ପୃଷ୍ଠା:Aama Parala Gajapati.pdf/୨୨

ଉଇକିପାଠାଗାର‌ରୁ
Jump to navigation Jump to search
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ପଦ୍ମନାଭ ଦେବଙ୍କ ଜାତୀୟ ଚେତନାର ପ୍ରତିଫଳନକୁ ଲକ୍ଷ୍ୟ କରାଯାଇପାରେ । ସେହି ଅନୁଷ୍ଠାନ ଗଠନରେ ଶ୍ୟାମସୁନ୍ଦର ରାଜଗୁରୁ ମଧ୍ୟ ଥିଲେ ଜଣେ ପ୍ରମୁଖ ସହଯୋଗୀ । ବିଶେଷ ଉଲ୍ଲେଖଯୋଗ୍ୟ ଯେ ସେହି ଅନୁଷ୍ଠାନରେ ଉପରୋକ୍ତ କାର୍ଯ୍ୟକଳାପ ସବୁର ସିଧା ସଳଖ ପ୍ରଭାବ କୃଷ୍ଣଚନ୍ଦ୍ରଙ୍କ ଉପରେ ପଡ଼ିଥିଲା ବାଲ୍ୟ ତଥା କୈଶୋର କାଳରେ ।

ଅବିଭକ୍ତ ଗଞ୍ଜାମ ଜିଲ୍ଲାର ପ୍ରଥମ ସ୍ନାତକ ତଥା ପାରଳାରେ ସାମାଜିକ ତଥା ସାଂସ୍କୃତିକ ଜୀବନକୁ ସମୁନ୍ନତ କରାଇବା ଉଦ୍ୟମରେ ଅଗ୍ରଣୀ ସମାଜସେବୀ ଶ୍ୟାମସୁନ୍ଦର ରାଜଗୁରୁ ୧୮୬୬ ରେ ଜନ୍ମଗ୍ରହଣ କରି ୧୮୯୦ ମସିହାରେ ଖଲ୍ଲିକୋଟ କଲେଜ (ବ୍ରହ୍ମ‌ପୁର)ରୁ ଆଇ. ଏ. (ତତ୍‌କାଳୀନ ଏଫ.ଏ) ତଥା ରାଜମହେନ୍ଦ୍ରୀ କଲେଜରୁ ୧୮୯୨ ରେ ବି.ଏ. ପାସ୍ କରି ନିଜ ରାଜ୍ୟକୁ ଫେରି ଆସିଥିଲେ ଜନସେବାପଇଁ । ସେହିଭଳି ନିଷ୍ପତ୍ତି ନେବା ଯୋଗୁଁ ହିଁ ମହାରାଜାଙ୍କ ଦୃଷ୍ଟି ଆକର୍ଷଣ କରିପାରିଥିଲେ ଏବଂ ସମୟକ୍ରମେ ରାଜପରିବାର ସହିତ ବିଶେଷ ଭାବେ ସଂପୃକ୍ତ ହୋଇ ଯାଇଥିଲେ । ଗୌରଗଜପତି ତାହାଙ୍କୁ ପାରଳା ମୁନିସିପାଲିଟିର ପ୍ରଥମ ଚେୟାରମ୍ୟାନ୍ ରୂପେ ନିଯୁକ୍ତି ଦେଇଥିଲେ ଏବଂ ସେହିଭଳି ଭାବେ ଦୀର୍ଘ ୧୫ ବର୍ଷ କାଳ ସେ ରାଜ୍ୟବାସୀଙ୍କ ସେବା କରିଥିଲେ । ବିଶେଷ କରି ଚନ୍ଦ୍ର ମହାରାଜାଙ୍କ ସହିତ ତାଙ୍କର ଘନିଷ୍ଠ ସହଯୋଗ ଥିଲା ଏବଂ ଉଭୟେ ମିଶି ରାଜ୍ୟର ସାମାଜିକ, ସଂସ୍କୃତିକ ତଥା ଜାତୀୟ ଜୀବନକୁ ସମୃଦ୍ଧ କରିବାରେ ଉଲ୍ଲେଖଯୋଗ୍ୟ ଭୂମିକା ନିର୍ବାହ କରିଥିଲେ । ସେ ମଧ୍ୟ ବ୍ରହ୍ମପୁରରେ ଅନୁଷ୍ଠିତ ଗଂଜାମ ଜାତୀୟ ସମିତିର ପ୍ରଥମ ଅଧିବେଶନରେ ସଭାପତି ଦାୟିତ୍ୱ ନିର୍ବାହ କରିଥିଲେ । ବାସ୍ତବରେ ତାହାହିଁ ଥିଲା ଉତ୍କଳ ସମ୍ମିଳନୀର ଆଦ୍ୟ ପାହାଚ ।

ଶ୍ରୀଯୁକ୍ତ ରାଜଗୁରୁ ଥିଲେ ପାରଳା ରାଜପରିବାରର ଜଣେ ମୁଖ୍ୟ ପରାମର୍ଶଦାତା । ତାଙ୍କରି ପ୍ରଭାବରେ ମଧ୍ୟ ଗଜପତି କୃଷ୍ଣଚନ୍ଦ୍ର ବେଶ୍ ପ୍ରଭାବିତ ହୋଇଥିଲେ । ହେଲେ ସେ ମାନ୍ଦ୍ରାଜରେ ଅଧ୍ୟୟନରତ ଥିବାବେଳେ ରାଜଗୁରୁ ମହାଶୟଙ୍କର ମୃତ୍ୟୁ ହୋଇଥିଲା ୧୯୦୯ ଜୁଲାଇ ୧୭ ତାରିଖ ଦିନ । ସେହି ମୃତ୍ୟୁ ସମ୍ବାଦ ଯୁବକ କୃଷ୍ଣଚନ୍ଦ୍ରଙ୍କ ମାନସିକ ଚେତନାକୁ ଗଭୀର ଭାବରେ ଆଲୋଡ଼ିତ କରାଇ ଦେଇଥିଲା । କିନ୍ତୁ ନିୟତିର ଖେଳ ଉପରେ କିଏ ବା ଅଙ୍କୁଶ ଲଗାଇ ପାରିବ ! ସେଇ ଅଙ୍କୁଶହୀନ ନିଯତିର କାଳଚକ୍ର କୃଷ୍ଣଚନ୍ଦ୍ରଙ୍କ ପିତା ଓ ପିତୃବ୍ୟଙ୍କୁ ମଧ୍ୟ ଅକାଳରେ ଆୟତ୍ତ କରିନେଇଥିଲା । ତେଣୁ ଅପାତତଃ ବାଲ୍ୟକୈଶୋରରେ ଆପଣା ରାଜ୍ୟରେ ଯେଉଁମାନଙ୍କ ଯୋଗୁଁ ମୁଖ୍ୟତଃ ତାହାଙ୍କର ମାନସିକ ଚେତନାରେ ଜାତୀୟ ଭାବର ସ୍ଫୁରଣ ହୋଇଥିଲା, ସେ ମାନ୍ଦ୍ରାଜରୁ ଫେରିବାବେଳକୁ, ସେମାନେ ଆଉ ଇହଜଗତରେ ନଥିଲେ । ସେଇ ଚେତନା ପ୍ରବାହକୁ ଆଉ ଯେଉଁମାନେ ଚଳଚଞ୍ଚଳ କରାଇବାରେ ପ୍ରମୁଖ ଭୂମିକା ନିଭାଇଥିଲେ ସେମାନେ ଥିଲେ ପ୍ରାକୃତିକ ଓଡ଼ିଶାର ନେତୃମଣ୍ଡଳୀ- ମଧୁସୂଦନ, ଫକୀରମୋହନ ପ୍ରମୁଖ ଏବଂ ଉତ୍କଳ ସମ୍ମିଳନୀର ସଂଗଠକଗଣ, ଓଡ଼ିଆ ସାହିତ୍ୟ ଜଗତଳୁ ଉଦ୍‌ବେଳିତ କରୁଥିବା ରାଧାନାଥ, ଗଙ୍ଗାଧର ପ୍ରମୁଖ