ପୃଷ୍ଠା:Aama Parala Gajapati.pdf/୧୫୩

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ମହାରାଜା ଆଉ ରାଗିବେ କଣ । କୁଆଡେ଼ ଉଭେଇଗଲା ତାଙ୍କର ସେଇ ଅହେତୁକି ପୂର୍ବ ଅଭିମାନ । ସେ ଟିକିଏ ହସିଦେଇ କହିଥିଲେ- ସେଇ ରାଧି ତ କଳିହୁଡୀଟାଏ । ତାକୁ ଦି’ ପଦ ଭଲ କଥା କହି ବୁଝାଇ ଦିଅ- ସେ ଠିକ୍ ବୁଝିଯିବ ।

ଖୁସି ମନରେ ଚକ୍ରପାଣି ଫେରି ଆସିଥିଲେ ରାଜ ଉଆସରୁ । ଏବଂ ଏଇ ଘଟଣାରେ ମହାରାଜାଙ୍କ ସେଭଳି ଅଭିମାନରେ ଯଥାର୍ଥତା ନଥିବା କଥା ସେ ଠିକ୍ ଅନୁଭବ ମଧ୍ୟ କରି ପାରିଥିଲେ । କିନ୍ତୁ ତଥାପି ପରସମୟରେ ସେଇ ଆତ୍ମାଭିମାନର ପରିପ୍ରକାଶ ଘଟିଥିଲା ସେ ପ୍ରଥମ ଗୋଲ୍‌ଟେବୁଲ୍ ବୈଠକରେ ପ୍ରତିନିଧିତ୍ୱ କରିବା ପାଇଁ ମନୋନୀତ ହେବା ପରେ ପରେ । କଂଗ୍ରେସ ସଭ୍ୟଗଣ ତାହାଙ୍କୁ ତୀବ୍ର ସମାଲୋଚନା କରିବା ପାଇଁ ଅଣ୍ଟା ଭିଡ଼ିଥିଲେ । ପରେ ସୀମାକମିଟିର ସଭ୍ୟ ମନୋନୟନ ବେଳେ ସୁଦ୍ଧା ସେଇୟା ହୋଇଥିଲା । କିନ୍ତୁ ଜାତୀୟ କାର୍ଯ୍ୟରେ ନିଯୁକ୍ତ ଥିବା ତଥା ଓଡ଼ିଶା ଆନ୍ଦୋଳନରେ ନେତୃତ୍ୱ ନେଉଥିବା ଯୋଗୁଁ ପ୍ରବଳ ଫୁତ୍‌କାର ସହ ଫଣା ଟେକି ଉଠୁଥିବା ଆତ୍ମାଭିମାନକୁ ଶାନ୍ତ କରିବା ପାଇଁ ସେ ପଶ୍ଚାତ୍‌ପଦ ହେଉନଥିଲେ । ଏପରିକି ରାଜ୍ୟର ପ୍ରଧାନମନ୍ତ୍ରୀ ଭାବେ କାର୍ଯ୍ୟରତ ଥିବାବେଳେ ସୁଦ୍ଧା ବିଧାନସଭାରେ ଅନେକ ଆକ୍ଷେପମୂଳକ ବ୍ୟଙ୍ଗୋକ୍ତି ସେଇ ଆତ୍ମାଭିମାନକୁ ଆହତ କରୁଥିଲା ନିଶ୍ଚୟ । କିନ୍ତୁ ଜାତୀୟ ସ୍ୱାର୍ଥ ସେଠି ପରକ୍ଷଣରେ ଅଧିକ ବଳଶାଳୀ ହୋଇ ଯାଉଥିଲା । ସେଭଳି ଆବଶ୍ୟକତାକୁ ବାଦ୍‌ଦେଲେ ଜୀବନର ଅବସର କାଳରେ ସୁଦ୍ଧା ସେଇ ଆତ୍ମ ଅଭିମାନ ଯୁକ୍ତ ହୋଇ ଜୀବନ ନିର୍ବାହ କରିଥିଲେ ପାର୍ଥିବ ପୃଥିବୀରେ ଶେଷ ଦିନ ଯାଏଁ ।

ସ୍ୱାଧୀନତା ହାସଲ ପରେ ପରେ ଦେଶରେ ରାଜନୈତିକ ଦୃଶ୍ୟପଟର ପରିବର୍ତ୍ତନ ସଙ୍ଗେ ସଙ୍ଗେ ସାମାଜିକ ପରିବର୍ତ୍ତନ ମାନ ହେବା ଥିଲା ସ୍ୱାଭାବିକ । ଗତକାଲି ପ୍ରଭୂତ କ୍ଷମତାର ଅଧିକାରୀ ରାଜା/ଜମିଦାର ଗଣ ନିଜକୁ ଖାପଖୁଆଇ ଚଳିବା ପାଇଁ ଯେ ଯାହାର କର୍ମ‌ପନ୍ଥା ନିର୍ଦ୍ଧାରଣ କରିଥିଲେ । ସେମାନଙ୍କ ମଧ୍ୟରୁ ଅନେକେ ଗଣତାନ୍ତ୍ରିକ ରାଜନୀତିରେ ଯୋଗ ଦେଇଥିବା ବେଳେ ଆହୁରି ଅନେକେ ସେ ସବୁରୁ ଦୂରେଇ ରହି ବ୍ୟକ୍ତିଗତ ଉଦ୍ୟମରେ ପ୍ରତିଷ୍ଠିତ ହେବାପାଇଁ ବାଣିଜ୍ୟ ବ୍ୟବସାୟ ଇତ୍ୟାଦିରେ ମନୋନିବେଶ କରିଥିଲେ । କିନ୍ତୁ ଅନମନୀୟ ମହାରାଜା କୃଷ୍ଣଚନ୍ଦ୍ର ଥିଲେ ସେ ସବୁ ମଧ୍ୟରେ ଏକ ବ୍ୟତିକ୍ରମ । ଦେଶରେ, ଏପରିକି ସ୍ୱାଧୀନତା ପୂର୍ବରୁ ଏବଂ ପରେ ମଧ୍ୟ, ଜମିଦାରି ଦାୟିତ୍ୱରେ ଥିଲାବେଳେ ଯେମିତି ଥାଟବାଟ ଚାଲିଥିଲା ସେଇ ପରଂପରା ପ୍ରଚଳିତ ରହିଥିଲା ଜୀବନର ଶେଷ ଦିନ ଯାଏଁ । ପୂର୍ବଭଳି ଚାଲୁ ରହିଥିଲା “ସମସ୍ଥାନ” (ଜମିଦାରିର ପରିଚାଳନା କାର୍ଯ୍ୟାଳୟ) ମହାରାଜାଙ୍କ ବ୍ୟକ୍ତିଗତ କାର୍ଯ୍ୟାଳୟ ରୂପେ । ସେଥିରେ ପଦସ୍ଥ ଅଫିସରଗଣ ନିଯୁକ୍ତ ରହୁଥିଲେ । ପୂର୍ବଭଳି ରାଜ ନଅରରେ ବିଭିନ୍ନ କାର୍ଯ୍ୟ ପାଇଁ ବିଭିନ୍ନ କର୍ମଚାରୀ ନିଯୁକ୍ତ ରହିଥିଲେ । ଅବସର ଜୀବନରେ ସୁଦ୍ଧା ମହାରାଜାଙ୍କୁ ସାକ୍ଷାତ କରିବା ପାଇଁ ହେଲେ ପୂର୍ବର ସେଇ ରାଜକୀୟ କାଇଦାକଟକଣା ପାଳନ- ସେ ଯିଏ ହୁଅନ୍ତୁ ନା କାହିଁକି । ଦେଶ