ପୃଷ୍ଠା:Aama Parala Gajapati.pdf/୪୦

ଉଇକିପାଠାଗାର‌ରୁ
Jump to navigation Jump to search
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ସେତେବେଳେ ସେଇ ପ୍ରସ୍ତାବର ଘୋର ବିରୋଧ କରିଥିଲେ କୋର୍ଟ ଅଫ୍ ୱାର୍ଡ଼ସଙ୍କ ମାଧ୍ୟମରେ । ବାସ୍ତବରେ ସେତେବେଳକୁ ବାଳକ କୃଷ୍ଣଚନ୍ଦ୍ରଙ୍କ ସାଧାରଣ ଶିକ୍ଷାର ଉପଦେୟତା ନେଇ ମାନସିକ ବିକାଶ ସଂପୂର୍ଣ୍ଣ ହୋଇ ଥାଉ ବା ନଥାଉ, ପିତା / ପିତୃବ୍ୟଙ୍କ ପ୍ରତି ଗଭୀର ସମ୍ମାନବୋଧ, ସେମାନଙ୍କ ପ୍ରୟାସରେ ସ୍ଥାପିତ ଶିକ୍ଷାନୁଷ୍ଠାନକୁ ବନ୍ଦ କରାଯିବା ପ୍ରସ୍ତାବକୁ ଦୃଢ଼ ପ୍ରତିବାଦ କରିଥିଲେ ସେଇ କଞ୍ଚା ବୟସରେ । ସେତେବେଳେ ସରକାର ମଧ୍ୟ ତାହାଙ୍କର ମତକୁ ସମ୍ମାନ ଦେଇଥିଲେ । ପୂର୍ବ ପରି ସେଇ ମହାରାଜା ହାଇସ୍କୁଲ ପରିସରରେ ଚାଲୁ ରହିଥିଲା କଲେଜଟି ।

ମହାରାଜା କୃଷ୍ଣଚନ୍ଦ୍ର ରାଜଗାଦି ଆରୋହଣ କରିବା ପରେପରେ ରାଜ୍ୟରେ ସାମୁହିକ ପ୍ରଜା ମଙ୍ଗଳକାରୀ କାର୍ଯ୍ୟକ୍ରମଗୁଡ଼ିକ ମଧ୍ୟରେ ସର୍ବପ୍ରଥମ ଥିଲା ରାଜ୍ୟରେ ଥିବା ଶିକ୍ଷା ତଥା ଶିକ୍ଷାୟତନଗୁଡ଼ିକର ଉନ୍ନତିକଳ୍ପେ ବିଭିନ୍ନ ପଦକ୍ଷେପ । ଶିକ୍ଷାକୁ ବିଶେଷ ଗୁରୁତ୍ୱ ଆରୋପ କରୁଥିବା ସଂପର୍କରେ ଯଥାର୍ଥରେ ଅନୁଶୀଳନ କରାଯାଇପାରେ ରାଜଗାଦି ଆରୋହଣ ଅବସରରେ କରିଥିବା ବିଭିନ୍ନ ଦାନରୁ । ସେତିକିବେଳେ, ତାହାଙ୍କର ପ୍ରାଥମିକ ଦାନ ଅବସରରେ ଜାତୀୟବାଦୀ ଚେତନା ଆଧାରରେ ଗଢ଼ି ଉଠୁଥିବା ସତ୍ୟବାଦୀ ବନ ବିଦ୍ୟାଳୟ ନିର୍ମାଣପାଇଁ ଆର୍ଥିକ ସହାୟତା ପ୍ରଦାନ କରିଥିଲେ । ସାମଗ୍ରିକ ଭାବେ ଉତ୍କଳୀୟଙ୍କ ଶିକ୍ଷା ବିକାଶପାଇଁ ଉତ୍ସୁକ ମହାରାଜା ଆପଣା ରାଜ୍ୟରେ ମଧ୍ୟ ଶିକ୍ଷାର ବିସ୍ତାରପାଇଁ ଅର୍ଥ ମଂଜୁର କରିଥିଲେ । ପାରଳାଖେମୁଣ୍ଡି ସହରସ୍ଥିତ ମହାରାଜା କଲେଜର ଉନ୍ନତି କଳ୍ପେ ପ୍ରଥମ ଉଦ୍ୟମ କରିଥିଲେ । ସେତେବେଳେ ବର୍ତ୍ତମାନର ମହାରାଜା ହାଇସ୍କୁଲକୁ ଲାଗି ଭୋଇ ସାହି ପାହାଡ଼ର ନିମ୍ନଦେଶ ସମତଳ କରାଇ ନୂତନ କୋଠା ନିର୍ମାଣ କରାଇଥିଲେ । କୃଷ୍ଣଚନ୍ଦ୍ର ଗାଦି ଆସୀନ ହେବା ବର୍ଷରୁ ହିଁ ସେହି କାର୍ଯ୍ୟ ଆରମ୍ଭ ହୋଇ ୧୯୧୬ରେ ଶେଷ ହୋଇଥିଲା । ସେଥିପାଇଁ ସେତେବେଳେ ଖର୍ଚ୍ଚ ହୋଇଥିଲା ପ୍ରାୟ ୬୦ ହଜାର ଟଙ୍କା । ସେହି ନୂତନ କୋଠାର ନାମକରଣ କରାଯାଇଥିଲା 'ମୋରିଶନ୍ ଏକ୍ସଟେନସନ’ । ମହାରାଜାଙ୍କ କଲେଜ ଜୀବନରେ ନିଉୱିଙ୍ଗ୍‌ଟନ କଲେଜର ଭୂଗୋଳ ଅଧ୍ୟାପକ ତଥା ତାହାଙ୍କର ପ୍ରିୟ ଗୁରୁ ମିଷ୍ଟର ମୋରିସନଙ୍କ ନାମାନୁସରଣରେ ପାରଳା କଲେଜର ସେହି ନୂତନ ନିର୍ମିତ ଅଂଶକୁ ନାମିତ କରାଯାଇଥିଲା । ଉଲ୍ଲେଖଯୋଗ୍ୟ ଥିଲା, ଖୋଦ୍ ସେଇ ସ୍ୱନାମଧନ୍ୟ ଅଧ୍ୟାପକଙ୍କ କରକମଳରେ ହିଁ ତାହା ଉନ୍ମୋଚିତ ହୋଇଥିଲା । ରାଜକୁମାର କଲେଜର ଦଳେ ଛାତ୍ରଙ୍କ ସହ କେବଳ ସେଇଥିପାଇଁ ମିଷ୍ଟର ମୋରିଶନ ପାରଳାଖେମୁଣ୍ଡି ଅସିଥିଲେ । ତାହା ହିଁ ଆଜିର ପାରଳାଖେମୁଣ୍ଡି ସ୍ଥିତ ଶ୍ରୀକୃଷ୍ଣଚନ୍ଦ୍ର ଗଜପତି କଲେଜ । ଅବଶ୍ୟ ସାଂପ୍ରତିକ କାଳରେ ଆବଶ୍ୟକତାକୁ ଚାହିଁ ସେଥିରେ ଆହୁରି କିଛି ଅଂଶ ସଂଯୁକ୍ତ ହୋଇ ସାରିଲାଣି ।

ତାଙ୍କରିଦ୍ୱରା ପରିଚାଳିତ ସେଇ କଲେଜକୁ ଏକ ଆଦର୍ଶ ସ୍ଥାନୀୟ ଅନୁଷ୍ଠାନରେ ପରିଣତ କରିବାପାଇଁ ମହାରାଜା ଅଧିକ ଯତ୍ନଶୀଳ ଥିଲେ । ସେଥିପାଇଁ ବିଭିନ୍ନ ବିଶ୍ୱବିଦ୍ୟାଳୟର କୃତିତ୍ବ