ପୃଷ୍ଠା:Aama Parala Gajapati.pdf/୧୫୦

ଉଇକିପାଠାଗାର‌ରୁ
Jump to navigation Jump to search
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ଉପରୁ ସଂବର୍ଦ୍ଧନାର ଉତ୍ତର ଦେଇଥିଲେ ଦେଶ ଓ ଜାତିର ସେବା ପାଇଁ ପ୍ରତ୍ୟେକ ନାଗରିକ ଆପଣାକୁ ଗଢ଼ି ତୋଳିବା ଆବଶ୍ୟକ । ଐକ୍ୟ ପ୍ରତିଷ୍ଠା ବିନା ଭାରତର ପ୍ରଗତି ସମ୍ଭବ ନୁହେଁ । ମହନୀୟ ତଥା ଆଦର୍ଶ ଜୀବନ ହିଁ ଅତୀତର ଐତିହ୍ୟ ଓ ସଂସ୍କୃତିର ସଂରକ୍ଷଣ ଏବଂ ସମୃଦ୍ଧ ପାଇଁ ପ୍ରଥମ ଆବଶ୍ୟକତା । “ଜୟ, ନୂତନ ଉକ୍ରଳର ପ୍ରତିଷ୍ଠାତା ଶ୍ରୀ ଶ୍ରୀ ଶ୍ରୀ କୃଷ୍ଣଚନ୍ଦ୍ର ଗଜପତି ନାରାୟଣ ଦେବ ମହାରାଜାଙ୍କ ଜୟ” ଧ୍ୱନି ସହ ସଭା ସାଙ୍ଗ ହୋଇଥିଲା ।

ସାରା ଜୀବନ ତ ଥିଲା ତାଙ୍କର ମହନୀୟ, ଆଦର୍ଶଯୁକ୍ତ । ସେ ଆଉ କେଉଁ ଆହ୍ୱାନ ଦେଇଥାନ୍ତେ ଦେଶର ଭବିଷ୍ୟତ ପାଇଁ । ଶୃଙ୍ଖଳା ଏବଂ ଶୃଙ୍ଖଳା । ଆଜୀବନ ସେଇ ରଜ୍ଜୁରେ ବନ୍ଧା ହୋଇଥିଲେ ସେ । ଅବସର ଜୀବନ ଯାପନ କାଳରେ ବି ସେମିତି; ଜମିଦାରି ଉଚ୍ଛେଦ ପରେ ସୁଦ୍ଧା ସେଇ ଶୃଙ୍ଖଳିତ ଜୀବନ ଯାପନ । ଦେଶର ସମ୍ବିଧାନ ଅନୁଯାୟୀ ସେ ଜଣେ ସାଧାରଣ ନାଗରିକ ହୋଇଥିଲେ ସୁଦ୍ଧା ଜୀବନର ଶେଷ ଦିନ ପର୍ଯ୍ୟନ୍ତ ସେଇ ରାଜକୀୟ ଢ଼ଙ୍ଗଢ଼ାଙ୍ଗ ! ଗଭୀର ଆତ୍ମସମ୍ମାନବୋଧ ପ୍ରବଳ ଆତ୍ମ ଅଭିମାନ ଯାହା ପ୍ରତ୍ୟେକ ସାଧାରଣ ମଣିଷ ପାଇଁ ଏକାନ୍ତ ଆବଶ୍ୟକ ।

ସେମିତି ଦେଖିଲେ ମହାରାଜା କୃଷ୍ଣଚନ୍ଦ୍ର ପିଲାଟି ଦିନରୁ ହିଁ ଥିଲେ ଖୁବ୍ ଆତ୍ମ ଅଭିମାନୀ । ସେତେବେଳକାର ଗଞ୍ଜାମର ପ୍ରଥମ ଗ୍ରାଜୁଏଟ୍ ଶ୍ରୀ ଶ୍ୟାମସୁନ୍ଦର ରାଜଗୁରୁ ଥିଲେ ପାରଳା ରାଜ ପରିବାରର ଜଣେ ଶୁଭେଛୁ । ସେଇ ହିସାବରେ ସେ ରାଜନଅର ଭିତରେ ସୁଦ୍ଧା ଜଣେ ସମ୍ମାନିତ ବ୍ୟକ୍ତି । ଥରେ ଏମିତି କଥା ପ୍ରସଂଗରେ କିଶୋର କୃଷ୍ଣଚନ୍ଦ୍ରଙ୍କ ଗୃହଶିକ୍ଷକ ଅପର୍ଣ୍ଣା ପଣ୍ଡାଙ୍କୁ ପଚାରି ବୁଝୁଥିଲେ ଯୁବରାଜଙ୍କ ଶିକ୍ଷାପ୍ରତି ଆଗ୍ରହ ସଂପର୍କରେ । ପୁଣି ତାଙ୍କରି ସାମନାରେ ହିଁ । ବେଶ୍ ବପୁବନ୍ତ ଶ୍ରୀ ରାଜଗୁରୁଙ୍କ ଚେହେରା ହିଁ ବାଳକ କୃଷ୍ଣଚନ୍ଦ୍ରଙ୍କୁ ଅନେକ ସମୟରେ ଭୟଭୀତ କରାଉଥିଲେ ସୁଦ୍ଧା ସେ ପାରିବାରିକ ବନ୍ଧୁ ହୋଇଥିବା କାରଣରୁ ସେଥିରୁ ନିସ୍ତାର ନଥିଲା । କିଶୋର କୃଷ୍ଣଚନ୍ଦ୍ର ଅଙ୍କରେ ଦୁର୍ବଳ ରହୁଥିବା ବିଷୟ ଶିକ୍ଷକ ମହୋଦୟ ରାଜଗୁରୁଙ୍କ ନିକଟରେ ପ୍ରକାଶ କରିଥିଲେ । ତାପରେ ରାଜଗୁରୁ ମହାଶୟ ଟିକିଏ ତାଗିଦ୍ କରିବା ଭଳି କଣ୍ଠରେ ଯୁବରାଜଙ୍କୁ କହିଥିଲେ- “ପାଠତ ଏବେ ଭଲ ଲାଗୁନି ଆଉ ରାଜ୍ୟ ଶାସନ କରିବେ କିପରି ? ମୁନିଗା ଭଜା (ସଜନା ଛୁଇଁକୁ ଗଞ୍ଜାମ ଅଞ୍ଚଳରେ ଆଜି ମଧ୍ୟ ମୁନିଗା କୁହା ଯାଇଥାଏ) ଖାଇବାକୁ ତ ଭଲ ଲାଗୁଛି, ଆଉ ପାଠ ପଢ଼ା ଭଲ ଲାଗୁନି କାହିଁକି ?” ସେଇ ଲଘୁ ମନ୍ତବ୍ୟ ଦେଇ ସେ ତାଙ୍କର ଚାଲି ଯାଇଥିଲେ ଅନ୍ୟ ଆଡେ଼ ।

ବାସ୍ ସେତିକି । ଆତ୍ମ ଅଭିମାନରେ ଜର୍ଜରିତ ହୋଇ ଯାଇଥିଲେ ମାତ୍ର ପ୍ରାୟ ଆଠ ବର୍ଷର କିଶୋର କୃଷ୍ଣଚନ୍ଦ୍ର । ପାରଳା ରାଜନବରରେ ଥିବା ପ୍ରାୟ ଶହେଟି କୋଠରି ଭିତରୁ ଗୋଟିଏ ନିର୍ଜନ କୋଠରିକୁ ଚାଲିଯାଇଥିଲେ । ସାଂଗରେ ଲୁଚାଇ ନେଇଥିଲେ ଦାନ୍ତକାଠି ସଫା ହେବା ପାଇଁ କୌଣସି ଗୋଟିଏ ଝରକା ଉପରେ ରହିଥିବା ଛୁରୀଟିଏ । ସେତେବେଳେ ସେ କାନରେ