ପୃଷ୍ଠା:Aama Parala Gajapati.pdf/୧୫୫

ଉଇକିପାଠାଗାର‌ରୁ
Jump to navigation Jump to search
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ଶୃଙ୍ଖଳା... ଶୃଙ୍ଖଳିତ ଆଚରଣ... ଶୃଙ୍ଖଳିତ ଜୀବନ ଚର୍ଯ୍ୟା । ଜମିଦାରି ବିଲୋପ ପର୍ଯ୍ୟନ୍ତ ପ୍ରତିଦିନ ପ୍ରଭାତର ଆଗମନୀ ଜଣାଇ ରାଜନଅରରେ ବାଜି ଉଠୁଥିଲା ନହବତ ବାଦ୍ୟ । ଭୋରରୁ ଉଠି ପ୍ରାଭାତିକ ନିତ୍ୟ କର୍ମ ଶେଷ କରି କୃଷ୍ଣଚନ୍ଦ୍ର ସାମାନ୍ୟ ଜଳଖିଆ ଖାଉଥିଲେ । ସୂର୍ଯ୍ୟୋଦୟ ପୂର୍ବରୁ ସେହି ସବୁ କାର୍ଯ୍ୟ ଶେଷ କରି ନିଜେ ଗାଡ଼ିଚଳାଇ ଯାଉଥିଲେ ‘ହୋମଫାର୍ମ’ । ପ୍ରାୟ ସାଢ଼େ ଆଠ ପର୍ଯ୍ୟନ୍ତ ସେଠି ଚାଷବାସ ତଥା ଗୋରୁ ଗାଈଙ୍କ ସଂପର୍କରେ ତଦାରଖ । ବୋଝେ କଅଁଳିଆ ଘାସ ନଅରର ଗାଈଗୋରୁଙ୍କ ପାଇଁ ନେଇ ଫେରିବା ପରେ ଘଣ୍ଟାଏ ଦୁଇଘଣ୍ଟା ଅଫିସ୍ କାର୍ଯ୍ୟ-ଖବରକାଗଜ ପଢ଼ା, ଅତିଥି ଆଗନ୍ତୁକଙ୍କ ସହ ସାକ୍ଷାତ୍ ଇତ୍ୟାଦି । ଦଶଟା ବେଳେ ସ୍ନାନ । ତତପରେ ରାଜଗୁରୁଙ୍କ ସହ ଦେବାର୍ଚ୍ଚନ, ପୂଜା ଗୃହରେ ଜପତପ । ତାପରେ ମଧ୍ୟାହ୍ନ ଭୋଜନ ଏବଂ ବିଶ୍ରାମ । ବାଲ୍ୟ/କୈଶୋରରେ ପ୍ରିୟ ସଜନାଛୁଇଁ ଭଜା ସ୍ଥାନରେ ଉତ୍ତର ବୟସରେ କାଞ୍ଜି ଏବଂ ଶେଉଳ ମାଛର ଭଜା ଥିଲା ମହାରାଜାଙ୍କ ପ୍ରିୟଖାଦ୍ୟ ମଧ୍ୟରେ ଅନ୍ୟତମ । ପ୍ରବାଦ ଅଛି ପ୍ରଥମ ଗୋଲଟେବୁଲ ବୈଠକ ଅବସରରେ ଲଣ୍ଡନ ଠାରେ ବିଦେଶୀ ଅତିଥିଗଣଙ୍କୁ ଓଡ଼ିଶୀ ଖାଦ୍ୟ-କାଞ୍ଜି ଖୁଆଇ ଆମୋଦିତ କରିଥିଲେ ଆମ ପାରଳା ଗଜପତି ।

ଅପରାହ୍ନ ତିନିଟା ବେଳେ ଅଫିସକାର୍ଯ୍ୟ କିଛି ଥିଲେ କିମ୍ବା ଅତିଥି ଆଗନ୍ତୁକ ଆସିଥିଲେ ଭଲ । ନଥିଲେ ହୋମଫାର୍ମ/ପୁଣ୍ଡି ଲୁଣ କାରଖାନା ଆଡ଼େ ଘେରାଏ ବୁଲାବୁଲି । ପୂର୍ବେ ଶିକାର ପ୍ରିୟ ମହାରାଜା ପାରଳା ସହର ନିକଟସ୍ଥ କୁରୁଲୁଣ୍ଡା କିମ୍ବା ପୁଲିକଟା ଜଙ୍ଗଲରୁ କିଛି ହରିଣ/କୁଟୁରା/ ସମ୍ବର/ବାରହା ଶିକାର ନେଇ ସନ୍ଧ୍ୟା ସାତ/ସାଢ଼େ ସାତ ବେଳକୁ ଫେରି ଆସୁଥିଲେ ନଅରକୁ । ବେଳେ ବେଳେ କଲରାପତ୍ରିଆ ବାଘଟିଏ ହାବୁଡ଼ିଗଲେ ତାକୁ ମଧ୍ୟ ଶିକାର କରୁଥିଲେ ସେ । ହେଲେ ଉଦ୍ଦେଶ୍ୟମୂଳକ ଭାବେ ମହାବଳ ବାଘ ଶିକାର କରୁଥିଲେ ଯେତେବେଳେ ଜମିଦାରି ଅଞ୍ଚଳରେ ମଣିଷଖିଆ ବାଘ ମାତୁଥିଲା- ପ୍ରଜାଗଣଙ୍କ ଧନଜୀବନ ହାନି କରୁଥିଲା । ହେଲେ ଜମିଦାରି ଉଚ୍ଛେଦ ପରେ ସେହି ସବୁ କାର୍ଯ୍ୟ ବନ୍ଦ । ଯେଉଁଆଡ଼େ ଗଲେ ବି ପ୍ରାୟ ସନ୍ଧ୍ୟା ଛଅଟା ବେଳେ ଉଆସରେ ହାଜର । କ୍ଲାନ୍ତି ଅପନୋଦନ ପାଇଁ ପୁଣିଥରେ ସ୍ନାନ ଓ ଜଳଯୋଗ । ତାପରେ ଚିଠିପତ୍ର ଲେଖା ଅନ୍ୟମାନଙ୍କ ସହ ସାକ୍ଷାତ ଆଲୋଚନା । ରାତି ନଅରୁ ଦଶ ମଧ୍ୟରେ ରାତ୍ରି ଭୋଜନ ଓ ତାପରେ ବିଶ୍ରାମ । ଅବାଞ୍ଚିତ କାରଣରୁ ସେଥିରେ ବ୍ୟତିକ୍ରମ ହେଉନଥିଲା କହିଲେ ଚଳେ । ସେବକଗଣ ତାହାର ଭୟାବହ ପରିଣତି ସଂପର୍କରେ ସମ୍ପୂର୍ଣ୍ଣ ଅବହିତ ଥିଲେ ।

ମହାରାଜା ଥିଲେ ଅତ୍ୟନ୍ତ କ୍ଷଣକୋପୀ । ସମସ୍ତ ସଦ୍‌ଗୁଣ ଭିତରେ ତାହାହିଁ ଥିଲା ତାଙ୍କର ବଦ୍‌ଗୁଣ । ଶୃଙ୍ଖଳାପ୍ରିୟ ମହାରାଜା ସାମାନ୍ୟ ତ୍ରୁଟି ପାଇଁ ସେବାକାରୀମାନଙ୍କୁ କଠୋର ଦଣ୍ଡରେ ଦଣ୍ଡିତ କରୁଥିଲେ । କୌଣସି ତ୍ରୁଟି ବିଚ୍ୟୁତିରେ ମହାରାଜା ଭୀଷଣ ବ୍ୟସ୍ତ ହୋଇ ଉଠୁଥିଲେ । ସେଇ କାରଣରୁ ଅନେକ ବେଳେ ସଂପୃକ୍ତ ସେବକଙ୍କୁ ତତ୍‌କ୍ଷଣାତ ବରଖାସ୍ତ କରି ଦେଉଥିଲେ ।