Jump to content

ପୃଷ୍ଠା:Aama Parala Gajapati.pdf/୧୫୭

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ତୁଣ୍ଡ ବାଇଦର ବାଜଣା ଶବ୍ଦ ସତେ ଯେମିତି ପବନରେ ଆଦିଗନ୍ତ ବିଛୁରିତ ହୋଇ ଯାଇଥିଲା । ସମସ୍ତଙ୍କ ଆଖିରେ ଲୁହ । ଜଣେ ଯୁଗପୁରୁଷର ଅବସାନ-ଗୋଟିଏ ଯୁଗର ଅବସାନ । ବିନା ବାକ୍ୟ ବ୍ୟୟରେ ଏବଂ ବିନା ସମୟର ଅପଚୟରେ ପାରଳା ସହରର ଦୋକାନବଜାର ବନ୍ଦ ହୋଇ ଯାଇଥିଲା । ଅବିଶ୍ୱାସ ଏବଂ ବିସ୍ମୟର ବାତାବରଣ ଭିତରେ ଆବାଳବୃଦ୍ଧବନିତା ମୁହାଁଇଥିଲେ ରାଜନଅର ଆଡ଼କୁ । ସାରା ସହରରେ ପ୍ରାୟ ପ୍ରତ୍ୟେକଙ୍କ ଘରେ ଚୁଲି ଜଳିବା ବି ବନ୍ଦ । ରାଜନଅର ଚତୁର୍ଦ୍ଧିଗରେ ଲୋକାରଣ୍ୟ । ରାଜଦାଣ୍ଡରେ ସୋରିଷ ପଡ଼ିବାକୁ ସ୍ଥାନ ନାହିଁ ।

ପାରଳା ସହର ଆଡ଼କୁ ଛୁଟି ଥିଲା ଜନତାର ସୁଅ । ସେଥିରେ କେବଳ ପାରଳା ଜମିଦାରି ଅଞ୍ଚଳର ଲୋକ ନଥିଲେ, ବିଶେଷକରି ସେଥିରେ ଥିଲେ ଆନ୍ଧ୍ର ସହିତ ଯୁକ୍ତ ହୋଇ ରହିଯାଇଥିବା ପୂର୍ବତନ ଖେମଣ୍ଡି ରାଜ୍ୟର ଗାଆଁଗଣ୍ଡାରୁ ଜନଗଣଙ୍କ ବିରାଟ ପଟୁଆର- ସେମାନେ ଏକା ନିଃଶ୍ୱାସରେ ଦଉଡ଼ି ଆସିଥିଲେ ମହାରାଜାଙ୍କୁ ଶେଷ ଦର୍ଶନ କରିବେ-ଶେଷ ସମ୍ମାନ ଜଣାଇବେ । ପାରଳା ସହର ଲୋକାରଣ୍ୟ ହୋଇ ଉଠିଥିଲା । ସମୟର ଗତି ଭୁଲି ଯାଇଥିଲେ ସମସ୍ତେ । ମଧ୍ୟାହ୍ନ, ଅପରାହ୍ନ, ରାତି ବୋଲି କିଛି ବାରି ହେଉନଥିଲା । ପ୍ରତି ଘଣ୍ଟାରେ ଯେମିତି କିଛି କିଛି ନୂତନ ବ୍ୟକ୍ତିଙ୍କର ସମାଗମ, ଶେଷ ଦର୍ଶନ ପାଇଁ ବ୍ୟାକୁଳତା । ଓଡ଼ିଶାର ବିଭିନ୍ନ ପ୍ରାନ୍ତରୁ ବିଶିଷ୍ଟ ତଥା ଅତି ବିଶିଷ୍ଟ ବ୍ୟକ୍ତିବୃନ୍ଦ ଏବଂ ସରକାରୀ ଅଫିସରଗଣ ସମବେତ ହୋଇଥିଲେ ପାରଳାରେ, ସେଇ ଏକା ଉଦ୍ଦେଶ୍ୟରେ ।

ସମ୍ବାଦ ପାଇ ଗୋପୀନାଥ ଗଜପତି ବାଙ୍ଗାଲୋରରୁ ଆସି ତତ୍‌ପରଦିନ ପହଞ୍ଚିଥିଲେ । ସେଭଳି ଖବର ପାଇ ମହାରାଜାଙ୍କର କନିଷ୍ଠ ପୁତ୍ର ମାଧବ ସୁନ୍ଦର ଗଜପତି ମଧ୍ୟ ଆସିଥିଲେ ମାନ୍ଦ୍ରାଜରୁ । ବଂଶ ପରଂପରାକ୍ରମେ ରାଜକୀୟ ମର୍ଯ୍ୟାଦା ସହ ପ୍ରଥମେ ଗୋପୀନାଥ ପାରଳା ରାଜସିଂହାସନରେ ଅଭିଷିକ୍ତ ହୋଇଥିଲେ । ତତ୍‌ପରେ ରାଜାଦେଶ କ୍ରମେ କୃଷ୍ଣଚନ୍ଦ୍ରଙ୍କ ମରଶରୀରକୁ ନଅର ବାହାରକୁ ନିଆ ଯାଇଥିଲା । ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ସହରର ବିଭିନ୍ନ ମାର୍ଗଦେଇ ସେଇ ଶବ ଶୋଭାଯାତ୍ରା ମହେନ୍ଦ୍ରତନୟା ନଦୀ କୂଳକୁ ଯାଇଥିଲା । ବୈଦିକ ରୀତିରେ ଶବ ସଂସ୍କାର ହୋଇଥିଲା ସେଇଠି । ଓଡ଼ିଶାରେ ମହିମାମୟ ଗଙ୍ଗ ଗଜପତି ବଂଶର ଶେଷ ଶାସକ ସେଇଠି ପଞ୍ଚଭୂତରେ ବିଲୀନ ହୋଇ ଯାଇଥିଲେ- ତାଙ୍କରି ଅମର ଆତ୍ମା ପରମାତ୍ମାଙ୍କ ସହିତ ବିଲୀନ ହୋଇଯାଇଥିଲା ।