ ସବୁ ପ୍ରକାରର ସାନ୍ତ୍ୱନାମୂଳକ ସହାୟତା ପ୍ରଦାନ କରିଥିଲେ ତାଙ୍କ ମାଆ ରାଧାମଣି ଦେବୀ । ନାତି ନାତୁଣୀଙ୍କ ସବୁ ଅବସାଦ ପୋଛି ଦେବା ପାଇଁ ଆନ୍ତରିକ ଉଦ୍ୟମ ଥିଲା ତାଙ୍କର । ଉଲ୍ଲେଖ ଅନାବଶ୍ୟକ ଯେ ଗଜପତି କୃଷ୍ଣଚନ୍ଦ୍ରଙ୍କ ପାଇଁ ମଧ୍ୟ ସେ ଥିଲେ ସ୍ୱର୍ଗାଦପି ଗରୀୟସୀ ।୧୪୪ ଆମ ପାରଳା ଗଜପତି