ପୃଷ୍ଠା:Aama Parala Gajapati.pdf/୪୨

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ଶତାଧିକ ଲୋକ ଉତ୍କଳରେ ସୁନାମ ଅର୍ଜନ କରିଛନ୍ତି । ପାରଳା ବାହାରେ ମାନ୍ଦ୍ରାଜ, ଉଦକମଣ୍ଡଳ, ବିଶାଖାପଟଣା ପ୍ରଭୃତି ବି.ଏ, ଏମ୍.ଏ. ଓଭରସିଅରିଂ, ଇଞ୍ଜିନିଅରିଂ, ଡାକ୍ତରି ପ୍ରଭୃତି ଶିକ୍ଷାପଇଁ ବୃତ୍ତି ପାଇଛନ୍ତି । ମହାରାଜା ଜମିଦାରିର ତେଲୁଗୁ ଓ ଓଡ଼ିଆ ଉଭୟ ସଂପ୍ରଦାୟର କୃତୀଛାତ୍ରମାନଙ୍କୁ ବୃତ୍ତିଦାନରେ ପାତର ଅନ୍ତର ବିଚାର କରି ନାହାନ୍ତି ।"

ପୁଣି ପଣ୍ଡିତ ଦାଶଙ୍କ ଭଳି ଆଉ ଜଣେ ଭୁକ୍ତଭୋଗୀ ସାହିତ୍ୟିକ ଡକ୍ଟର ରାଧାଚରଣ ପଣ୍ଡା । ତାହାଙ୍କର ଆତ୍ମକଥନ ହେଲା-"୧୯୧୫-୧୯୧୮ ତିନି ବର୍ଷ ମଧ୍ୟରେ ମୁଁ ପାରଳା କଲେଜର ମେଟ୍ରିକ୍ ଛାତ୍ର ଥିଲି । ପ୍ରଥମ ବର୍ଷ ମୁଁ ମୋ ଆଇଙ୍କ ଘରେ ରହି ଫୋର୍ଥ ଫାର୍‌ମରେ ପଢ଼ିଲି । ସେହି ବର୍ଷ ପରୀକ୍ଷାରେ ଭଲ ପାସ୍ କରିଥିବାରୁ ଆଉ ଦୁଇବର୍ଷ କଲେଜ ଛାତ୍ର ନିବାସରେ 'ମାଗଣା ଖାଦ୍ୟ’ ଖାଇବା ସୁବିଧା ମିଳିଲା । ମେଧାବୀ ଛାତ୍ରମାନଙ୍କ ମଧ୍ୟରୁ ୧୫ଜଣ ଓଡ଼ିଆ ଓ ୧୫ ଜଣ ତେଲୁଗୁ ଛାତ୍ର କେବଳ ମସିକ ଦୁଇଟଙ୍କା ଦେଇ ଛାତ୍ରାବାସରେ ରହୁଥିଲେ ଏବଂ ସେମାନଙ୍କୁ ତିନି ଓଳି ଖାଇବାକୁ ମିଳୁଥିଲା । କୃଷ୍ଣଚନ୍ଦ୍ରଙ୍କ ଏ ବଦାନ୍ୟତାରେ ବହୁ ସଂଖ୍ୟକ ଛାତ୍ର କଲେଜ ପାଠ ପଢ଼ିପାରୁଥିଲେ ।"

ପିତୃସୁଲଭପ୍ରାଣ ସମ୍ପନ୍ନ କୃଷ୍ଣଚନ୍ଦ୍ର କଲେଜ ଛାତ୍ରାବାସରେ ରହୁଥିବା ଅନ୍ତେବାସୀଗଣଙ୍କ ଖାଦ୍ୟପେୟ, ସୁଖ-ସ୍ୱାଚ୍ଛନ୍ଦ୍ୟ ଇତ୍ୟାଦି ବିଷୟରେ ଅନୁସନ୍ଧାନ କରୁଥିଲେ ଅନେକ ସମୟରେ । ବେଳେବେଳେ ରାଜନଅରରେ ଉପଲବ୍ଧ ଖାଦ୍ୟଦ୍ରବ୍ୟ, ପନିପରିବା ଇତ୍ୟାଦି ଅନ୍ତେବାସୀଙ୍କପାଇଁ ପ୍ରେରଣ କରୁଥିଲେ ମଧ୍ୟ । ଅନେକ ସମୟରେ ବିଶେଷ କରି ଗ୍ରୀଷ୍ମ ଋତୁରେ, ରାଜନଅର ଗୋଶାଳାର ଅନ୍ୟତମ ପ୍ରସ୍ତୁତି- ଦହି ଓ ଚହ୍ଲା ବିକ୍ରୀପାଇଁ ବଜାରକୁ ନଯାଇ ଛାତ୍ରାବାସକୁ ଯାଉଥିଲା ମହାରାଜାଙ୍କ ନିର୍ଦ୍ଦେଶକ୍ରମେ ।

ସେହି କଲେଜର ମେଧାବୀ ଛାତ୍ରମାନେ କେବଳ ଯେ ଅଧ୍ୟୟନ ସମୟରେ ବୃତ୍ତିଲାଭ କରୁଥିଲେ ତା’ ନୁହେଁ, ସେଠାରେ ବିଦ୍ୟାଶିକ୍ଷା ଶେଷ ହେବା ପରେ ମଧ୍ୟ ବିଶେଷ କୃତିତ୍ବ ହାସଲ କରୁଥିବା ଛାତ୍ରମାନଙ୍କୁ ବିଦ୍ୟାବିଳାସୀ ଗଜପତି ରାଜ୍ୟ ତଥା ଦେଶ ବାହାରେ ଯାଇ ଅଧିକ ଅଧ୍ୟୟନ / ଗବେଷଣପାଇଁ ବୃତ୍ତି ପ୍ରଦାନ କରୁଥିଲେ । ସେହି ଦୃଷ୍ଟିରୁ ଦେଖିଲେ ବାସ୍ତବରେ ପାରଳା ଗଜପତି କେବଳ ନଥିଲେ ଜଣେ ଜମିଦାର, ବ୍ୟକ୍ତିବିଶେଷ, ଥିଲେ ବାସ୍ତବରେ ଏକ ଏକ ବିରାଟ ଅନୁଷ୍ଠାନ ।

ଆଧୁନିକ ଇଂରାଜୀ ଶିକ୍ଷା ପ୍ରତି ସେ ଯେତିକି ପରିମାଣରେ ଆଗ୍ରହୀ ଥିଲେ, ସେତିକି ପରିମାଣରେ ମଧ୍ୟ ମମତାମୟ ଥିଲେ ଆର୍ଯ୍ୟ ପରମ୍ପରା ପ୍ରତି; ଆଦି ଭାଷା ସଂସ୍କୃତ ପ୍ରତି । ପରିଣାମତଃ ତାଙ୍କର ରାଜ୍ୟ ରାଜଧାନୀ ପାରଳାଖେମୁଣ୍ଡିଠାରେ ସ୍ଥାପନ କରିଥିଲେ ଏକ ସଂସ୍କୃତ ମହାବିଦ୍ୟାଳୟ । ତାର ଇତିହାସ ପାରଳା ମହାରାଜାଙ୍କ ବିଦ୍ୟୋତ୍ସାହ ମନୋଭାବ ହିଁ ପ୍ରକାଶ କରିଥାଏ ।