ପୃଷ୍ଠା:Aama Parala Gajapati.pdf/୧୭

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ଆରମ୍ଭ କରିଥିବା କୃଷ୍ଣଚନ୍ଦ୍ର ରାଜ ନଅରରୁ ସ୍କୁଲକୁ ଯିବାଆସିବାପାଇଁ ଗୋଟିଏ ଘୋଡ଼ା ଗାଡ଼ିର ବ୍ୟବସ୍ଥା ହୋଇଥିଲା ।

ପୁଅର ଶରୀରିକ ବ୍ୟାୟାମ ପ୍ରତି ଅଧିକ ଗୁରୁତ୍ୱ ଆରୋପ କରିଥିଲେ ଗୌର ଗଜପତି । ଆପଣ ରାଜନଅର ଭିତରେ ଏକ କ୍ଷୁଦ୍ର ଖେଳ ପଡ଼ିଅର ବ୍ୟବସ୍ଥା କରିଥିଲେ । ତାହା ‘ଡାଭାବାଡ଼’ ନାମରେ ନାମିତ ହୋଇଥିଲା । ସେଠାରେ ବିଭିନ୍ନ ପ୍ରକାରର ଖେଳ କସରତ ହେଉଥିଲା । ତେବେ ପ୍ରମୁଖ ଥିଲା ଫୁଟବଲ ଏବଂ କ୍ରିକେଟ୍ । କିଶୋର କୃଷ୍ଣଚନ୍ଦ୍ରଙ୍କ ସାଙ୍ଗସାଥୀମାନେ ସେଠାକୁ ଖେଳିବାପାଇଁ ଆସୁଥିଲେ । ଯୁବରାଜଙ୍କ ବିଶେଷ ଆଗ୍ରହ ଥିଲା କ୍ରିକେଟ୍ ଖେଳରେ ବୋଲିଂ ଅପେକ୍ଷା ବ୍ୟାଟିଂ କରିବାପଇଁ । ଅନେକ ଦିନ ପର୍ଯ୍ୟନ୍ତ ସେ ସେହି ଖେଳ ସହିତ ଅଙ୍ଗୀଭୁତ ହୋଇ ରହିଥିଲେ । ଥରେ ସେଭଳି ଖେଳିବା ବେଳେ ଆଣ୍ଡୁରେ ବଲ୍ ବାଜି ଶକ୍ତ ଆଘାତ ପାଇଥିଲେ ସେ ଏବଂ ସେଥିରୁ ମୁକ୍ତିପାଇଁ ବେଶ୍ କିଛିଦିନ ଲାଗିଯାଇଥିଲା । ତତ୍‌ପରଠାରୁ ସେ ସେଇ ଖେଳ ବନ୍ଦ କରିଦେଇଥିଲେ ।

ତେବେ କେବଳ ଅଧ୍ୟୟନ କାଳ କାହିଁକି, ତତ୍‌ପରବର୍ତ୍ତୀ କାଳରେ ମଧ୍ୟ ସେଥି ପ୍ରତି ତାଙ୍କର ଆଗ୍ରହ ରହିଥିଲା ପୂର୍ବଭଳି । ଖେଳକୁଦର ପ୍ରଶିକ୍ଷଣପାଇଁ ସେ ବରାବର ଦେଶର ବିଭିନ୍ନ ସ୍ଥାନରୁ ବିଶିଷ୍ଟ ଖେଳ ଶିକ୍ଷକଙ୍କୁ ଅଣାଇ ସ୍କୁଲ, କଲେଜ ତଥା ପାରଳାର ଯୁବସମାଜର ମନରେ ଖେଳୁଆଡ଼ ମନୋବୃତ୍ତିର ବିକାଶପାଇଁ ବିଶେଷ ଆଗ୍ରହ ଦେଖାଉଥିଲେ । ପରିଣାମତଃ ପାରଳାରେ ଗଠିତ କ୍ରିକେଟ୍ ଦଳ- ଟିମ୍ ଏକାଦଶ- ମାନ୍ଦ୍ରାଜର ବିଭିନ୍ନ ସ୍ଥାନରେ ଆୟୋଜିତ କ୍ରିକେଟ୍ ପ୍ରତିଯୋଗିତାରେ ବିଜୟୀ ହୋଇ ଅଣିଥିବା କପ୍ ଗୁଡ଼ିକ ପାରଳା କଲେଜରେ ଶୋଭା ପାଉଥିଲା ଅନେକ କାଳ ପର୍ଯ୍ୟନ୍ତ ।

ପାରଳା ହାଇସ୍କୁଲ ଶିକ୍ଷା ପରେପରେ ଉଚ୍ଚ ଶିକ୍ଷାପାଇଁ ସେ ଯାଇଥିଲେ ମାନ୍ଦ୍ରାଜ, ମାନ୍ଦ୍ରାଜର ରାଜକୁମାର କଲେଜ । ସେଇ ନିଷ୍ପତ୍ତି ନେଇଥିଲେ ମାଆ ବିଷ୍ଣୁପ୍ରିୟା ଦେବୀ । ସେଥିପାଇଁ ଦୃଢ଼ ଭାବରେ ମତ ରଖିଲେ ଶ୍ୟାମସୁନ୍ଦର ରାଜଗୁରୁ । ବାସ୍ତବରେ ସେତେବେଳକୁ ପାରଳା ରାଜ ପରିବାରରେ ଅନେକ ଅନେକ ବିପର୍ଯ୍ୟୟ ସଂଘଠିତ ହୋଇଯାଇଥିଲା । ବାଳକ କୃଷ୍ଣଚନ୍ଦ୍ର ହୋଇଯାଇଥିଲେ ପିତୃହରା । ଦାଦା ପଦ୍ମନାଭ ଦେବଙ୍କର ୧୯୦୪ରେ ମୃତ୍ୟୁ ହେବା ପରେ ତ‌ତ୍‌ପରବର୍ଷ ରାଜ୍ୟର ଭାର କୋର୍ଟ ଅଫ୍ ୱ୍ୱାର୍ଡ଼ସ୍‌ଙ୍କ ଅଧୀନକୁ ଚାଲିଯାଇଥିଲା । ଏଠାରେ ଉଲ୍ଲେଖଯୋଗ୍ୟ ଯେ ସେତେବେଳକୁ ପାରଳାରେ ଏକ ଦ୍ବିତୀୟ ଶ୍ରେଣୀ କଲେଜ (ଆଇ.ଏ. ଶ୍ରେଣୀ ପର୍ଯ୍ୟନ୍ତ ଥିବା) ସ୍ଥାପିତ ହୋଇ ସାରିଥିଲା । ତଥାପି ରାଜ୍ୟ ପରିଚାଳକ ଏବଂ ପରାମର୍ଶଦାତା ଶୁଭେଛୁଗଣଙ୍କ ସ୍ପଷ୍ଟ ମତ ଥିଲା, ଅଧିକ ଶିକ୍ଷାପାଇଁ କୃଷ୍ଣଚନ୍ଦ୍ର ରାଜକୁମାର କଲେଜକୁ ଯିବା ଉପାଦେୟ ହେବ । ସେଇୟା ହିଁ ହୋଇଥିଲା ।