ପୃଷ୍ଠା:Aama Parala Gajapati.pdf/୧୫୬

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ତେଣୁ ସେମାନେ ତତ୍‌ପର ଥିଲେ ଘଣ୍ଟାକଣ୍ଟା ଅନୁଯାୟୀ ପ୍ରତ୍ୟେକ କାର୍ଯ୍ୟ ସମାହିତ କରିବା ପାଇଁ । ଘଣ୍ଟା ବଜାଇବା ପ୍ରହରୀଗଣ ତ ଥିଲେ ଅଧିକ ତତ୍‍‌ପର ।

ସହରବାସୀଙ୍କୁ ପ୍ରତିଦିନର ସମୟ ସୂଚନା ପ୍ରଦାନ କରିବା ପାଇଁ ନଅର ସିଂହ ଦ୍ୱାର ଗୁମୁଟର ସର୍ବୋଚ୍ଚ ଶିଖରରେ ନିର୍ମିତ ହୋଇଥିଲା ଏକ ଘଣ୍ଟା ଘର । ସେଠାରେ ଏକ ବିରାଟ ଘଣ୍ଟା ସ୍ଥାପିତ ହୋଇଥିଲା । ତତ୍‌ସହିତ ସେଠାରେ ଅହୋରାତ୍ର ପ୍ରହରୀମାନଙ୍କ ନିୟୋଜନ । ପ୍ରତି ଘଣ୍ଟାରେ ସେମାନେ ଦୋଳାୟମାମନ ଏକ ବିରାଟ ଘଣ୍ଟାକୁ ପ୍ରବଳ ପ୍ରହାର କରି ସହରବାସୀଙ୍କୁ ସୂଚାଇ ଦେଉଥିଲେ ସଠିକ ସମୟ । ସକାଳ ଆଠଟା ବେଳେ ତାହା ଆଠ ଥର ବାଜିବା ବେଳେ ଅପରାହ୍ନ ଚାରିଟାବେଳେ ଶବ୍ଦ କରି ଉଠୁଥିଲା ଚାରିଥର ଏବଂ ରାତି ବାରଟା ବେଳେ ବାରଥର ଶବ୍ଦ କରୁଥିଲା ସେଇ ଘଣ୍ଟା । ସେଇ କାନ୍ଥ ଘଣ୍ଟାର ନିକଟ କଣ୍ଟା ପ୍ରତିଥର ୧୨ରେ ପହଞ୍ଚିବା ମୁହୂର୍ତ୍ତକୁ ଅପେକ୍ଷା କରି ରହୁଥିଲେ ସଚେତନ ପ୍ରହରୀଗଣ ଏବଂ ସେହି କାରଣରୁ ସହରବାସୀ ସଠିକ୍ ସମୟର ସୂଚନା ପାଇ ପାରୁଥିଲେ ଅହୋରାତ୍ର । ଜମିଦାରି ଉଚ୍ଛେଦ ପରେ ଦୀର୍ଘକାଳ ପର୍ଯ୍ୟନ୍ତ ସେହି ବ୍ୟବସ୍ଥା ଚାଲୁରହିଥିଲା ।

ଅବଶ୍ୟ ମହାରାଜା ସହର ବାହାରକୁ ଗଲାବେଳେ ଦୈନନ୍ଦିନ କାର୍ଯ୍ୟ ନିର୍ଘଣ୍ଟରେ ସାମାନ୍ୟ ବ୍ୟତିକ୍ରମ ତ ସ୍ୱାଭାବିକ । ତେବେ ସାଙ୍ଗରେ ତାଙ୍କରି ବ୍ୟକ୍ତିଗତ ସେବାକାରୀଗଣ- ସୁଆର, ଗୁଡ଼ିଆ, ଗଉଡ଼, ଗରାବଡ଼ୁ ପ୍ରମୁଖ ଯାତ୍ରା କରୁଥିଲେ ଅନ୍ୟମାନଙ୍କ ସହିତ । ଏହିଭଳି କାର୍ଯ୍ୟକ୍ରମ ପ୍ରାୟତଃ ଚାଲୁ ରହିଥିଲା ଜୀବନର ଶେଷ ଦିନ ପର୍ଯ୍ୟନ୍ତ- ୧୯୭୪ ମସିହା ମଇ ୨୫ ତାରିଖ ପର୍ଯ୍ୟନ୍ତ ।

ସେଦିନ ମଧ୍ୟ ପ୍ରତ୍ୟୂଷରୁ ଆପଣାର ନିତ୍ୟକର୍ମ ଶେଷକରି ହୋମଫାର୍ମକୁ ଯାଇଥିଲେ । ସେଠାରୁ ଫେରି ସ୍ନାନାଦିକର୍ମ ଶେଷକରି ଦେବାର୍ଚ୍ଚନ କରିଥିଲେ ନଅର ଭିତରେ । ତାପରେ ପ୍ରସ୍ତୁତ ହୋଇଥିଲେ ନିତ୍ୟ ନୈମିତ୍ୟିକ ଭାବେ ମଧ୍ୟାହ୍ନ ଭୋଜନ ପାଇଁ ।

କିନ୍ତୁ ‘ଅବିଶ୍ୱାସୀ’ କ୍ରୂରକାଳ ଅଚାନକେ ଆସି ସେଇଠି ‘ହାବୋଡ଼ି’ ଯାଇଥିଲା । ସେ ଆଉ ଭୋଜନ କରିବାକୁ ଯାଇପାରି ନଥିଲେ । ଦିନ ପ୍ରାୟ ସାଢେ଼ ଏଗାରଟା ବେଳେ କାଳର କବଳରେ ବନ୍ଦୀ ହୋଇ ଯାଇଥିଲେ ସେ । ମହାକାଳ ମହାରାଜାଙ୍କୁ ଗ୍ରାସ କରି ନେଇଥିଲା ।

ସେହି ମୃତ୍ୟୁକୁ ରାଷ୍ଟ୍ରୀୟ ମର୍ଯ୍ୟାଦା ପ୍ରଦାନ କରିଥିଲେ ସରକାର । ତତ୍‌ପରଠାରୁ ସମସ୍ତ ବ୍ୟବସ୍ଥା ଯୁଦ୍ଧକାଳୀନ ଭିତ୍ତିରେ କରାଯାଇଥିଲା । ସେତେବେଳେ ଯୁବରାଜ ରାମଚନ୍ଦ୍ରଙ୍କ ପୁତ୍ର ଗୋପୀନାଥଙ୍କୁ ସମ୍ବାଦ ପ୍ରେରଣ କରାଯାଇଥିଲା । ରାଜବାଟୀର ଚତୁଃପାଶ୍ୱର୍ରେ ଅଧିକ ଆଲୋକର ବ୍ୟବସ୍ଥା ତୁରନ୍ତ କରାଯାଇଥିଲା । ପୋଲିସ୍ ବିଭାଗର ଉଚ୍ଚ କର୍ମଚାରୀଗଣ ମହାରାଜାଙ୍କ ମର ଶରୀରର ରକ୍ଷଣାବେକ୍ଷଣ ଦାୟିତ୍ୱ ତତ୍‌କାଳ ଗ୍ରହଣ କରିଥିଲେ । ସରକାର ଛୁଟି ଘୋଷଣା କରିଥିଲେ । ସ୍କୁଲ କଲେଜ ବନ୍ଦ ହୋଇଯାଇଥିଲା ।