ପୃଷ୍ଠା:Aama Parala Gajapati.pdf/୨୫

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ଗଙ୍ଗବଂଶର ଏକ ଧାରା । ସେଇ କ୍ଷୁଦ୍ର ଧାରାଟିର ବିବରଣୀ ୧୨୪୫ ମସିହାରୁ ଶେଷ ପର୍ଯ୍ୟନ୍ତ ଇତିହାସରେ ଉପଲବ୍ଧ । ପ୍ରସଙ୍ଗକ୍ରମେ ଏଠାରେ ଉଲ୍ଲେଖ କରାଯାଇପାରେ ଯେ ଖେମଣ୍ଡି ରାଜ୍ୟର ପ୍ରଥମ ରାଜଧାନୀ ଗୁଡ଼ାରିକଟକରୁ ପ୍ରାପ୍ତ ତଥ୍ୟ ଅନୁଯାୟୀ, ଅନ୍ୟୁନ ୧୭୩ ବର୍ଷର ଶାସନ ପରେ ଏବଂ ଆଠ ଜଣ ରାଜାଙ୍କ ପରେ ୧୪୨୩ ମସିହାରେ ନଗରୀ କଟକ ବା କଳିଙ୍ଗନଗର ସ୍ଥାନାନ୍ତର ହୋଇଥିଲା । ସେଇ ରାଜଧାନୀରୁ ପ୍ରାୟ ଦୁଇ ଶହ ବର୍ଷ ମଧ୍ୟରେ ସାତ ଜଣ ରାଜା ଶାସନ କରିବା ପରେ ୧୬ ତମ ରାଜା ମୁକୁନ୍ଦଦେବଙ୍କ ଅମଳରେ ୧୬୫୬ ଖ୍ରୀଷ୍ଟାବ୍ଦରେ କଳିଙ୍ଗନଗରରୁ ତାହା ପୁରୁଣାପାଟଣାକୁ ସ୍ଥାନାନ୍ତର ହୋଇଥିଲା । ତାର ସମ୍ଭାବ୍ୟ କାରଣ ଥିଲା ଉତ୍କଳରେ ମୁଖ୍ୟ ଗଙ୍ଗବଂଶର ପତନ ଏବଂ ତତପରବର୍ତ୍ତୀ ରାଜନୈତିକ ଉଦବେଳନ ସମଗ୍ର କଳିଙ୍ଗ ସାମ୍ରାଜ୍ୟରେ । ସେଇ ପରିସ୍ଥିତିରେ ନୂତନ ରାଜଧାନୀରେ ଛଅଜଣ ରାଜା ଶାସନ କରିଥିଲେ । ଗଙ୍ଗବଂଶର ୨୧ତମ ରାଜାଙ୍କ ଅମଳରେ ୧୭୫୧ ମସିହାରେ ଶାସନକେନ୍ଦ୍ର ପୁରୁଣାପାଟଣାରୁ ପାରଳାଖେମୁଣ୍ଡିକୁ ସ୍ଥାନାନ୍ତର ହେବାର କାରଣ ଥିଲା, ପିଣ୍ଡାରିଜାଠମାନଙ୍କର ବାରମ୍ବାର ଆକ୍ରମଣଜନିତ ସାମାଜିକ ଅସ୍ଥିରତା । ଅପେକ୍ଷାକୃତ ଭାବରେ ନିରାପଦ ମନେ ହେଉଥିବା ପାରଳା ଏବଂ ପୁରାତନ କେନ୍ଦ୍ରରେ କିଛିକିଛି କାଳ ସମ୍ଭବତଃ ଶାସନ କରିଥିଲେ ୨୧ ତମ ରାଜା ବୀରପ୍ରତାପରୁଦ୍ର ଦେବ । ସେତେବେଳେ ବର୍ତ୍ତମାନର ପାରଳା ରେଳଷ୍ଟେସନ ନିକଟବର୍ତ୍ତୀ ଅଞ୍ଚଳରେ ରାଜ ଉଆସ ନିର୍ମିତ ହୋଇଥିଲା । ପ୍ରାଥମିକ ଅବସ୍ଥାରେ ରାଜାଗଣ ସେଇ ଗଡ଼ରୁ ହିଁ ଶାସନ କରିଥିଲେ । ୧୮୩୫ ମସିହାରେ ବ୍ରିଟିଶ୍ ସରକାରଙ୍କ ତତ୍ତ୍ବାବଧାନରେ ସରକାରୀ ସ୍ଥପତି ମି. ଚିଷମ୍‌ଙ୍କ ପ୍ରତ୍ୟକ୍ଷ ପରିଚାଳନାରେ ନୂତନ ଢ଼ାଞ୍ଚରେ ତୟାର ହୋଇଥିଲା ବର୍ତ୍ତମାନର ରାଜପ୍ରାସାଦ । ଏହା ଥିଲା ଇଂଲଣ୍ଡ ରାଜ ଉଆସ ବଙ୍କିଙ୍ଗ୍‌ହାମ୍ ପେଲେସ୍‌ର ଏକ ଅବିକଳ ନକଲ । ପ୍ରାୟ ୩୩ ଏକର ପରିମିତ ଅଞ୍ଚଳରେ ଏହା ନିର୍ମିତ ହୋଇଥିଲା । ଏଇଠାରେ ହିଁ ମହାରାଜା କୃଷ୍ଣଚନ୍ଦ୍ର ରାଜା/ଜମିଦାରୀ ପଦବୀ ପାଇଥିଲେ ଏବଂ ପଦବୀରୁ ବିଦାୟ ମଧ୍ୟ ନେଇଥିଲେ ।

ହେଲେ ଆଜି ମଧ୍ୟ ପାରଳା ମହାରାଜା/ପାରଳା ଗଜପତି କହିଲେ କେବଳ ଜଣେ ବ୍ୟକ୍ତି କୃଷ୍ଣଚନ୍ଦ୍ର ନାରାୟଣ ଦେବଙ୍କୁ ହିଁ ସୂଚିତ କରିଥାଏ ।

ବିରାଟ ଐତିହ୍ୟଯୁକ୍ତ, କାହିଁ କେଉଁ ଦୀର୍ଘ ଅତୀତରୁ ଚାଲିଅସିଥିବା ଖେମଣ୍ଡି ରାଜ୍ୟରେ ଗଙ୍ଗବଂଶର ଗୋଟିଏ ଧରାର ଅଂଶ ବିଶେଷ ସେଇ ଗଜପତି କୃଷ୍ଣଚନ୍ଦ୍ର ରାଜ୍ୟଭିଷେକ ଅବସରରେ ବଂଶ ପରଂପରା ରକ୍ଷାକରି ଅନେକ ଦାନ କରିଥିଲେ । ତାହା ମଧ୍ୟ ଥିଲା ରାଜଧର୍ମର ଅଂଶବିଶେଷ । ପୁଣି କେତେଗୁଡ଼ିଏ ସଂକଳ୍ପ ମଧ୍ୟ କରିଥିଲେ ଯାହା ତାଙ୍କର ବ୍ୟକ୍ତିତ୍ୱର ପରିପ୍ରକାଶ କହିଲେ ଅତ୍ୟୁକ୍ତି ହେବ ନାହିଁ । ସେହି ସଂକଳ୍ପଗୁଡ଼ିକ ସେ ପୂର୍ବରୁ ନିର୍ଦ୍ଧାରଣ କରିଥିଲେ ଗଭୀର ମନୋନିବେଶ କରି ।