ପୃଷ୍ଠା:Aama Parala Gajapati.pdf/୩୯

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି
ପ୍ରଜାହିତ– ରାଜଧର୍ମ

ରାଜକୁମାର କଲେଜରେ ଶିକ୍ଷାକାଳରେ ପ୍ରଜାଗଣଙ୍କ ହିତପାଇଁ ଜଣେ ରାଜାର କର୍ତ୍ତବ୍ୟ ସଂପର୍କରେ ଶିକ୍ଷାଲାଭ କରିଥିବା ବେଳେ ସେଠାରୁ ଫେରି ରାଜଧାନୀରେ କିଛିକାଳ ରାଜ୍ୟର ବିଭିନ୍ନ ବିଷୟରେ ଉତ୍ସୁକତାର ସହିତ ଅନୁଧ୍ୟାନ କରିଥିଲେ କୃଷ୍ଣଚନ୍ଦ୍ର ସିଂହାସନ ଆରୋହଣ କରିବା ପୂର୍ବରୁ । ସେତେବେଳକୁ ତାହାଙ୍କର ଦୃଢ଼ ହୃଦ୍‌ବୋଧ ହୋଇସାରିଥିଲା ଯେ ସାଧାରଣ ଶିକ୍ଷାର ଉନ୍ନତିରେ ହିଁ ରାଜ୍ୟର ଉନ୍ନତି ସମ୍ଭବ । ଦେଶର ଅଜ୍ଞାନ ଅନ୍ଧକାର ଦୂର କରାଯାଇ ପାରିଲେ ହିଁ ଜନଗଣଙ୍କର, ରାଜ୍ୟର, ଜାତିର ତଥା ସର୍ବୋପରି ଦେଶର ଉନ୍ନତି ସାଧିତ ହୋଇ ପାରିବ । ଏଭଳି ଚିନ୍ତାଧାରା ତାଙ୍କରି ମନରେ ପରିପୁଷ୍ଟ ହେବାରେ ପିତା ଗୌର ଗଜପତି ତଥା ପିତୃବ୍ୟ ପଦ୍ମନାଭ ଦେବଙ୍କ ପ୍ରଭାବ ଥିଲା ସର୍ବାଧିକ ।

ପାରଳାଖେମଣ୍ଡି ରାଜ୍ୟରେ ଶିକ୍ଷାର ପ୍ରସାର ପାଇଁ ଯେଉଁସବୁ ଉଦ୍ୟମମାନ ସେମାନଙ୍କଦ୍ବାରା ଗୃହୀତ ହେଉଥିଲା ତାହାର ପ୍ରଭାବରେ ବାଳକ କୃଷ୍ଣଚନ୍ଦ୍ର ପ୍ରଭାବିତ ହେଉଥିଲେ । ପୁଣି ସେ ନିଜେ ସେଭଳି ଉଦ୍ୟମର ସିଧାସଳଖ ସୁଫଳ ପାଇଥିଲେ ପିତାଙ୍କଦ୍ବାରା ପ୍ରତିଷ୍ଠିତ ମହାରାଜା ବାଳକ ହାଇସ୍କୁଲ୍‌ରେ ଶିକ୍ଷାଲାଭ କରି ।

ସ୍କୁଲ ଶିକ୍ଷାର ପରିସମାପ୍ତି ବେଳକୁ ହିଁ କୃଷ୍ଣଚନ୍ଦ୍ରଙ୍କ ମନରେ ରାଜ୍ୟର ବିକାଶପଇଁ ଉତ୍ତମ ଶିକ୍ଷାର ଆବଶ୍ୟକତା ନେଇ ସତେ ଯେମିତି ସ୍ପଷ୍ଟ ଧାରଣା ସୃଷ୍ଟି ହୋଇ ସାରିଥିଲା କହିଲେ ବୋଧହୁଏ ଭୁଲ୍ ହେବ ନାହିଁ । ୧୯୮୬ ମସିହାଠାରୁ ପାରଳାଖେମୁଣ୍ଡି ସହରରେ ଏକ ସେକେଣ୍ଡ ଗ୍ରେଡ଼୍ କଲେଜ (ଆଇ.ଏ ଶ୍ରେଣୀ ପର୍ଯ୍ୟନ୍ତ) ସ୍ଥାପିତ ହୋଇସାରିଥିଲା । ସେଥିପାଇଁ ଦାଦା ଓ ପିତାଙ୍କ ଉଦ୍ୟମ ବିଷୟରେ ସେ ଅଜ୍ଞ ନଥିଲେ । ହେଲେ ୧୯୦୫ ମସିହା ବେଳକୁ ଉଭୟ ରାଜଭ୍ରାତାଙ୍କ ମୃତ୍ୟୁ ପରେ ପରେ ରାଜ୍ୟର ଶାସନ ଭାର କୋର୍ଟ ଅଫ୍ ୱାର୍ଡ଼ସ୍ ଗ୍ରହଣ କରିନେଇଥିଲେ । ସେତେବେଳେ ସରକାର ପ୍ରସ୍ତାବ କରିଥିଲେ ପାରଳାଖେମୁଣ୍ଡି ସହରରୁ ସେହି କଲେଜ ପାଠ୍ୟକ୍ରମକୁ ବନ୍ଦ କରିଦେବାପାଇଁ । ପିତାଙ୍କ ଅବର୍ତ୍ତମାନରେ ବାଳକ କୃଷ୍ଣଚନ୍ଦ୍ର