ପୃଷ୍ଠା:Aama Parala Gajapati.pdf/୧୪୬

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ବ୍ୟବସ୍ଥା କରିଥିଲେ ସୁଦ୍ଧା ମହାରାଜା ସବୁବେଳେ ଚିନ୍ତାଗ୍ରସ୍ତ ରହୁଥିଲେ ତାଙ୍କରି ପାଇଁ । ମହାରାଜାଙ୍କ ପାରିବାରିକ ଜୀବନ ଜଞ୍ଜାଳକୁ ଅଧିକତର ଭାବରେ ଶ୍ରାନ୍ତ, କ୍ଲାନ୍ତ କରି ଦେଉଥିଲା ଜାଡ଼ିଜେମାଙ୍କ ଜୀବନ ନିର୍ବାହ । ଉତ୍ତର ବୟସରେ ମହାରାଜା ସର୍ବାଦୌ ଚିନ୍ତିତ ରହୁଥିଲେ ଏବଂ ତାଙ୍କରି ପରେ ପରେ ଜେମାଙ୍କ ଅବସ୍ଥା ନେଇ ।

ବିଶ୍ୱ ନିୟନ୍ତା କିନ୍ତୁ ତାହାର ସମାଧାନ କରିଦେଇଥିଲେ । ମହାରାଜାଙ୍କ ମୃତ୍ୟୁର ସ୍ୱଳ୍ପ କାଳ ପରେ ଜାଡ଼ିଜେମା ମଧ୍ୟ ମୃତ୍ୟୁବରଣ କରିଥିଲେ । କିନ୍ତୁ ସେଇ ବିଶ୍ୱ ନିୟନ୍ତା ମହାରାଜାଙ୍କ କପାଳରେ ବିକ୍ଷିପ୍ତ ଭାବରେ ଲେଖି ଦେଇଥିଲେ ପ୍ରିୟ ପରିଜନଙ୍କର ବିୟୋଗଜନିତ କ୍ଳାନ୍ତିର ସନ୍ଦେଶ । କୈଶୋରରୁ ଆରମ୍ଭ କରି ତାହା ଯେମିତି ପରିବ୍ୟାପ୍ତ ହୋଇଥିଲା ବାର୍ଦ୍ଧକ୍ୟ ପର୍ଯ୍ୟନ୍ତ । କୃଷ୍ଣଚନ୍ଦ୍ରଙ୍କୁ ଯେତେବେଳେ ମାତ୍ର ୧୨/୧୩ ବର୍ଷ ବୟସ ସେତିକି ବେଳେ ହିଁ (୧୯୦୫) ସେ ପିତୃହୀନ ହୋଇ ଯାଇଥିଲେ । ତାର ସ୍ୱଳ୍ପକାଳ ପୂର୍ବରୁ ହରାଇଥିଲେ ପିତୃବ୍ୟଙ୍କୁ (୧୯୦୪) । ପୁଣି ଜ୍ଜ୍ୱଳନ୍ତ ଯୌବନର ମଧ୍ୟ ଭାଗରେ ହରାଇ ବସିଥିଲେ ପ୍ରାଣପ୍ରିୟା ପତ୍ନୀଙ୍କୁ (୧୯୨୫) ମାତ୍ର ୩୩ ବର୍ଷ ବୟସରେ । ନିଶ୍ଚିତ ରୂପେ ଗଭୀର ଅବସାଦରେ ଭରିଯାଇଥିବ ହୃଦୟ । ତତ୍ ପରବର୍ତ୍ତୀ କ୍ଳାନ୍ତ ଶ୍ରାନ୍ତ ଜୀବନ ପ୍ରବାହକୁ ସଜାଡ଼ୁ ସଜାଡ଼ୁ ‘ସ୍ୱର୍ଗାଦପି ଗରୀୟସୀ’ ଜନନୀଙ୍କ ମୃତ୍ୟୁ (୧୯୩୮)କୁ ସାମନା କରିଥିଲେ । ସମସ୍ତ ସାଂସାରିକ ଜୀବନ ଜଞ୍ଜାଳକୁ ନିଜେ ଆବୋରି ନେଇ ମହାରାଜାଙ୍କ ସାମାଜିକ ଜୀବନକୁ ଦୃଢ଼ କରାଇବାରେ ଜନନୀ ରାଧାମଣି ଦେବୀ ଥିଲେ ବାସ୍ତବରେ ଏକ ବତୀଘର । ସେଇ ବତୀଘରଟିର ଆଲୋକ ନିର୍ବାପିତ ହୋଇଥିଲା କୃଷ୍ଣଚନ୍ଦ୍ରଙ୍କୁ ୪୬ବର୍ଷ ହୋଇଥିବା ବେଳେ । ତେବେ ସେଇ ଅଭାବ ତ ଅପୂରଣୀୟ ହୋଇ ରହିବା ସ୍ୱାଭାବିକ । ସାମାନ୍ୟ ରୋଗାକ୍ରାନ୍ତ ହୋଇ ବିବାହଯୋଗ୍ୟା ରାଜଜେମାଙ୍କର ମୃତ୍ୟୁ ଏବଂ ପରେ ପ୍ରାୟ ୬୦ ବର୍ଷ ବୟସ ବେଳକୁ ଯୁବରାଜଙ୍କ ବିୟୋଗ ମାତ୍ର ପ୍ରାୟ ୩୬ ବର୍ଷ ବୟସରେ ! ମୃତ୍ୟୁ- ଆଃ ମୃତ୍ୟୁର କିଭଳି ତାଣ୍ଡବ ପାରଳା ରାଜବାଟୀରେ !

ମହାରାଜା କୃଷ୍ଣଚନ୍ଦ୍ରଙ୍କ ପାରିବାରିକ ଜୀବନ ସତେ ଯେମିତି ଦୁଃଖ ଏବଂ ପରମ ଦୁଃଖଦ ଘଟଣାବଳୀରେ ହିଁ ଛାୟାଚ୍ଛନ୍ନ ଥିଲା କହିଲେ ଅତ୍ୟୁକ୍ତି ହେବନାହିଁ । ପିତା, ପିତୃବ୍ୟ, ପତ୍ନୀ, ପୁତ୍ର, କନ୍ୟା ତଥା ମାତାଙ୍କ ବିୟୋଗ ତାହାଙ୍କ ଜୀବନର ସରସତା ହରଣ କରି ନେବାରେ ଯଥେଷ୍ଟ ଥିଲା । ତଥାପି ସେ ସାମାଜିକ ଜୀବନରେ ଭାଙ୍ଗି ପଡିନଥିଲେ । ଧୈର୍ଯ୍ୟହରା ହୋଇନଥିଲେ । ହୃଦୟ କନ୍ଦରକୁ ପଥରଟିଏରେ ପରିଣତ କରାଇ କୋମଳ ପ୍ରାଣର ସବୁ ଆବେଗ, ସବୁ ମମତା, ସବୁ କୋହ, ସବୁ ବ୍ୟାକୁଳତାକୁ ହୃଦୟର ଗୁପ୍ତ ଗନ୍ତାଘରେ ସାଇତି ରଖି ନେଇଥିଲେ ଆପଣାର ନିରୋଳା ମୁହୂର୍ତ୍ତଗୁଡ଼ିକ ପାଇଁ- ଏକାନ୍ତ ବେଳେ ସେଇ ଗନ୍ତାଘରକୁ ଖୋଲୁଥିବେ ପରା କେଜାଣି !

ଅନ୍ୟ ପକ୍ଷରେ ଜୀବନର ବାସ୍ତବତାକୁ ସାମନା କରିବା ପାଇଁ ସେ ଥିଲେ ଦୃଢ଼ ପରିକର । ତାଙ୍କରି ଜୀବଦ୍ଦଶାରେ ହିଁ ରାଜନୈତିକ ତଥା ସାମାଜିକ ଦୃଶ୍ୟପଟରେ ତୁମୁଳ ପରିବର୍ତ୍ତନ ଘଟିଥିଲା ।