ପୃଷ୍ଠା:Aama Parala Gajapati.pdf/୩

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ଦୁଇପଦ

ଓଡ଼ିଆ ଭାଷାର ଓ ଓଡ଼ିଶାର ଭଗୀରଥମାନଙ୍କୁ ନୂଆ ପିଢ଼ିର ପାଠକଙ୍କ ନିକଟରେ ପହଞ୍ଚାଇବା ଆମ ଓଡ଼ିଶା' ପ୍ରକାଶନର ଗୋଟିଏ ଉଦ୍ଦେଶ୍ୟ । ଏହା ମାଧ୍ୟମରେ ଓଡ଼ିଶାର ତଥା ଓଡ଼ିଆ ଭାଷା-ସାହିତ୍ୟର ସେବା କରିବା ପାଇଁ ଆମେ ଚେଷ୍ଟା କରି ଆସିଛୁ ।

ଏହି ଉଦ୍ଦେଶ୍ୟରେ ସ୍ୱଭାବକବି ଗଙ୍ଗାଧର ମେହେରଙ୍କ ୧୫୦ତମ ଜୟନ୍ତୀ ପାଳନ ଅବସରରେ ଆମେ ଗଙ୍ଗାଧରଙ୍କ ସଂପର୍କରେ ଏକ ପୁସ୍ତକ ପ୍ରକାଶ କରିବାକୁ ସଂକଳ୍ପ ନେଇଥିଲୁ ଏବଂ ତା'ର ପରବର୍ଷ 'ଆମ ଗଙ୍ଗାଧର' ଶୀର୍ଷକରେ ଏହି ପୁସ୍ତକ ପ୍ରକାଶ କରିଥିଲୁ । ପରେ ପରେ 'ଆମ ସୁଭାଷ' ଓ 'ଆମ ସୁରେନ୍ଦ୍ର ସାଏ' ଶୀର୍ଷକରେ ଆଉ ଦୁଇଟି ପୁସ୍ତକ ମଧ୍ୟ ପ୍ରକାଶ କରିଥିଲୁ । 'ଆମ ପାରଳା ଗଜପତି' ସେହି କ୍ରମରେ ଚତୁର୍ଥ ପୁସ୍ତକ । ପୂର୍ବରୁ ପ୍ରକାଶିତ 'ଆମ ମଧୁସୂଦନ' ପୁସ୍ତକ ମଧ୍ୟ ଏ କ୍ଷେତ୍ରରେ ଆମର ଆଉ ଏକ ମୂଲ୍ୟବାନ ପ୍ରକାଶନ ।

ନୂଆ ପିଢ଼ିର ବହୁ ପାଠକ ପାଠିକା ଆମ ରାଜ୍ୟ ଓଡ଼ିଶାକୁ ଏବଂ ଆମ ଭାଷା, ସାହିତ୍ୟ, ସଂସ୍କୃତିକୁ ବହୁ ଭାବରେ ସଂଗଠିତ ଓ ସମୃଦ୍ଧ କରିଥିବା ଆମର ପୂଜ୍ୟ ପୂର୍ବସୂରୀମାନଙ୍କୁ ଆଉ ଚିହ୍ନୁ ନାହାନ୍ତି । ସେମାନଙ୍କୁ ଚିହ୍ନିଲେ ଏବଂ ସେମାନଙ୍କର ଅମୂଲ୍ୟ ଅବଦାନ ସଂପର୍କରେ ଜାଣିଲେ ସେମାନେ ନିଜର ଐତିହ୍ୟ ଓ ଇତିହାସକୁ ଚିହ୍ନିପାରିବେ । ପୂର୍ବସୂରୀମାନଙ୍କର ତ୍ୟାଗ ଓ ଅବଦାନରୁ ପ୍ରେରଣା ନେଇ ନିଜ ଜୀବନକୁ ନୂଆ କରି ଗଢ଼ିପାରିବେ । ସେଥିାଇଁ ଆମର ଏହି ଉଦ୍ୟମ । ଆଶା, ପ୍ରିୟ ପାଠକ ପାଠିକାମାନେ ଆମର ଅନ୍ୟ ପୁସ୍ତକଗୁଡ଼ିକ ପରି ଏ ପୁସ୍ତକଟିକୁ ମଧ୍ୟ ଆଦର କରି ଆମକୁ ଏ ଦିଗରେ ଉତ୍ସାହିତ କରିବେ ।